ପ୍ରମୂଖ ଖବର
  • ଆମେରିକାର କାଲିଫର୍ଣ୍ଣିଆ ଜଙ୍ଗଲରେ ଭୟଙ୍କର ଅଗ୍ନିକାଣ୍ଡ, ୫ ମୃତ, ୭୦ ହଜାର ଲୋକ ସ୍ଥାନାନ୍ତର
  • ||
  • ୟୁକ୍ରେନ୍ ଜପୋରିଝିଆରେ ରୁଷିଆର ବୋମାମାଡ଼, ବ୍ୟାପକ କ୍ଷତି ସୂଚନା, ୧୩ ମୃତ, ୩୦ରୁ ଅଧିକ ଆହତ
  • ||
  • ଆଜି ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରବାସୀ ଭାରତୀୟ ଦିବସର ଉଦ୍‌ଯାପନୀ ସମାରୋହରେ ଯୋଗ ଦେବେ
  • ||
  • ରବିବାରଠୁ କମିବ ଶୀତ, ଆହୁରି ୨ରୁ ୪ ଡିଗ୍ରୀ ବଢ଼ିବ ରାତି ତାପମାତ୍ରା: ୨ ଜିଲ୍ଲାକୁ କୁହୁଡ଼ି ନେଇ ଆଲର୍ଟ
  • ||

୧୨ରେ ଚମ୍ପିଆନ୍ସ ଟ୍ରଫି ଟିମ୍ ଚୟନ; ବୁମରା ସ୍ଥାନ ପାଇବେ ଖେଳିବା ସନ୍ଦେହ, ଫେରିବେ ସାମି-କୁଳଦୀପ

Published By : Ankita S | January 8, 2025 9:44 AM

ମୁମ୍ବାଇ,୦୮/୦୧ : ଆସନ୍ତା ୨୨ ତାରିଖରୁ ଭାରତ ଓ ଇଂଲଣ୍ଡ ମଧ୍ୟରେ ସୀମିତ ଓଭର କ୍ରିକେଟ୍‌ ସିରିଜ ଆରମ୍ଭ ହେବ । ଏହି ସିରିଜ ବଳରେ ଭାରତ ଆଗାମୀ ଆଇସିସି ଚାମ୍ପିଅନସିପ୍‌ ପାଇଁ ପ୍ରସ୍ତୁତି କରିବ । ଫେବ୍ର୍ରୁଆରୀ ୧୯ରୁ ଚାମ୍ପିଅନ୍ସ ଟ୍ରଫି ଆରମ୍ଭ ହେଉଥିଲେ ହେଁ ଚଳିତ ମାସ ୧୨ ତାରିଖ ସୁଦ୍ଧା ଚୂଡ଼ାନ୍ତ ଦଳର ତାଲିକା ପ୍ରଦାନ କରିବା ପାଇଁ ଆଇସିସି ନିର୍ଦ୍ଦେଶ ଦେଇଛି । ଉଭୟ ଇଂଲଣ୍ଡ ବିପକ୍ଷ ସିରିଜ ଓ ଚାମ୍ପିଅନ୍ସ ଟ୍ରଫି ପାଇଁ ୧୨ ତାରିଖରେ ଦଳ ଘୋଷଣା ହେବ । ଅଜିତ ଅଗରକରଙ୍କ ଚୟନ କମିଟି ପାଇଁ ଦିନିକିଆ ଦଳ ପ୍ରସ୍ତୁତ କରିବା ଏତେ ସହଜ ନୁହେଁ । ପାଖାପାଖି ୩୦ଜଣ ଖେଳାଳି ଦଳରେ ସ୍ଥାନ ପାଇବାକୁ ଆଶାବାଦୀ ରହିଛନ୍ତି ।  

