ଜଗତସିଂହପୁର, ୨୫/୦୭: ଗଣଦୁଷ୍କର୍ମ ମାମଲାର ତଥ୍ୟ ପ୍ରମାଣ ଯୋଗାଡ଼ ଅଭିଯାନକୁ ବଳବତ୍ତର ରଖି ଜଗତସିଂହପୁର ପୁଲିସ ଏବେ ଡିଏନ୍ଏ ପରୀକ୍ଷା ଦିଗକୁ ମୁହାଁଇଛି । ଇତିମଧ୍ୟରେ ପୁଲିସ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଉଭୟ ପୀଡ଼ିତା ଓ ଅଭିଯୁକ୍ତ ଜଗତସିଂହପୁର ବ୍ଲକ କୋଦଳ ପଳସା ଅଞ୍ଚଳର ଚିକୁ ଓରଫ ପ୍ରୀତି ରଞ୍ଜନ ବେହେରା(୨୩)ଙ୍କ ଠାରୁ ନମୁନା ସଂଗ୍ରହ କରି ସାରିଥିବା ନିର୍ଭରଯୋଗ୍ୟ ସୂତ୍ରରୁ ଜଣାପଡ଼ିଛି ।
ଅପରପକ୍ଷେ ପୁଲିସ ଦୁଷ୍କର୍ମ ସ୍ଥଳରୁ ବ୍ୟବହୃତ କଣ୍ଡୋମ୍ ସହ ରକ୍ତ ଛିଟା ସଂଗ୍ରହ କରିଥିଲେ । ତେବେ ପ୍ରୀତି ରଞ୍ଜନଙ୍କ ନମୁନା କେବଳ ସଂଗ୍ରହ ହୋଇଥିବାରୁ ଧୀରେ ଧୀରେ ଏହା ଗଣଦୁଷ୍କର୍ମ ନୁହେଁ, ଦୁଷ୍କର୍ମ ବୋଲି ସନ୍ଦେହ ଦୃଢୀଭୂତ ହେଲାଣି । ଟିଆଇ ପରେଡ୍ ପରେ ସଂଗୃହୀତ ନମୁନାକୁ ଡିଏନ୍ଏ ପରୀକ୍ଷା ନିମନ୍ତେ ପୁଲିସ ପଠାଇବା ଲକ୍ଷ୍ୟରେ ରହିଛି । ବର୍ତ୍ତମାନ ସମୟରେ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି ପୀଡ଼ିତା । ଦିନକୁ ଦିନ ଏହି ମାମଲା ପୁଲିସ ପାଇଁ ଜଟିଳ ହେଉଛି । ପ୍ରଥମତଃ ପୀଡ଼ିତା ଅଭିଯୁକ୍ତଙ୍କୁ ଚିହ୍ନି ନଥିବା ପୁଲିସକୁ ଜଣାଇ ସାରିଛନ୍ତି । ତା’ଛଡ଼ା ବିଲ ବାଟେ ଦୁଇ ଜଣ ଯୁବକ ଆସିଥିଲେ ସୁଦ୍ଧା ଜଣେ ଦୁଷ୍କର୍ମ କରିଥିବା ସୂଚନା ଦେଇ ସାରିଛନ୍ତି। କିନ୍ତୁ ଦୁଇ ଜଣ ଯୁବକଙ୍କ ଭିତରୁ କିଏ ପ୍ରକୃତ ଦୁଷ୍କର୍ମକାରୀ ସେଥିନେଇ ପୁଲିସ ଡିଏନ୍ଏ ପରୀକ୍ଷାକୁ ଗୁରୁତ୍ୱ ଦେବାକୁ ବାଧ୍ୟ ହୋଇଛି ।
ଅପରପକ୍ଷେ ଘଟଣାସ୍ଥଳରେ ଜଣେ ନାବାଳିକାଙ୍କ ନାମ ଚର୍ଚ୍ଚାର ପରିଧିକୁ ଆସିଛି । ଆଗକୁ ସଂପୃକ୍ତା ନାବାଳିକାଙ୍କୁ ପୁଲିସ ତଦନ୍ତ ପରିଧିକୁ ଟାଣିଲେ ପଞ୍ଜିକୃତ ଗଣବଳାତ୍କାର ମାମଲାର ମୋଡ଼ ବଦଳିବା ସନ୍ଦେହ ପ୍ରକାଶ ପାଇଛି । ତଥାପି ପୁଲିସ ଗିରଫ ଦୁଇ ଅଭିଯୁକ୍ତଙ୍କ ଠାରୁ କିଛି କିଛି ସୁରାକ୍ ସଂଗ୍ରହ କରିଛି । ବିଶେଷକରି ନୂଆପୋଲ ବଜାରର ଏକ ଦୋକାନରୁ କଣ୍ଡୋମ୍ କ୍ରୟ ହୋଇଥିବା ତଥ୍ୟ ପୁଲିସ ପାଇଛି । ତେବେ ପ୍ରମାଣ ଯେତେ ଯୋଗାଡ଼ କଲେ ସୁଦ୍ଧା ପୁଲିସ ଘଟଣାଟିକୁ ଗଣଦୁଷ୍କର୍ମର ରୂପ ଦେବା ନିମନ୍ତେ କାଗଜପତ୍ର ପ୍ରସ୍ତୁତ କରିବାରେ ନାକେଦମ୍ ହେବ ବୋଲି ସାଧାରଣରେ ଆଲୋଚନା ଚାଲିଲାଣି ।
ସୂଚନା ଥାଉ କି, ମାମଲାରେ ଜଗତସିଂହପୁର ପୁଲିସ ଚିକୁ ଓରଫ ପ୍ରୀତି ରଞ୍ଜନ ବେହେରା ଓ କାର୍ତ୍ତିକ ମାଝୀ(୨୧) ଦୁହିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିସାରିଛି ।