ଭୁବନେଶ୍ୱର ୧୯/୦୧: ପୁରୁଣା କଥାରେ ଅଛି ‘ଖାଇ ଶୋଇଲେ ବଢ଼ଇ ଆୟୁ, ଖାଇ ଚାଲିଲେ ବଢ଼ଇ ବାୟୁ, ଖାଇ ବସିଲେ ବଢ଼ଇ ପେଟ, ଖାଇ ଧାଇଁଲେ ଯମର ଭେଟ’ । ଏହି ଉକ୍ତିର ସତ୍ୟତା ଅତ୍ୟନ୍ତ କ୍ଷୀଣ । ଖାଇ ବସିଲେ ବଢ଼ଇ ପେଟ ଓ ଖାଇ ଧାଇଁଲେ ଯମର ଭେଟ ଉକ୍ତିରେ କିଛିଟା ସତ୍ୟତା ରହିଛି । କିନ୍ତୁ ଖାଇ ଚାଲିଲେ ବଢ଼ଇ ବାୟୁ ଉକ୍ତିଟି ସମ୍ପୂର୍ଣ୍ଣ ଓଲଟା ।
ପ୍ରକୃତ ପକ୍ଷେ ଖାଇ ସାରିବା ପରେ ୧୦ରୁ ୧୫ ମିନିଟ ଚାଲିବା ନିହାତି ଆବଶ୍ୟକ । ଖାଇ ସାରିବା କ୍ଷଣି ୧୦ରୁ ୧୫ ମିନିଟ ପର୍ଯ୍ୟନ୍ତ ଧୀର ଗତିରେ ଚାଲିବା ଦ୍ୱାରା ଶରୀରକୁ ଅନେକ ସୁଫଳ ମିଳିଥାଏ । ଖାଇ ସାରିବା ପରେ ଆମକୁ ହଠାତ୍ ଅଳସୁଆ ଓ ନିଦୁଆ ଲାଗିଥାଏ । ଏହାକୁ ଇଂରାଜୀରେ ପୋଷ୍ଟ୍ ଲଞ୍ଚ୍ ସ୍ଲମ୍ପ୍ କୁହାଯଏ । ଖାଦ୍ୟ ପେଟକୁ ଯିବା ମାତ୍ରେ ହଜମ ପ୍ରକ୍ରିୟା ଆରମ୍ଭ ହୋଇଥାଏ । ରକ୍ତ ଶର୍କରାକୁ ନିୟନ୍ତ୍ରଣ କରିବା ନିମନ୍ତେ ଅଗ୍ନ୍ୟାଶୟ ତୁରନ୍ତ ଇନ୍ସୁଲିନ୍ ଝରାଏ । ଫଳରେ ରକ୍ତରେ ପୂର୍ବରୁ ଥିବା ଶର୍କରା ପରିମାଣ ହଠାତ୍ ହ୍ରାସ ପାଇଥାଏ ଏବଂ ଆମକୁ ଦୁର୍ବଳ, ନିଦୁଆ ଲାଗେ । ଖାଦ୍ୟ ଖାଇବାର ୯୦ରୁ ୧୨୦ ମିନିଟ ପରେ ରକ୍ତ ଶର୍କରା ସର୍ବୋଚ୍ଚ ସ୍ତରକୁ ଫେରିଥାଏ । ଖାଇ ସାରିବା ପରେ ୧୫ ମିନିଟ ଚଲାବୁଲା କଲେ ତୁରନ୍ତ ରକ୍ତଶର୍କରାର ପତନ ହୋଇନଥାଏ ଏବଂ ଆମକୁ ଖାଇବା ଜନିତ ଦୁର୍ବଳତା ଆସିନଥାଏ । ଖାଇବା ପରେ ମଧ୍ୟ ପୂରା ସମୟ ଶରୀରକୁ ଫୂର୍ତ୍ତି ଲାଗେ ।
ଏହାଛଡ଼ା ଖାଦ୍ୟ ଖାଇବା ପରେ ଚାଲିବା ଦ୍ୱାରା ରକ୍ତ ଶର୍କରା ନିୟନ୍ତ୍ରଣ, ଉତ୍ତମ ପାଚନ ପ୍ରକ୍ରିୟା, ଶରୀରର ଦହନ ପ୍ରକ୍ରିୟା ସୁସ୍ଥ ଓ ସନ୍ତୁଳିତ ରହିଥାଏ । ପ୍ରତିଥର ଖାଇବା ପରେ ୧୫ ମିନିଟ୍ ଚାଲିବା ଦ୍ୱାରା ଅତି କମ୍ର ଦିନ ମଧ୍ୟରେ ଜଣେ ବ୍ୟକ୍ତି ୪୫ ମିନିଟ ଚାଲେ । ଏହାଦ୍ୱାରା ପ୍ରାୟ ୨୫୦ ରୁ ୩୦୦ କ୍ୟାଲୋରି ଅଧିକ ଖର୍ଚ୍ଚ ହୋଇପାରେ । ରକ୍ତ ସଞ୍ଚାଳନ ପ୍ରକ୍ରିୟା ଓ ଶରୀରରେ ଅମ୍ଳଜାନ ସଞ୍ଚାଳନ ପ୍ରକ୍ରିୟାରେ ଉନ୍ନତି ହୁଏ । ମନ ମଧ୍ୟ ପ୍ରଫୁଲ୍ଲ ଓ ହାଲୂକା ରହେ । ଖାଇସାରି ଧୀର ଗତିରେ ଚାଲିବା ଦ୍ୱାରା ପେଟରେ ଜମୁଥିବା ବାୟୁ ନିଷ୍କାସିତ ହେବା ସହ କୋଷ୍ଠକାଠିନ୍ୟ ଦୂର ହୁଏ । ଓଜନ କମାଇବା ଓ ରକ୍ତ ଶର୍କରା ନିୟନ୍ତ୍ରଣ ନିମନ୍ତେ ପ୍ରତି ଥର ଖାଇ ସାରିବା ପରେ କିଛି ସମୟ ହାଲିଆ ନହେବା ଭଳି ଚଲାବୁଲା କରନ୍ତୁ । ରାତ୍ରି ଲୋଜନ ପରେ ଟିକେ ଅଧିକ ସମୟ ଚାଲନ୍ତୁ । ଏହାଦ୍ୱାରା ବାୟୁ ଦୋଷ ଦୂର ହେବା ସହ ପେଟ କମିବ । ତେଣୁ ଆମକୁ ବୁଝିବାକୁ ହେବ- "ଖାଇ ଶୋଇଲେ କମିବ ଆୟୁ, ଖାଇ ଚାଲିଲେ କମିବ ବାୟୁ, ଖାଇ ବସିଲେ ବଢ଼ିବ ପେଟ, ଖାଇ ଧାଇଁଲେ ଯମର ଭେଟ' ।
-ଡ. ହରି ପ୍ରସାଦ ପଟ୍ଟନାୟକ