ନୂଆଦିଲ୍ଲୀ ୦୭/୦୬: ଆମେରିକାରେ ପୁଣି ଫାଟିଲା ଜ୍ୱାଳାମୁଖୀ। ମଧ୍ୟ ଆମେରିକାର ସବୁଠାରୁ ସକ୍ରିୟ ଜ୍ୱାଳାମୁଖୀ ପୁଣି ଥରେ ବିସ୍ଫୋରଣ ହୋଇଛି। ଏହି ଜ୍ୱାଳାମୁଖୀ ରାଜଧାନୀ ଗୁଏତମାଲା ସିଟିରୁ ପ୍ରାୟ ୩୫ କିଲୋମିଟର ଦୂରରେ ଅବସ୍ଥିତ। ଏହି ବିସ୍ଫୋରଣ ପରେ ଗୁଏତମାଲା କର୍ତ୍ତୃପକ୍ଷ ଶତାଧିକ ସ୍ଥାନୀୟ ଲୋକଙ୍କୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ପୂର୍ବରୁ ୨୦୧୮ରେ ହୋଇଥିବା ଏହି ଜ୍ୱାଳାମୁଖୀର ବିନାଶକାରୀ ବିସ୍ଫୋରଣରେ ପ୍ରାୟ ୨୧୫ ଜଣ ଲୋକଙ୍କ ମୃତ୍ୟୁ ହୋଇଥିଲା ।
ଦେଶର ବିପର୍ଯ୍ୟୟ ସଂସ୍ଥା କହିଛି ଯେ, ଜ୍ୱାଳାମୁଖୀ ନିକଟବର୍ତ୍ତୀ ଚିମାଲଟେନାଙ୍ଗୋ, ଏସକୁଇଣ୍ଟଲା ଏବଂ ସାକାଟେପେକ୍ୟୁଜ୍ ଅଞ୍ଚଳର ୫ଟି ସମ୍ପ୍ରଦାୟର ବାସିନ୍ଦାଙ୍କ ସମେତ ଅତି କମରେ ୭୦୦ ବାସିନ୍ଦାଙ୍କୁ ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରିବାକୁ କୁହାଯାଇଛି । ବିପର୍ଯ୍ୟୟ ହ୍ରାସ ଲାଗି କାର୍ଯ୍ୟରତ ସଂସ୍ଥା ଅନୁସାରେ, ଜ୍ୱାଳାମୁଖୀ ଡି ଫୁଏଗୋରୁ ୭ କିଲୋମିଟର ପର୍ଯ୍ୟନ୍ତ ଗରମ ଗ୍ୟାସ ଏବଂ ଲାଭା ନିର୍ଗତ ହେଉଥିବା ଜଣାପଡ଼ିଛି । ଯେଉଁଥିପାଇଁ ସରକାର ୩୯ଟି ସ୍କୁଲ ବନ୍ଦ କରିବା ସହ ଆଖପାଖ ରାସ୍ତା ବନ୍ଦ କରି ଦେଇଛନ୍ତି। ଏଥିସହିତ ଜାତୀୟ ରାଜପଥ ୧୪କୁ ମଧ୍ୟ ବନ୍ଦ କରିଦେଇଛନ୍ତି ।
ଗୁଏତମାଲାରେ ଜାତୀୟ ଭୂକମ୍ପ ବିଜ୍ଞାନ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଆଗ୍ନେୟଗିରି ଉଦଗୀରଣ ପରେ ନିର୍ଗତ ଲାଭା ଦେଢ଼ କିଲୋମିଟର ଯାଏଁ ବ୍ୟାପି ଯାଇଛି । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି । ୭୦୦ରୁ ଅଧିକ ଲୋକଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଥିବା ବେଳେ ସ୍ଥାନୀୟ ପ୍ରଶାସନ ପରିସ୍ଥିତି ଉପରେ ନଜର ରଖିଛି ।