ନୂଆଦିଲ୍ଲୀ: ଆଇପିଏଲ ଚାମ୍ପିଅନ୍ ଆରସିବିର ଦ୍ରୁତ ବୋଲର ୟଶ ଦୟାଲଙ୍କ ଅଡ଼ୁଆ ବଢ଼ିଲା । ତାଙ୍କ ନାଁରେ ପକ୍ସୋ ଆଇନ ଅନୁଯାୟୀ ମାମଲା ରୁଜୁ ହୋଇଛି । ଯୁବତୀ ଜଣଙ୍କ ଅଭିଯୋଗ କରିଛନ୍ତି ଯେ, ୟଶ ଦୟାଲ ତାଙ୍କୁ କ୍ରିକେଟରେ କ୍ୟାରିୟରର ପ୍ରଲୋଭନ ଦେଖାଇ ଏବଂ ବ୍ଲାକମେଲିଂ କରି ଦୁଇ ବର୍ଷ ଧରି ଦୁଷ୍କର୍ମ କରିଥିଲେ। ସେ ଜୟପୁରର ସାଙ୍ଗାନେର ସଦର ପୋଲିସ ଷ୍ଟେସନରେ ଦୟାଲଙ୍କ ବିରୋଧରେ ଅଭିଯୋଗ କରିଥିଲେ । ଏହାକୁ ନେଇ ପୁଲିସ ଦୟାଲଙ୍କ ବିରୋଧରେ ଏକ ମାମଲା ରୁଜୁ କରିଛି ।
ପୂର୍ବରୁ ଉତ୍ତର ପ୍ରଦେଶ ଗାଜିଆବାଦର ଜଣେ ଯୁବତୀ ମଧ୍ୟ ୟଶ ଦୟାଲଙ୍କ ବିରୋଧରେ ଦୁଷ୍କର୍ମା ଅଭିଯୋଗ ଆଣିଥିଲା । ୟଶ ଦୟାଲ ବିବାହର ପ୍ରଲୋଭନ ଦେଖାଇ ତାଙ୍କୁ ଦୁଷ୍କର୍ମ କରିଥିବା ସେ ଅଭିଯୋଗ କରିଥିଲେ । ଏହି ମାମଲାରେ ୟଶଙ୍କୁ ଆଲ୍ଲାହାବାଦ ହାଇକୋର୍ଟରୁ ଆଶ୍ୱସ୍ତି ମିଳିଛି। ସଦ୍ୟତମ ମାମଲାରେ, ସାଙ୍ଗାନେର ସଦର ଏସଏଚଓ ଅନିଲ ଜୟମନ କହିଛନ୍ତି ଯେ, ଜୟପୁରର ଝିଅ କ୍ରିକେଟ ଖେଳୁଥିବା ସମୟରେ ୟଶ ଦୟାଲଙ୍କ ସଂସ୍ପର୍ଶରେ ଆସିଥିଲେ। ସେ ଅଭିଯୋଗ କରିଛନ୍ତି ଯେ, ପ୍ରାୟ ୨ ବର୍ଷ ପୂର୍ବେ ଯେତେବେଳେ ସେ ନାବାଳିକା ଥିଲେ, ଦୟାଲ ତାଙ୍କୁ କ୍ରିକେଟରେ କ୍ୟାରିୟର କରାଇଦେବାର ପ୍ରଲୋଭନ ଦେଖାଇ ଦୁଷ୍କର୍ମ କରିଥିଲେ ।
ଏସଏଚଓ ଅନିଲ ଜୟମନ କହିଛନ୍ତି ଯେ, ରିପୋର୍ଟ ଅନୁଯାୟୀ ଆଇପିଏଲ-୨୦୨୫ ମ୍ୟାଚ୍ ସମୟରେ ଜୟପୁର ଆସିଥିବା ୟଶ ଦୟାଲ ତାଙ୍କୁ ସୀତାପୁରାର ଏକ ହୋଟେଲକୁ ଡାକି ତାଙ୍କ ସହ ଦୁଷ୍କର୍ମ କରିଥିଲେ । ବ୍ଲାକମେଲ୍ ଏବଂ ନିରନ୍ତର ଶୋଷଣର ଶିକାର ହେବା ପରେ ପୀଡିତା ୨୩ ଜୁଲାଇରେ ସାଙ୍ଗାନେର ସଦର ଥାନାରେ ଅଭିଯୋଗ କରିଥିଲେ। ୧୭ ବର୍ଷ ବୟସର ନାବାଳିକା ଥିବା ସମୟରେ ପ୍ରଥମ ଥର ପାଇଁ ଦୁଷ୍କର୍ମର ଶିକାର ହୋଇଥିଲେ। ଏପରି ପରିସ୍ଥିତିରେ, ପୋଲିସ ପକ୍ସୋ ଆଇନ ଅନୁଯାୟୀ ୟଶ ଦୟାଲଙ୍କ ବିରୋଧରେ ମାମଲା ରୁଜୁ କରିଛି।