ନୂଆଦିଲ୍ଲୀ,୭।୬: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡୋ ଟ୍ରମ୍ପଙ୍କ ସହ ଦୋସ୍ତି ଓ ଦୁଶମନି ଉଭୟ ପଡିଲା ଭାରି। ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ଏଲନ୍ ମସ୍କଙ୍କୁ ମିଳୁଛି ଏବେ ଗୋଟିଏ ପରେ ଗୋଟିଏ ଝଟକା। ରାଜନୀତିରେ ପଶିବା ଓ ବାହାରିବା ଭିତରେ ମସ୍କଙ୍କ ପାଇଁ ଆସିଛି ବଡ଼ ଚ୍ୟାଲେଞ୍ଜ। ଯେତେବେଳେ ଟ୍ରମ୍ପଙ୍କ ସହ ସମ୍ପର୍କ ଭଲ ଥିଲା ମସ୍କ ନିଜ କମ୍ପାନୀ ‘ଟେସଲା’ର ସ୍ଥିତିକୁ ନେଇ ଚିନ୍ତିତ ଥିଲେ। ଏବେ ଯେତେବେଳେ ଟ୍ରମଙ୍କ ସହ ତାଙ୍କ ସମ୍ପର୍କରେ ତିକ୍ତତା ସାର୍ବଜନୀନ ହୋଇଛି ଟେସଲାର ସେୟାର ରେକର୍ଡ ସ୍ତରରେ ହ୍ରାସ ପାଉଛି। କେବଳ ସେତିକି ନୁହେଁ ଟେସଲାକୁ ମିଳିଥିବା ସରକାରୀ କନଟ୍ରାକ୍ଟ ସବସିଡିକୁ ମଧ୍ୟ ଟ୍ରମ୍ପ ବନ୍ଦ କରିଦେଇଛନ୍ତି।
ଏଲନ୍ ମସ୍କଙ୍କ ପାଇଁ ଟଙ୍କା ରୋଜଗାର କରିବାର ସବୁଠାରୁ ବଡ଼ ଜରିଆରେ ହେଲା ଟେସଲା କମ୍ପାନୀ। ଯାହାକି ଇଲେକ୍ଟ୍ରିକ କାର ତିଆରି କରେ। କିନ୍ତୁ ଟେସଲା ଚଳିତ ବର୍ଷ ସବୁଠାରୁ ଖରାପ ପ୍ରଦର୍ଶନ କରିଥିବା ଲାର୍ଜ-କ୍ୟାପ୍ ଷ୍ଟକ୍ ପାଲଟିଛି। ଏଲନ୍ ମସ୍କ ନିଜର ରାଜନୈତିକ ମହତ୍ବକାକ୍ଷାଂକୁ ସାର୍ବଜନୀନ କରିବା ପରେ ଏହାର ରେଟିଂ ଲଗାତାର ହ୍ରାସ ପାଇଥିଲା। ମସ୍କଙ୍କୁ ପ୍ରଥମ ଦିନରୁ ହିଁ ଝଟକା ଲାଗିଥିଲା। ଟ୍ରମ୍ପ ଯେତେବେଳେ ପେଟ୍ରୋଲ ଗାଡି ବିକ୍ରି ଜାରି ରଖିଥିଲେ। ଅନ୍ୟପକ୍ଷେ ଇଲେକ୍ଟ୍ରିକ୍ ବାହନର ଚାହିଦା ଦ୍ରୁତ ଗତିରେ ହ୍ରାସ ଘଟିଥିଲା। ଟେସଲାର ଷ୍ଟକ୍ରେ ୧୪% ରୁ ଅଧିକ ହ୍ରାସ ଘଟିଥିଲା। ଫଳରେ କିଛି ଘଣ୍ଟାରେ ପ୍ରାୟ ୧୫୨ ବିଲିୟନ ଡଲାର ବା ୧୫୨୦୦କୋଟି ଟଙ୍କାର ହୋଇଥିଲା କ୍ଷତି । ଏହା ସହ ଟେସଲାକୁ ୨୦୨୫ ଆରମ୍ଭରୁ ନିଜର ଭାଲ୍ୟୁଏସନ୍ରେ ୩୮୦ ବିଲିୟନରୁ ଅଧିକ କ୍ଷତି ହୋଇଥିଲା। ଫଳରେ ଲାର୍ଜ କ୍ୟାପ୍ ସେୟାରରେ ସବୁଠୁ ବଡ଼ କ୍ଷତି ଉଠାଇଥିବା କମ୍ପାନୀ ପାଲଟି ଗଲା। ଚଳିତ ବର୍ଷ ଏପର୍ଯ୍ୟନ୍ତ ଟେସଲାର ମାର୍କେଟ କ୍ୟାପିଟାଲାଇଜେସନ୍ ୨୯.୩% ହ୍ରାସ ପାଇ ୯୧୭ ବିଲିୟନ ଡଲାର ହୋଇଯାଇଛି।
ଏଲନ୍ ମସ୍କଙ୍କ ଦ୍ବିତୀୟ ‘ଡ୍ରିମ୍ ବେବି’ ହେଉଛି ରକେଟ ତିଆରି କରୁଥିବା କମ୍ପାନୀ ‘ସ୍ପେସ୍ ଏକ୍ସ’। ଟ୍ରମ୍ପଙ୍କ ସହ ଖୋଲାଖୋଲି ବିବାଦ ପରେ ଏବେ ଏହାର ଭବିଷ୍ୟତ ଉପରେ ସୃଷ୍ଟି ହୋଇଛି ସଙ୍କଟ। ଡିସେମ୍ବର ୨୦୨୪ରେ କର୍ମଚାରୀଙ୍କ ସେୟାର ବାଇବ୍ୟାକ୍ ପରେ SpaceX ର ମୂଲ୍ୟାଙ୍କନ ୩୫୦ ବିଲିୟନ ଡଲାର ହୋଇଛି। ଫୋବର୍ସ ରିପୋର୍ଟ ଅନୁସାରେ, ଏହି କଥା ଆମେରିକାର ସବୁଠାରୁ ମୂଲ୍ୟବାନ ଘରୋଇ କମ୍ପାନୀ କରିଥାଏ। ନାସା ଏହା ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ। କିନ୍ତୁ ଏବେ ଏହା ଉପରେ ମସ୍କ ଏବଂ ଟ୍ରମ୍ପଙ୍କ ମଧ୍ୟରେ ରାଜନୈତିକ ବିବାଦର ପ୍ରଭାବ ପଡ଼ିପାରେ।
‘ସ୍ପେସ ଏକ୍ସ’ ଆମେରିକା ସରକାରଙ୍କଠାରୁ ପ୍ରାୟ ୨୨ ବିଲିୟନ ଡଲାରର ସରକାରୀ କନଟ୍ରାକ୍ଟ ପାଇଛି, କିନ୍ତୁ ବିବାଦ ପରେ, ମସ୍କଙ୍କ କମ୍ପାନୀଗୁଡ଼ିକୁ ଦିଆଯାଇଥିବା ସରକାରୀ ଚୁକ୍ତିନାମା ବାତିଲ କରିଛନ୍ତି ଟ୍ରମ୍ପ । ଅନ୍ୟପକ୍ଷରେ, ମସ୍କ ମଧ୍ୟ ଚେତାବନୀ ଦେଇଛନ୍ତି ସେ ନାସା ଦ୍ୱାରା ବ୍ୟବହୃତ ସ୍ପେସଏକ୍ସର ଡ୍ରାଗନ ମହାକାଶଯାନକୁ ଡିକମିଶନିଂ ବା ନିଷ୍କ୍ରିୟ କରିବା ଆରମ୍ଭ କରିବେ। ଯଦି ମସ୍କ ଏହା କରନ୍ତି, ତେବେ ନାସା ଏକମାତ୍ର ରକେଟ୍ ହରାଇବ ଯାହା ଏହାର ମହାକାଶଚାରୀମାନଙ୍କୁ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ ପର୍ଯ୍ୟନ୍ତ ନେଇପାରିବ।