ନୂଆଦିଲ୍ଲୀ: ଦୁଇ ସପ୍ତାହ ପରେ ଆଇସିସି ଟେଷ୍ଟ ରାଙ୍କିଙ୍ଗର ଶୀର୍ଷ ୧୦ ବ୍ୟାଟର ତାଲିକାକୁ ଫେରିଛନ୍ତି ଭାରତୀୟ ୱିକେଟ୍ କିପର ବ୍ୟାଟର ଋଷଭ ପନ୍ତ । ଅଷ୍ଟ୍ରେଲିଆ ବିପକ୍ଷ ସିଡନୀ ଟେଷ୍ଟରେ ୩୩ ବଲ୍ରୁ ୬୧ ରନ୍ କରିଥିବାରୁ ପନ୍ତଙ୍କୁ ଆଇସିସି ରାଙ୍କିଙ୍ଗରେ ଫାଇଦା ମିଳିଛି । ସେ ୭୩୯ ରେଟିଂ ପଏଣ୍ଟ ସହ ନବମ ସ୍ଥାନ ଅଧିକାର କରିଛନ୍ତି । ସେପଟେ ସିଡନୀ ଟେଷ୍ଟରେ ମ୍ୟାନ୍ ଅଫ ଦି ମ୍ୟାଚ୍ ହୋଇଥିବା ଅଷ୍ଟ୍ରେଲିଆର ବୋଲର ସ୍କଟ ବୋଲାଣ୍ଡ ୨୯ଟି ସ୍ଥାନ ଉପରକୁ ଉଠି ନବମ ସ୍ଥାନରେ ପହଞ୍ଚିଛନ୍ତି । ଭାରତୀୟ ବୋଲର ରବୀନ୍ଦ୍ର ଜାଡେଜାଙ୍କ ସହ ସେ ଯୁଗ୍ମ ଭାବରେ ଏହି ସ୍ଥାନରେ ରହିଛନ୍ତି ।
ଅଷ୍ଟ୍ରେଲିଆ ବିପକ୍ଷ ସିଡନୀ ଟେଷ୍ଟର ଦ୍ୱିତୀୟ ଇନିଂସରେ ଋଷଭ ପନ୍ତ ଚମତ୍କାର ବ୍ୟାଟିଂ କରିଥିଲେ । ବାସ୍ତବରେ ଅଷ୍ଟ୍ରେଲିଆ ବିପକ୍ଷରେ କ୍ରମାଗତ ଖରାପ ପ୍ରଦର୍ଶନ ପରେ ଋଷଭ ପନ୍ତ ଟପ୍ -୧୦ ବାହାରେ ରହିଥିଲେ । ସିଡନୀ ଟେଷ୍ଟ ପରେ ସେ ଶୀର୍ଷ ୧୦କୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଅନ୍ୟ ଭାରତୀୟ ଖେଳାଳିଙ୍କ ବିଷୟରେ କହିବାକୁ ଗଲେ ଦ୍ରୁତ ବୋଲର ଜସପ୍ରୀତ ବୁମରା ତାଙ୍କ ଟେଷ୍ଟ କ୍ୟାରିୟରର ସର୍ବୋତ୍ତମ ରେଟିଂ ହାସଲ କରିଛନ୍ତି। ୯୦୮ ରେଟିଂ ପଏଣ୍ଟ ସହ ଜସପ୍ରୀତ ବୁମରା ଶୀର୍ଷ ବୋଲରର ମାନ୍ୟତା ପାଇଛନ୍ତି । ସେହିଭଳି ଅଷ୍ଟ୍ରେଲିଆ ଦଳର ଅଧିନାୟକ ପାଟ କମିନ୍ସ ଦ୍ବିତୀୟ ସ୍ଥାନରେ ଥିବା ବେଳେ ଦକ୍ଷିଣ ଆଫ୍ରିକାର କାଗିସୋ ରାବାଡା ତୃତୀୟ ସ୍ଥାନରେ ରହିଛନ୍ତି ।
ଆଇସିସି ରାଙ୍କିଙ୍ଗର ଟପ୍- ୫ ବ୍ୟାଟର ତାଲିକାରେ କୌଣସି ପରିବର୍ତ୍ତନ ହୋଇନାହିଁ । ଇଂଲଣ୍ଡର ଜୋ ରୁଟ ଶୀର୍ଷରେ ରହିଛନ୍ତି । ଇଂଲଣ୍ଡର ହ୍ୟାରି ବ୍ରୁକ୍ ୮୭୬ ରେଟିଂ ପଏଣ୍ଟ ସହିତ ଦ୍ୱିତୀୟ ସ୍ଥାନରେ ଅଛନ୍ତି । ନ୍ୟୁଜିଲ୍ୟାଣ୍ଡର କେନ୍ ୱିଲିୟମ୍ସନ୍ ୮୬୭ ରେଟିଂ ସହିତ ୩ ନମ୍ବରରେ ଅଛନ୍ତି । ଭାରତର ଯଶସ୍ବୀ ଜୟସ୍ବାଲ ୮୪୭ ରେଟିଂ ସହ ୪ ନମ୍ବରରେ ରହିଛନ୍ତି । ଭାରତ ବିପକ୍ଷରେ ବର୍ଡ଼ର-ଗାଭାସ୍କର ଟ୍ରଫିରେ ଧମାଲ କରିଥିବା ଟ୍ରାଭିସ୍ ହେଡ୍ ୭୭୨ ରେଟିଂ ପଏଣ୍ଟ ସହ ପଞ୍ଚମ ସ୍ଥାନରେ ଅଛନ୍ତି । ଟେମ୍ବା ବାଭୁମା ୭୬୯ ରେଟିଂ ସହିତ ୬ ନମ୍ବରରେ ପହଞ୍ଚିଛନ୍ତି। ଏହାପୂର୍ବରୁ ସେ ୯ତମ ସ୍ଥାନରେ ରହିଥିଲେ। ଶ୍ରୀଲଙ୍କାର କାମେନ୍ଦୁ ମେଣ୍ଡିସ୍ ୭୫୯ ରେଟିଂ ସହ ୭ନମ୍ବରରେ ପହଞ୍ଚିଛନ୍ତି । ହେଲେ ଷ୍ଟିଭ ସ୍ମିଥ ଗୋଟିଏ ସ୍ଥାନ ହରାଇଛନ୍ତି ।