ନମୌଜା,୨୪/୭ : କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ ଗୋବିନ୍ଦପୁରଠାରୁ କୁସୁମୀ ପର୍ଯ୍ୟନ୍ତ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ କାର୍ଯ୍ୟ ଦୀର୍ଘ ଦିନ ଚାଲୁ ରହିବା ଫଳରେ ସମ୍ପୂର୍ଣ୍ଣ ହେବାକୁ ବିଳମ୍ବ ହେଉଛି l ଏହାକୁ ନେଇ ଆଜି ଗାଁର ଲୋକେ ଓ ଯୁବକମାନେ ଏକାଠି ହୋଇ ଏହି ରାସ୍ତାର କାର୍ଯ୍ୟ ନିମ୍ନମାନର ହେଉଥିବା ନେଇ ଅଭିଯୋଗ ଆଣିଥିଲେ l ପରେ ପରେ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବା ପାଇଁ କାର୍ଯ୍ୟଟିକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରି ଦେଇଥିବା ସୂଚନା ମିଳିଛି l
ପ୍ରକାଶ ଯେ, ଆଳି ବ୍ଲକ ଧୋୟା ଅଞ୍ଚଳର ପ୍ରମୁଖ ଅଞ୍ଚଳମାନଙ୍କୁ ସଂଯୋଗ କରୁଥିବା ଗୋବିନ୍ଦପୁରଠାରୁ ଭାୟା ଗଣେଶ୍ୱରପୁର, ମଦନଗିରି ଦେଇ କୁସୁମୀ ପର୍ଯ୍ୟନ୍ତ ସାଢ଼େ ୮ କିମି ରାସ୍ତା ଦୀର୍ଘ ଦିନ ହେବ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ନିର୍ମାଣଧୀନ ହୋଇ ପଡ଼ି ରହିଛି l ୨୦୨୧ରେ ନିର୍ମାଣ ଆରମ୍ଭ ହୋଇଥିବା ଏହି କାର୍ଯ୍ୟର ଅବଧି ୨୦୨୨ମସିହାରେ ସରିଯାଇଥିଲେ ମଧ୍ୟ ଆଜି ଯାଏଁ ରାସ୍ତା କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇପାରିଲା ନାହିଁ l ସରକାର ଏହି ରାସ୍ତା ନିର୍ମାଣ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବାବେଳେ ଠିକାଦାର ଓ ଯନ୍ତ୍ରୀଙ୍କ ମଧୁ ଚନ୍ଦ୍ରିକାରେ ଏହି ଟଙ୍କା ଆତ୍ମସାତ ହେଉଥିବା ସାଧାରଣ ଲୋକେ ଅଭିଯୋଗ ଆଣିଛନ୍ତି l ଠିକାଦାର ଚତୁରତାର ସହ ରାସ୍ତା ହେଉଥିବା ଉକ୍ତ ଅଞ୍ଚଳରେ ଚଞ୍ଚକତା ଦେଖାଇ ତରବରିଆ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ l
ଏହି କାର୍ଯ୍ୟ ଆରମ୍ଭରୁ ସ୍ଥାନୀୟ ଲୋକେ ଏହାକୁ ବିରୋଧ କରିଥିଲେ ମଧ୍ୟ ଠିକାଦାର ମନମୁଖୀ ଭାବେ କାର୍ଯ୍ୟ କରି ଆସୁଥିଲେ l ଯାହାକୁ ଆଜି ଗ୍ରାମବାସୀମାନେ ଏକାଠି ହେଉଥିବା ନିମ୍ନମାନର କାର୍ଯ୍ୟକୁ ବନ୍ଦ କରି ଦେଇଥିବା ଦେଖିବାକୁ ମିଳିଛି l ରାସ୍ତାର କେଉଁଠି ପତଳା ଭାଗରେ ଛିଞ୍ଛା ହୋଇ ପିଚୁ ବସିଛି ତ କେଉଁଠି ରାସ୍ତାରୁ ପିଚୁ ଫଡା ଫଡା ହେଇ ବାହାରି ଯାଉଛି l ପୁଣି କେଉଁଠି ଏକ ଇଞ୍ଚରୁ କମ୍ ପତଳା ପିଚୁରେ ରାସ୍ତା ନିର୍ମାଣ ହୋଇଛି l ଯେଉଁଠି ରାସ୍ତା ନିର୍ମାଣର ଗୋଟିଏ ଦିନ ଭିତରେ ଏପରି ଅବସ୍ଥା ତେବେ ସେଠାରେ ଏହି ରାସ୍ତା କେତେ ଦିନ ରହିବ l ଯାହାର ସ୍ଥାୟିତ୍ୱକୁ ନେଇ ଅଞ୍ଚଳବାସୀ ଅଭୟ ଜେନା, ବିଜୟ ଦାସ, ତୀର୍ଥବାସ ଦାସ, ପ୍ରଶାନ୍ତ ଦାସ, ତପନ ଦାସ, ସର୍ବେଶ୍ୱର ପରିଡ଼ା, ଆନନ୍ଦ ବେହେରା, ଉମେଶ ବେହେରା, ପରେଶ ବେହେରା, ଅରୁଣ କୁମାର ବେହେରା, ତପନ କୁମାର ଦାସମାନେ ପ୍ରଶ୍ନ କରିଛନ୍ତି l
ଯେ ପର୍ଯ୍ୟନ୍ତ ଗ୍ରାମ୍ୟ ଉନ୍ନୟନ ବିଭାଗର ଉଚ୍ଚ ପଦସ୍ଥ ଅଧିକାରୀ ତଥା ପ୍ରଶାସନ ଏ ଦିଗରେ ଧ୍ୟାନ ଦେଇ ଘଟଣାସ୍ଥଳକୁ ଆସି କାର୍ଯ୍ୟ ତଦାରଖ ନ କରେ ସେ ପର୍ଯ୍ୟନ୍ତ ଗ୍ରାମବାସୀମାନେ ରାସ୍ତା କାର୍ଯ୍ୟକୁ ବନ୍ଦ କରିବେ ବୋଲି କହିଛନ୍ତି l ଏ ନେଇ ଗ୍ରାମ୍ୟ ଉନ୍ନୟନ ଉପ ବିଭାଗୀୟ ଅଧିକାରୀ ସୁବାଷ ଦାସଙ୍କୁ ପଚାରିବାରୁ ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ସେ ଉକ୍ତ ଘଟଣାସ୍ଥଳକୁ ଯାଇ ସରଜମୀନ ତଦନ୍ତ କଲା ପରେ ଯଦି ନିମ୍ନ ମାନର କାର୍ଯ୍ୟ ହୋଇଥାଏ ତେବେ ସେ ସମ୍ପୃକ୍ତ ଠିକାଦାରଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ସହ ରାସ୍ତା କାର୍ଯ୍ୟ ସଠିକ ଢଙ୍ଗରେ ହେବା ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବେ l