ନୂଆଦିଲ୍ଲୀ ୦୭/୦୬: କରୋନା ପରେ ଚୀନ୍ରେ ଏକ ନୂଆ ଭାଇରସ୍ ମିଳିଛି । ଆମେରିକୀୟ ବୈଜ୍ଞାନିକମାନେ ଚେତାବନୀ ଦେଇଛନ୍ତି, ଏଚ୍କେୟୁ୫-କୋଭ୍-୨ ନାମକ ଏହି ଭାଇରସ୍ ମଣିଷକୁ ସଂକ୍ରମିତ କରିପାରେ । ଏବେ ବାଦୁଡ଼ିଙ୍କଠାରେ ଏହି ଭାଇରସ୍ ଚିହ୍ନଟ ହୋଇଛି । କିନ୍ତୁ ଛୋଟ ମ୍ୟୁଟେସନ୍ (ପରିବର୍ତ୍ତନ) ପରେ ଏହା ମଣିଷ ମଧ୍ୟରେ ବ୍ୟାପିଯିବ । ମର୍ସ (ମିଡିଲ ଇଷ୍ଟ୍ ରେସ୍ପରେଟୋରୀ ସିଣ୍ଡ୍ରୋମ୍) ସହ ଏହି ଭାଇରସ୍ର ସାମଞ୍ଜସ୍ୟ ରହିଛି ।
ଚୀନ୍ର ଦକ୍ଷିଣ ଓ ପୂର୍ବ କ୍ଷେତ୍ରରେ ସର୍ବପ୍ରଥମେ ଏହି ଭାଇରସ୍କୁ ବାଦୁଡ଼ିଠାରେ ଚିହ୍ନଟ କରାଯାଇଥିଲା । ଏହାକୁ ଉହାନ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜିର ଗବେଷକମାନେ ଆବିଷ୍କାର କରିଥିଲେ । ଏହି ଲାବ୍ରୁ କୋଭିଡ୍-୧୯ ଭାଇରସ୍ ବ୍ୟାପିଥିବାର ଆଶଙ୍କା କରାଯାଏ । ଏସିଆ, ସିଙ୍ଗାପୁର, ହଂକଂ, ଚୀନ୍, ଥାଇଲାଣ୍ଡ ଓ ଭାରତରେ କରୋନା ଭାଇରସ୍ ମାମଲା ଦ୍ରୁତ ବଢୁଥିବାବେଳେ ଏହି ଖବର ଚିନ୍ତା ବଢ଼ାଇଛି। କେବଳ ଭାରତରେ ସକ୍ରିୟ କରୋନା ରୋଗୀଙ୍କ ସଂଖ୍ୟା ୫ ହଜାରରୁ ଅଧିକ ।
ଏଚ୍କେୟୁ୫-କୋଭ୍-୨ ଭାଇରସ୍ ମର୍ବେକୋ ଭାଇରସ୍ ସମୂହର ଅଂଶ । ଏଥିରେ ମିଡିଲ ଇଷ୍ଟ୍ ରେସ୍ପିରେରେଟୋରୀ ସିଣ୍ଡ୍ରୋମ (ମର୍ସ-କୋଭ୍) ଭଳି ଘାତକ ଭାଇରସ୍ ରହିଛି । ମର୍ସ-କୋଭ୍ ମୁଖ୍ୟତଃ ବାଦୁଡ଼ିଙ୍କଠାରେ ଦେଖିବାକୁ ମିଳେ । ଏହା ଓଟଙ୍କ ଜରିଆରେ ମଣିଷଙ୍କ ମଧ୍ୟରେ ବ୍ୟାପେ । ଓଟକୁ ଏହାର ସଂରକ୍ଷକ (ଯେଉଁଠି ନିଷ୍କ୍ରିୟ ଭାଇରସ୍ ରହନ୍ତି) କୁହାଯାଏ । ମର୍ସ ପ୍ରଥମ ଥର ୨୦୧୨ରେ ସାଉଦି ଆରବରେ ସାମ୍ନାକୁ ଆସିଥିଲା ।