ଚାମ୍ପିଅନ୍ସ ଟ୍ରଫିରେ ବୁମରା ଖେଳିବା ନେଇ ଆଶଙ୍କା 

ସିଡନୀରେ ଅନୁଷ୍ଠିତ ବର୍ଡର-ଗାଭାସ୍କର ଟ୍ରଫିର ଅନ୍ତିମ ଟେଷ୍ଟରେ ଯଶପ୍ରୀତ ବୁମରା ଆହତ ହୋଇଥିଲେ । ବୋଲିଂ ବେଳେ ସେ ପିଠିରେ ଯନ୍ତ୍ରଣା ଅନୁଭବ କରିଥିଲେ । ଏହି ସମସ୍ୟା କେତେ ଗୁରୁତର, ତାହା ବିସିସିଆଇ ପ୍ରକାଶ କରିନାହିଁ । କିନ୍ତୁ ବୁମରା ଇଂଲଣ୍ଡ ବିପକ୍ଷ ବିପକ୍ଷ ସମ୍ପୂର୍ଣ୍ଣ ସୀମିତ ଓଭର ସିରିଜରୁ ବାଦ ପଡ଼ିବେ । ଭାରତ ଗସ୍ତରେ ଇଂଲଣ୍ଡ ୫ଟି-ଟ୍ୱେଣ୍ଟି ଓ ୩ଟି ଦିନିକିଆ ଖେଳିବାର କାର୍ଯ୍ୟକ୍ରମ ରହିଛି । ସେମିତି ବି ବୁମରାଙ୍କୁ ଏହି ସିରିଜରୁ ବିଶ୍ରାମ ଦେବାର ଯୋଜନା ହୋଇଥିଲା । ବର୍ଡରଗାଭାସ୍କର ଟ୍ରଫିରେ ଆହତ ହେବା ପୂର୍ବରୁ ସେ ମୋଟ୍‌ ୧୫୨.୧ ଓଭର ବୋଲିଂ କରିସାରିଥିଲେ । ଚାମ୍ପିଅନ୍ସ ଟ୍ରଫି ବେଳକୁ ମଧ୍ୟ ବୁମରା ଫିଟ୍‌ ହେବାର ସମ୍ଭାବନା ନଥିବା କିଛି ଗଣମାଧ୍ୟମରେ ପ୍ରକାଶ ପାଇଛି । ମାସେ ପୂର୍ବରୁ ଚାମ୍ପିଅନ୍ସ ଟ୍ରଫି ପାଇଁ ଦଳ ଘୋଷଣା କରାଯିବ । ତେଣୁ ବୁମରାଙ୍କୁ ଦଳରେ ସ୍ଥାନ ମିଳିବ । ଜାତୀୟ କ୍ରିକେଟ୍‌ ଏକାଡେମୀ ଫିଟ୍‌ନେସ୍‌ ପ୍ରମାଣ ପତ୍ର ଦେବା ପରେ ବୁମରା ଖେଳିପାରିବେ ।  

ଫେରିବେ ସାମି, କୁଲଦୀପ 

ଆହତ ଓ ଅସ୍ତ୍ରୋପଚାର ପରେ ଫିଟ୍‌ ହୋଇ ଅଭ୍ୟାସ ଆରମ୍ଭ କରିଥିବା ଭାରତୀୟ ଦଳର ଦୁଇ ପ୍ରମୁଖ ବୋଲର ମହମ୍ମଦ ସାମି ଓ କୁଲଦୀପ ଯାଦବ ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜ ଜରିଆରେ ପ୍ରତ୍ୟାବର୍ତ୍ତନ କରିବାର ସମ୍ଭାବନା ରହିଛି । ସାମି ଗତ ଦିନିକିଆ ବିଶ୍ୱକପ୍‌ ପରଠୁ କୌଣସି ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳି ନାହାନ୍ତି । ଅସ୍ତ୍ରୋପଚାର ପରେ ସେ ଫିଟ୍‌ ହୋଇ ରଣଜୀ ଟ୍ରଫିର ଗୋଟିଏ ମ୍ୟାଚ୍‌ ଓ ସୟଦ ମୁସ୍ତାକ ଅଲି ଟି-ଟ୍ୱେଣ୍ଟି ଟୁର୍ଣ୍ଣାମେଣ୍ଟର ୯ଟି ମ୍ୟାଚ୍‌ ଖେଳିଥିଲେ । ତାଙ୍କ ବାମ ଆଣ୍ଠୁରେ ସାମାନ୍ୟ ଫୁଲା ରହୁଥିବାରୁ ସାମିଙ୍କୁ ବର୍ଡର-ଗାଭାସ୍କର ଟ୍ରଫି ପାଇଁ ଅଷ୍ଟ୍ରେଲିଆ ଡ଼ାକରା ମିଳି ନଥିବା ତୃତୀୟ ଟେଷ୍ଟ ପରେ ରୋହିତ ଶର୍ମା ପ୍ରକାଶ କରିଥିଲେ । ସେହିପରି କୁଲଦୀପଙ୍କୁ ଗତ ସେପ୍ଟେମ୍ବରରେ ଅନୁଷ୍ଠିତ ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜ ପୂର୍ବରୁ ଅସ୍ତ୍ରୋପଚାର ପାଇଁ ପଠାଇ ଦିଆଯାଇଥିଲା । ବର୍ତ୍ତମାନ ସେ ଫିଟ୍‌ ହୋଇ ଅଭ୍ୟାସ ଚଳାଇଛନ୍ତି । ଇଂଲଣ୍ଡ ବିପକ୍ଷ ଟି-ଟ୍ୱେଣ୍ଟି ସିରିଜ ଜରିଆରେ ସେ ପ୍ରତ୍ୟାବର୍ତ୍ତନ କରିବାର ଯଥେଷ୍ଟ ସମ୍ଭାବନା ରହିଛି ।  

