ନୂଆଦିଲ୍ଲୀ,୦୭/୦୬: ଯେତେ ମାଠିବୁ ମାଠ, ମୁଁ ସେଇ ଦରପୋଡା କାଠ । ଏ ଲାଇନ୍ ଆତଙ୍କୀସ୍ଥାନ ପାକିସ୍ତାନକୁ ଏକଦମ ଖାପ ଖାଉଛି । ଭାରତର ଅପରେସନ୍ ସିନ୍ଦୂରର ପ୍ରଚଣ୍ଡ ପ୍ରହାରରେ ପାକିସ୍ତାନ ଅଣ୍ଟା ଭାଙ୍ଗିଛି ତଥାପି ସୁଧୁରୁନି । ଭାରତ ବିରୋଧରେ ବିଷ ଓଗାଳୁଥିଲା ଫସିଗଲା ପାକିସ୍ତାନ । ଭାରତର ନକଲ କରିବା ପାକିସ୍ତାନକୁ ଭାରି ପଡିଛି । ବିଶ୍ୱ ମଞ୍ଚରେ ଲଜ୍ଜିତ ହୋଇଛି ପାକିସ୍ତାନ ।
ପାକିସ୍ତାନ ବୈଦେଶିକ ମନ୍ତ୍ରୀ ବିଲାୱଲ ଭୁଟ୍ଟୋଙ୍କ ନେତୃତ୍ୱରେ ଆମେରିକା ଯାଇଥିବା ଡେଲିଗେସନ୍ ଲଜ୍ଜିତ ହୋଇଛି । ଆତଙ୍କବାଦ ବିରୋଧରେ ପଦକ୍ଷେପ ନେଇ ଜୈଶ-ଏ-ମହମ୍ମଦ ପରି ଆତଙ୍କୀ ସଂଗଠନକୁ ଶେଷ କରିବାକୁ ଆମେରିକା ସାଂସଦ ବ୍ରେଡ଼ ଶର୍ମନ ପାକିସ୍ତାନ ପ୍ରତିନିଧିମଣ୍ଡଳୀକୁ ସଫା ସଫା ନିର୍ଦ୍ଦେଶ ଦେଇଛନ୍ତି । ପାକିସ୍ତାନ ବରିଷ୍ଠ ସାଂସଦ ବିଲାୱଲ ଭୁଟ୍ଟୋଙ୍କୁ କହିଛନ୍ତି କି, ଦେଶକୁ ଆତଙ୍କବାଦୀ ସମୂହ ଜୈଶ-ଏ-ମହମ୍ମଦକୁ ଶେଷ କରିବା ସହିତ ଧାର୍ମିକ ସଂଖ୍ୟାଲଘୁଙ୍କ ସୁରକ୍ଷା ସୁନିଶ୍ଚିତ କରିବାକୁ ସମସ୍ତ ପ୍ରଚେଷ୍ଟା କରିବା ଦରକାର ।
ବିଲାୱଲ ଭୁଟ୍ଟୋ ନ୍ୟୁୟର୍କରେ ୟୁଏନ ମହାସଚିବ ଏଣ୍ଟୋନିୟୋ ଗୁଟେରସ୍ ଏବଂ ସୁରକ୍ଷା ପରିଷଦଙ୍କ ରାଷ୍ଟ୍ରଦୂତଙ୍କୁ ସାକ୍ଷାତ କରିଥିଲେ । ଏହାପରେ ୱାଶିଂଟନ ଗସ୍ତ କରିଥିଲେ । ସେଠାରେ ଭାରତ ବିରୋଧରେ କଶ୍ମୀର ମୁଦ୍ଦାକୁ ବିଶ୍ୱ ମଞ୍ଚରେ ଉଠାଇବାକୁ ଚେଷ୍ଟା କରିଥିଲେ । ହେଲେ ଫସି ଯାଇଥିଲା ପାକିସ୍ତାନ । ନିଜ ଦେଶରେ ଆତଙ୍କବାଦ ଶେଷ କରିବାକୁ ନିର୍ଦ୍ଦେଶ ମିଳିଥିଲା । ଜୈଶ-ଏ-ମହମ୍ମଦ ଆତଙ୍କୀକୁ ଶେଷ କରିବାକୁ ପାକିସ୍ତାନକୁ ଆଦେଶ ଦିଆଯାଇଛି ।
ସବୁଠୁ ବଡ଼ କଥା ହେଉଛି, ବିଲାୱଲ ଭୁଟ୍ଟୋ ଏପରି ସମୟରେ ଆମେରିକା ଗସ୍ତ କରିଛନ୍ତି ଯେବେ ଶଶୀ ଥରୁରଙ୍କ ନେତୃତ୍ୱରେ ଏକ ଟିମ୍ ୱାଶିଂଟନ ଡିସିରେ ଉପସ୍ଥିତ ଅଛନ୍ତି । ଏହି ଟିମ୍ ଅପରେସନ୍ ସିନ୍ଦୂର ଏବଂ ପହଲଗାମ ଆତଙ୍କୀ ଆକ୍ରମଣ ପରେ ଭାରତର ଆତଙ୍କୀ ବିରୋଧରେ ଦୃଢ ନୀତି ବାବଦରେ ସୂଚନା ଆମେରିକା ଅଧିକାରୀଙ୍କୁ ଦେଉଛନ୍ତି ।