ନୂଆଦିଲ୍ଲୀ,୦୪/୦୪: ୩୦ଘଣ୍ଟାରୁ ଅଧିକ ସମୟ ଧରି ତୁର୍କୀର ଦିଆର୍ବାକିର ବିମାନବନ୍ଦରରେ ଫସି ରହିଛନ୍ତି ୨୬୦ ଯାତ୍ରୀ । ଲଣ୍ଠନରୁ ମୁମ୍ୱାଇ ଆସୁଥିବା ଭର୍ଜିନ୍ ଆଟଲାଣ୍ଟିକ୍ ବିମାନରେ କିଛି ଯାନ୍ତ୍ରିକ ତ୍ରୁଟି କାରଣରୁ ବିମାନଟି ଉଡାଣ ପାଇଁ ଅନୁପଯୁକ୍ତ ବୋଲି ଘୋଷଣା କରାଯାଇଥିଲା । ଏହା ପରେ ତୁର୍କୀର ଦିଆର୍ବାକିର ବିମାନବନ୍ଦରରେ ବିମାନକୁ ଲ୍ୟାଣ୍ଡିଂ କରାଯାଇ କ୍ରୁଙ୍କୁ ଏକ ହୋଟେଲକୁ ପଠାଯାଇଥିଲା, କିନ୍ତୁ ଯାତ୍ରୀମାନଙ୍କୁ ବିମାନବନ୍ଦରର ଏକ ନିଷିଦ୍ଧ ଅଞ୍ଚଳରେ ରଖାଯାଇଥଲା,ଯେଉଁଠାରେ ପର୍ଯ୍ୟାପ୍ତ ସୁବିଧା ନାହିଁ ।
ଯାହାକୁ ନେଇ ସେଠାରେ ଫସି ରହିଥିବା ଯାତ୍ରୀମାନେ ଏୟାରପୋର୍ଟରେ ମୌଳିକ ଅସୁବିଧାକୁ ନେଇ ଅଭିଯୋଗ କରିଛନ୍ତି । ସେମାନେ କହିଛନ୍ତି କି, ଫସି ରହିଥିବା ଯାତ୍ରୀଙ୍କ ପାଇଁ କୌଣସି ବ୍ୟବସ୍ଥା କରାଯାଇନାହିଁ କିମ୍ୱା କେତେବେଳେ ମୁମ୍ୱାଇ ଯାଇପାରିବେ ସେ ବିଷୟରେ ମଧ୍ୟ କୌଣସ ସୂଚନା ଦିଆଯାଇନାହିଁ । ବିମାନବନ୍ଦରରେ ଫସିରହିଥିବା ଯାତ୍ରୀମାନେ ସୋସିଆଲ ମିଡିଆ ଏକ୍ସରେ ଖାଦ୍ୟ, ଶୌଚାଳୟ ଏବଂ ଚାର୍ଜିଙ୍ଗ ପଏଣ୍ଟ ସମେତ ଅନେ ମୌଳିକ ସୁବିଧାର ଅଭାବ ନେଇ ଅଭିଯୋଗ କରି ଟ୍ୱିଟ୍ କରିଛନ୍ତି । ସେମାନେ କହିଛନ୍ତି ଯେ, ୨୪ଘଣ୍ଟା ଉପରେ ହେଲାଣି କିନ୍ତୁ ଜଣେ ବି ଏୟାରଲାଇନ୍ସ ପ୍ରତିନିଧି ଯାତ୍ରୀଙ୍କୁ ଭେଟି ନାହାନ୍ତି । ସେମାନଙ୍କ ପାଖରେ ଖାଦ୍ୟ ନାହିଁ, ୧୭୫ଜଣ ଯାତ୍ରୀଙ୍କ ପାଇଁ ଗୋଟିଏ ଶୌଚାଳୟ ରହିଛି । ଫୋନ ଚାର୍ଜିଙ୍ଗ ପାଇଁ ସୁବିଧା ନଥିବରୁ ବ୍ୟାଟେରୀ ସରିଗଲାଣି । ଏପରିକି ଯାତ୍ରୀମାନଙ୍କ ମଧ୍ୟରେ ଛୋଟପିଲା, ଗର୍ଭବତୀ ମହିଳା, ମଧୁମେହ ରୋଗୀ ଏବଂ ବୃଦ୍ଧ ବ୍ୟକ୍ତି ଅଛନ୍ତି,ହେଲେ ସେମାନଙ୍କ ପାଇଁ ମଧ୍ୟ କୌଣସି ସୁବିଧା ଉପଲବ୍ଧ ନାହିଁ ବୋଲି ଅଭିଯୋଗ କରିଛନ୍ତି ।