ନୂଆଦିଲ୍ଲୀ,୮।୧: ଟିମ୍ ଇଣ୍ଡିଆର ଷ୍ଟାର କ୍ରିକେଟର ବିରାଟ କୋହଲି ନିଜର ଆକ୍ରାମକ ସ୍ବଭାବ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ନିଜର ଅଧିନାୟକତ୍ବ ସମୟରେ ବିରାଟ ପ୍ରତିପକ୍ଷ ଦଳର ଖେଳାଳିଙ୍କ ପ୍ରତି ଆକ୍ରାମକ ରହିଥାନ୍ତି। ଏଥିପାଇଁ ତାଙ୍କୁ ବହୁବାର ସମାଲୋଚନାର ପାତ୍ର ହେବାକୁ ପଡିଛି। ନିକଟରେ ବିରାଟ ଅଷ୍ଟେ୍ରଲିଆ କ୍ରିକେଟର ଓ ଦର୍ଶକଙ୍କୁ ମଧ୍ୟ ନିଜର ଆଗ୍ରେସିଭ ସ୍ବଭାବ ଦେଖାଇ ସାରିଛନ୍ତି। ଅଷ୍ଟେ୍ରଲିଆ ବ୍ୟାଟର ସାମନ୍ କାନଷ୍ଟାସ୍ଙ୍କ କାନ୍ଧଙ୍କୁ ଧକ୍କା ଦେବା ତ ଆଉ କେବେ ଦର୍ଶକଙ୍କୁ ସ୍ୟାଣ୍ଡ ପେପର ଦେଖାଇବା। ଏହାକୁ ନେଇ ଆରମ୍ଭ ହୋଇଛି ବିବାଦ। ବିରାଟଙ୍କ ଏଭଳି ବ୍ୟବହାର ନେଇ ମୁହଁ ଖୋଲିଛନ୍ତି ପୂର୍ବତନ କ୍ରିକେଟର ସୁନିଲ ଗାଭାସ୍କର।
ବିରାଟଙ୍କ ସ୍ବଭାବକୁ ନେଇ ଗାଭାସ୍କର ଏଭଳି କିଛି କହିଛନ୍ତି, ଯାହାକି ତାଙ୍କ ଫ୍ୟାନ୍ଙ୍କୁ ଖରାପ ଲାଗିପାରେ। ଗାଭାସ୍କର କହିଛନ୍ତି, ବିରାଟଙ୍କୁ ବୁଝିବା ଦରକାର ସେ ଦର୍ଶକଙ୍କ ସହ ଯାହା କରୁଛନ୍ତି ତାହା ପୁରା ଟିମ୍ ଉପରେ ଚାପ ପକାଇପାରେ। ସେ ମଧ୍ୟ ଦର୍ଶକଙ୍କ ଟାର୍ଗେଟରେ ଆସୁଛନ୍ତି। ଜଣେ ସିନିୟର ଖେଳାଳି ଭାବରେ ତାଙ୍କୁ ଏସବୁ କରିବା ଉଚିତ ନୁହେଁ। କୋହଲି କାନ୍ଧରେ ଧକ୍କା ମାରି ଯାହା କରିଛନ୍ତି, ତାହା କ୍ରିକେଟ ନୁହେଁ। ଭାରତୀୟ ଖେଳାଳିଙ୍କୁ କେହି ଉକସାଇଲେ ସେମାନେ ଜବାବ ଦିଅନ୍ତି, କିନ୍ତୁ କାନଷ୍ଟାସ୍ଙ୍କ ମାମଲା ଭଳି ନୁହେଁ। ଖେଳାଳିଙ୍କୁ ସମୟ ସହ ଜଣାପଡିବା ଦରକାର ଯେ ଦର୍ଶକଙ୍କ ସହ ବିବାଦରେ କୌଣସି ଫାଇଦା ନାହିଁ।ଦର୍ଶକ ମ୍ୟାଚ୍ ଦେଖିବାକୁ ଆସି ଭଲ ସମୟ ବିତାଇବାକୁ ଚାହାନ୍ତି। ସେମାନେ ବ୍ୟକ୍ତି କାରଣ ନେଇ ଖେଳାଳିଙ୍କ ପାଇଁ ହୁଟିଂ କରନ୍ତି ନାହିଁ, ଏହା ତାଙ୍କ ବ୍ୟକ୍ତିଗତ ମନୋରଞ୍ଜନର ପ୍ରଣାଳି। ଏହାକୁ ନେଇ ରିଆକ୍ଟ କରିବା ଖେଳାଳିଙ୍କ ପାଇଁ ଲାଭଦାୟକ ନୁହେଁ, ବଂର କ୍ଷତି କରିଥାଏ। ଏହା ସହ ଗାଭାସ୍କର କହିଛନ୍ତି, ବିରାଟ ଲଗାତାର ଫ୍ଲପ୍ ହେବାର କାରଣ ଅଫ୍-ଷ୍ଟମ୍ଫ ଆଖପାଖର ବଲ୍କୁ ଖେଳିବାକୁ ଚାହୁଁନାହାନ୍ତି। ସେ ଟିମ୍ ପାଇଁ ଆହୁରି ଯୋଗଦାନ ଦେଇପାରିଥାନ୍ତେ।’