କଟକ, ୨୫। ୬(ବ୍ୟୁରୋ) : କଟକ ସ୍ଥିତ ଶିଶୁ ଭବନ ହସ୍ପିଟାଲର ନବ ନିର୍ମିତ କୋଠାର କାନ୍ଥ ଭୁଶୁଡି ପଡିଛି। ସାତ ମହଲା ବିଶିଷ୍ଟ ନୂଆ ଅଟ୍ଟାଳିକାର ୩ ମହଲାରୁ ହଠାତ କାନ୍ଥ ଭାଙ୍ଗିପଡ଼ିଥିଲା। କାନ୍ଥ ଭୁଶୁଡିବା ଦେଖି ବାହାରେ ଶିଶୁ ରୋଗୀ ଓ ସେମାନଙ୍କ ସମ୍ପର୍କୀୟ ଦୂରକୁ ଦୌଡ଼ିଥିଲେ। ରୋଗୀ ଓ ତାଙ୍କ ସମ୍ପର୍କୀୟ ଅଳ୍ପକେ ବର୍ତ୍ତି ଯାଇଥିଲେ ହେଁ ୧୦ଟି ଗାଡି ଭାଙ୍ଗି କ୍ଷତିଗ୍ରସ୍ତ ହୋଇଯାଇଥିବାର ଦେଖିବାକୁ ମିଳିଛି।
ଶିଶୁ ଭଵନର ନୂଆ କୋଠାର କାନ୍ଥ ଭୁଶୁଡିବା ନେଇ ଶିଶୁ ରୋଗୀ ଓ ତାଙ୍କ ଅଭିବାବକମାନେ ଆତଙ୍କିତ ହୋଇ ପଡିଛନ୍ତି। ଭୟରେ କେତେକ ଅଭିଭାବକ ତାଙ୍କ ପିଲାଙ୍କୁ ୱାର୍ଡରୁ ଆଣି ବାହାରେ ଠିଆ ହୋଇଥିଲେ। କାନ୍ଥ ଭୁଶୁଡିବା ପରେ ଏହି ବୃହତ ପ୍ରକଳ୍ପର ସ୍ଥାୟିତ୍ବକୁ ନେଇ ସାଧାରଣରେ ଆଶଙ୍କା ପ୍ରକାଶ ପାଇଛି।