ମର୍ସର ମୃତ୍ୟୁ ହାର ହାରାହାରି ୩୪ ପ୍ରତିଶତ ଅଧିକ । ଅର୍ଥାତ୍ ତିନି ଜଣଙ୍କ ମଧ୍ୟରେ ଜଣେ ସଂକ୍ରମିତ ବ୍ୟକ୍ତିଙ୍କ ମୃତ୍ୟୁ ହୁଏ । ୱାଶିଂଟନ୍ ଷ୍ଟେଟ୍ ବିଶ୍ୱବିଦ୍ୟାଳୟର ଗବେଷକମାନେ ଏଚ୍କେ୫ ଭାଇରସ୍ର ଅଧ୍ୟୟନ କରିଥିଲେ । ନେଚର୍ କମ୍ୟୁନିକେସନ୍ସ ପତ୍ରିକାରେ ଏହାର ଫଳ ପ୍ରକାଶ ପାଇଛି । ବୈଜ୍ଞାନିକମାନେ ଜାଣିବାକୁ ପାଇଲେ, ଏଚ୍କେୟୁ୫-କୋଭ୍-୨ର ଏକ ପ୍ରକାର ‘ଲାଇନେଜ୍ ୨’ ପୂର୍ବରୁ ହିଁ ମଣିଷ କୋଷିକାକୁ ସଂକ୍ରମିତ କରିବାରେ ସକ୍ଷମ । ଭାଇରସ୍ର ସ୍ପାଇକ୍ ପ୍ରୋଟିନ୍ରେ ଏକ ଛୋଟ ପରିବର୍ତ୍ତନ ତାକୁ ମାନବ ଏସିଇ୨ କୋଷିକାଗୁଡ଼ିକ ସହ ଯୋଡ଼ିବାରେ ସକ୍ଷମ କରିପାରେ, ଯାହା ଲୋକଙ୍କ ଗଳା, ମୁହଁ ଓ ନାକରେ ମିଳନ୍ତି।
ଏଚ୍କେୟୁ୫-କୋଭ୍-୨ ଏବେ କେବଳ ବାଦୁଡ଼ିଙ୍କ ମଧ୍ୟରେ ବ୍ୟାପୁଛି । ମଣିଷଙ୍କ ମଧ୍ୟରେ ଏହା ବ୍ୟାପିବାର କୌଣସି ପ୍ରମାଣ ନାହିଁ । ତେବେ, ବିଶେଷଜ୍ଞଙ୍କର ଭୟ ଯେ ଚୀନ୍ରେ ବେପରୁଆ ବନ୍ୟଜୀବ ବ୍ୟବସାୟ ଯୋଗୁ ଏହାର ପ୍ରସାର ବିପଦ ବଢ଼ିଛି । ବୈଜ୍ଞାନିକମାନେ ସ୍ୟୁଡୋଭାଇରସ୍ (ନକଲି ଭାଇରସ୍) ପ୍ରସ୍ତୁତ କରି ପ୍ରୟୋଗ କଲେ, ଯେଉଁଥିରେ ଏଚ୍କେୟୁ୫ର ସ୍ପାଇକ୍ ପ୍ରୋଟିନ୍ ଉପଯୋଗ କରାଗଲା । ଏଥିରୁ ଜଣାପଡ଼ିଲା, ଭାଇରସ୍ ବାଦୁଡ଼ିଙ୍କ କୋଷିକାଗୁଡ଼ିକୁ ସହଜରେ ସଂକ୍ରମିତ କରେ ଏବଂ ସ୍ୱତନ୍ତ୍ର ମ୍ୟୁଟେସନ୍ ହେଲେ ମାନବ କୋଷିକାରେ ମଧ୍ୟ ପ୍ରବେଶ କରିପାରେ । ଏଥିପାଇଁ ବାଦୁଡ଼ି ଓ ମଣିଷ ମଧ୍ୟରେ କେବଳ ଏକ ମ୍ୟୁଟେସନ୍ ହିଁ ଆବଶ୍ୟକ ।
ଯଦି ଏହି ଭାଇରସ୍ ବାଦୁଡ଼ିଙ୍କଠୁ କୌଣସି ଅନ୍ୟ ଜନ୍ତୁ ଯଥା-ମାଙ୍କଡ଼ କିମ୍ବା ସିଭେଟ୍ ପର୍ଯ୍ୟନ୍ତ ପହଞ୍ଚିଯାଏ, ତେବେ ଏଥିରେ ମ୍ୟୁଟେସନ୍ ହେବ। ଏହା ପରେ ଭାଇରସ୍ ମଣିଷକୁ ସଂକ୍ରମିତ କରିବାରେ ସକ୍ଷମ ହୋଇଯିବ । ବିଶେଷଜ୍ଞମାନେ ଚୀନ୍ ବଜାରରୁ ମଧ୍ୟ ଏହି ଭାଇରସ୍ ମଣିଷଙ୍କ ମଧ୍ୟରେ ବ୍ୟାପିବାର ଆଶଙ୍କା ବ୍ୟକ୍ତ କରିଛନ୍ତି । କାରଣ ସେଠାରେ ଜନ୍ତୁଙ୍କୁ ଖୋଲା ଓ ଅତି ଖରାପ ସ୍ଥିତିରେ ରଖାଯାଏ ।