ଜୈସ୍ୱାଲ୍‌ ତୃତୀୟ ଓପନର 

ବର୍ଡର-ଗାଭାସ୍କର ଟ୍ରଫିରେ ସଫଳତା ପରେ ଯଶସ୍ୱୀ ଜୈସ୍ୱାଲଙ୍କୁ ଦିନିକିଆ ଦଳକୁ ଡ଼ାକରା ମିଳିବାର ସମ୍ଭାବନା ରହିଛି । ମାତ୍ର ସେ ଦଳର ପ୍ରଥମ ପସନ୍ଦ ଓପନର ହେବେ ନାହିଁ । ତାଙ୍କୁ ଅତିରିକ୍ତ ଓପନର ଭାବେ ଦଳରେ ସାମିଲ କରାଯାଇପାରେ । କାରଣ ରୋହିତ ଶର୍ମା ଓ ଶୁଭମନ ଗିଲ୍‌ ଓପନର ଭାବେ ଖେଳିବେ । ସମ୍ପ୍ରତି ଘରୋଇ କ୍ରିକେଟ୍‌ରେ ରାଜୁତି ଚଳାଇଥିବା ଶ୍ରେୟାସ ଆୟର ଦିନିକିଆ ଦଳକୁ ପ୍ରତ୍ୟାବର୍ତ୍ତନ କରିବେ ଓ ୪ନଂ ସ୍ଥାନରେ ଖେଳିବେ । ବ୍ୟାଟିଂ କ୍ରମର ୩ନଂ ସ୍ଥାନ ବିରାଟ କୋହଲିଙ୍କ ପାଇଁ ସୁରକ୍ଷିତ ରହିଛି । କେଏଲ ରାହୁଲ ଓ ରିଷଭ ପନ୍ତଙ୍କୁ ୱିକେଟ୍‌ କିପର ଭାବେ ଚୟନ କରାଯିବାର ଯଥେଷ୍ଟ ସମ୍ଭାବନା ରହିଥିବାରୁ ସଞ୍ଜୁ ସାମସନଙ୍କୁ କେବଳ ଟି-ଟ୍ୱେଣ୍ଟି ଦଳରେ ସ୍ଥାନ ମିଳିବ ।  

ସ୍ପିନରଙ୍କ ମଧ୍ୟରେ ହେବ ଲଢ଼େଇ 

ସ୍ପିନର ସ୍ଥାନ ରବିନ୍ଦ୍ର ଜାଡେଜା, ଅକ୍ଷର ପଟେଲ, କୁଲଦୀପ ଓ ୱାସିଂଟନ ସୁନ୍ଦରଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେବ । ଅନ୍ୟ ଆଶାୟୀ ସ୍ପିନର ବରୁଣ ଚକ୍ରବର୍ତ୍ତୀ ଓ ରବି ବିଷ୍ଣୋଇ କେବଳ ଟି-ଟ୍ୱେଣ୍ଟି ଦଳରେ ସ୍ଥାନ ପାଇବେ । ଗତ ଦିନିକିଆ ବିଶ୍ୱକପ୍‌ ସମୟରେ ଆହତ ହୋଇଥିବା ହାର୍ଦ୍ଦିକ ପାଣ୍ଡ୍ୟା ଦିନିକିଆ ଦଳକୁ ପ୍ରତ୍ୟାବର୍ତ୍ତନ କରିବା ନିଶ୍ଚିତ । ଫଳରେ ଅଷ୍ଟ୍ରେଲିଆରେ ଚମତ୍କାର ପ୍ରଦର୍ଶନ ସତ୍ତେ୍ୱ ନୀତିଶଙ୍କୁ ଦିନିକିଆ ଦଳରେ ସ୍ଥାନ ମିଳି ପାରିବ ନାହିଁ । ଅବଶ୍ୟ ସେ ଟି-ଟ୍ୱେଣ୍ଟି ଦଳରେ ସ୍ଥାନ ହାସଲ କରିବେ । ପେସ୍‌ ବୋଲର ମହମ୍ମଦ ସିରାଜଙ୍କୁ ଟିଟ୍ୱେଣ୍ଟି ସିରିଜରୁ ବିଶ୍ରାମ ଦିଆଯିବ । ମାତ୍ର ସେ ଉଭୟ ଦିନିକିଆ ସିରିଜ ଓ ଚାମ୍ପିଅନ୍ସ ଟ୍ରଫି ଦଳରେ ସ୍ଥାନ ବଜାୟ ରଖିବେ । ବାମ ହାତି ପେସ୍‌ ବୋଲର ଅର୍ଶଦୀପ ସିଂହ ସମସ୍ତ ସିରିଜ ପାଇଁ ଦଳରେ ସ୍ଥାନ ହାସଲ କରିବାର ସମ୍ଭାବନା ରହିଛି ।





  • prameyanews
  • PrameyaOdia
  • prameya
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.