ନୂଆଦିଲ୍ଲୀ: କାନାଡା ପ୍ରଧାନମନ୍ତ୍ରୀ ମାର୍କ କାର୍ନି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଫୋନ୍ କରି ଜୁନ୍ ୧୫-୧୭ ତାରିଖରେ ଅନୁଷ୍ଠିତ ହେବାକୁ ଥିବା G7 ଶିଖର ସମ୍ମିଳନୀକୁ ନିମନ୍ତ୍ରଣ କରିଛନ୍ତି। ସୋସିଆଲ ସାଇଟ୍ X ରେ ଏକ ପୋଷ୍ଟରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ସେ କାର୍ନିଙ୍କ ନିମନ୍ତ୍ରଣ ଗ୍ରହଣ କରିଛନ୍ତି ଏବଂ ଶିଖର ସମ୍ମିଳନୀ ସମୟରେ ତାଙ୍କୁ ଭେଟିବାକୁ ଅପେକ୍ଷା କରିଛନ୍ତି। ନିକଟରେ ହୋଇଥିବା କାନାଡା ନିର୍ବାଚନରେ ବିଜୟୀ ହୋଇଥିବା କାର୍ନିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୋଦୀ । ଏହା ସହ କାନାନାସ୍କିସ୍ରେ ଅନୁଷ୍ଠିତ ହେବାକୁ ଥିବା ଜି-୭ ଶିଖର ସମ୍ମିଳନୀରେ ଯୋଗ ଦେବାକୁ ନିମନ୍ତ୍ରଣ କରିଥିବାରୁ ସେ ତାଙ୍କୁ ଧନ୍ୟବାଦ ଦେଇଥିବା ଏକ୍ସରେ ଜଣାଇଛନ୍ତି ।
କାର୍ନିଙ୍କ ପୂର୍ବବର୍ତ୍ତୀ ଜଷ୍ଟିନ୍ ଟ୍ରୁଡୋଙ୍କ ସରକାର ସମୟରେ, କାନାଡା ଏବଂ ଭାରତ ମଧ୍ୟରେ ସମ୍ପର୍କ ଖରାପ ହୋଇଥିଲା। ଟ୍ରୁଡୋଙ୍କ ଉପରେ କାନାଡାରେ ଖଲିସ୍ତାନୀ ବିଚ୍ଛିନ୍ନତାବାଦୀଙ୍କ କାର୍ଯ୍ୟକଳାପକୁ ସମର୍ଥନ କରିବାର ଅଭିଯୋଗ ଆସିଥିଲା। ଆଉ ଏବେ କାନାଡାର ନୂଆ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ବରେ ଜୁନ୍ ୧୫-୧୭ ରେ ଆଲବର୍ଟାର କାନାନାସ୍କିସ୍ ରିସର୍ଟରେ ଏହି ବର୍ଷର ଜି-୭ ଶିଖର ସମ୍ମିଳନୀ ଆୟୋଜନ ହେବାକୁ ଯାଉଛି । ଏହା ସହ କାନାଡା ପିଏମ ମାର୍କ କାର୍ନି ଜି-୭ ଶିଖର ସମ୍ମିଳନୀରେ ଯୋଗ ଦେବାକୁ ମୋଦୀଙ୍କୁ ନିମନ୍ତ୍ରଣ କରିଛନ୍ତି ।
କାନାଡାର କାନାନାସ୍କିସରେ ଦ୍ବିତୀୟ ଥର ଲାଗି ଜି-୭ ଶିଖର ସମ୍ମିଳନୀ ଆୟୋଜିତ ହେବାକୁ ଯାଉଛି । ପ୍ରଥମ ଥର ପାଇଁ ୨୦୦୭ ମସିହାରେ ସେଠାରେ ଅନୁଷ୍ଠିତ ହୋଇଥିଲା। ଏହି ବର୍ଷର ଶିଖର ସମ୍ମିଳନୀ ଅଧିକ ଗୁରୁତ୍ବପୂର୍ଣ୍ଣ । ଜି-୭ ରେ କାନାଡା, ଫ୍ରାନ୍ସ, ଜର୍ମାନୀ, ଇଟାଲୀ, ଜାପାନ, ବ୍ରିଟେନ ଏବଂ ଆମେରିକା ସଦସ୍ୟ ରାଷ୍ଟ୍ର । ପ୍ରଧାନମନ୍ତ୍ରୀ ମାର୍କ କାର୍ନିଙ୍କ ନେତୃତ୍ବରେ ଜି-୭ ଶିଖର ସମ୍ମିଳନୀରେ ବିଶ୍ବ ଶାନ୍ତି ଏବଂ ସୁରକ୍ଷା, ଆର୍ଥିକ ସ୍ଥିରତା, ଜଳବାୟୁ ଏବଂ ଡିଜିଟାଲ୍ ପରିବର୍ତ୍ତନ ସମେତ ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ଦେବ।