ନୂଆଦିଲ୍ଲୀ: ଶୁକ୍ରବାର ବିହାରର ନିର୍ବାଚନ କମିଶନ ଘୋଷଣା କରିଛନ୍ତି ଯେ, ରାଜ୍ୟର ୯୯.୮ ପ୍ରତିଶତ ଭୋଟରଙ୍କୁ ଚଳିତ ସ୍ୱତନ୍ତ୍ର ଗଭୀର ସଂଶୋଧନ (SIR) କାର୍ଯ୍ୟରେ ସାମିଲ କରାଯାଇଛି । ମୁଖ୍ୟ ନିର୍ବାଚନ ଅଧିକାରୀ (CEO)ଙ୍କ ଅନୁଯାୟୀ, ୭.୨୩ କୋଟିରୁ ଅଧିକ ଭୋଟରଙ୍କ ଫର୍ମ ଗ୍ରହଣ କରାଯାଇଛି ଏବଂ ଡିଜିଟାଇଜେସନ୍ କରାଯାଇଛି । ସେମାନଙ୍କ ନାମ ୧ ଅଗଷ୍ଟ, ୨୦୨୫ ରେ ପ୍ରକାଶିତ ହେବ। ବୁଥ୍ ସ୍ତରୀୟ ଅଧିକାରୀ (BLO) ଙ୍କ ଠାରୁ ବାକି ଫର୍ମ ଏବଂ ରିପୋର୍ଟ ମଧ୍ୟ ସେହି ତାରିଖ ସୁଦ୍ଧା ସମାପ୍ତ ହେବାର ଆଶା କରାଯାଉଛି।
ଭୋଟର ତାଲିକା ଚୂଡାନ୍ତ କରିବାର ଏକ ଅଂଶ ଭାବରେ,୨୨ ଲକ୍ଷ ନାମ ମୃତ ଭାବରେ ଚିହ୍ନିତ ହୋଇଛି । ୭ ଲକ୍ଷ ଭୋଟର ଗୋଟିଏରୁ ଅଧିକ ସ୍ଥାନରେ ପଞ୍ଜିକୃତ ହୋଇଥିବା ଦେଖିବାକୁ ମିଳିଛି, ଏବଂ ପ୍ରାୟ ୩୫ ଲକ୍ଷ ଲୋକଙ୍କ ସନ୍ଧାନ କରାଯାଇ ପାରିନାହିଁ କିମ୍ବା ସ୍ଥାୟୀ ଭାବରେ ଅନ୍ୟ ସ୍ଥାନକୁ ସ୍ଥାନାନ୍ତରିତ ହୋଇଛନ୍ତି । ଏସବୁ ପରେ ପ୍ରାୟ ୧.୨ ଲକ୍ଷ ଫର୍ମ ଏପର୍ଯ୍ୟନ୍ତ ପ୍ରତୀକ୍ଷାରେ ରହି ଅଛି।
ତେବେ ଜୁଲାଇ ୨୦ ତାରିଖରେ, ମୃତ୍ୟୁବରଣ କରିଥିବା, ସ୍ଥାନାନ୍ତରିତ ହୋଇଥିବା କିମ୍ବା ଫର୍ମ ଦାଖଲ କରିନଥିବା ଭୋଟରଙ୍କ ଏକ ତାଲିକା ବିଜେପି, କଂଗ୍ରେସ, ଆରଜେଡି, ଜେଡି(ୟୁ), ଆପ, ସିପିଏମ ଏବଂ ଅନ୍ୟାନ୍ୟ ସମେତ ୧୨ଟି ରାଜନୈତିକ ଦଳ ସହିତ ସେୟାର କରାଯାଇଥିଲା, ଯାହାଦ୍ୱାରା ସେମାନେ ଡ୍ରାଫ୍ଟ ତାଲିକା ଚୂଡ଼ାନ୍ତ ହେବା ପୂର୍ବରୁ ଯାଞ୍ଚ କରିପାରିବେ ଏବଂ ଯେକୌଣସି ଆପତ୍ତି ଉଠାଇ ପାରିବେ।
ଏହି ବଡ଼ ଧରଣର ସଂଶୋଧନରେ ୭୭ ହଜାରରୁ ଅଧିକ ବିଏଲଓ, ପ୍ରାୟ ୩ ହଜାର ସହାୟକ ଅଧିକାରୀ ଏବଂ ସମସ୍ତ ପ୍ରମୁଖ ଦଳକୁ ପ୍ରତିନିଧିତ୍ୱ କରୁଥିବା ୧.୬ ଲକ୍ଷରୁ ଅଧିକ ବୁଥ୍ ସ୍ତରୀୟ ଏଜେଣ୍ଟ (ବିଏଲଏ)ଙ୍କ ସହାୟତାରେ କରାଯାଉଛି। ତଥାପି, ଏହି ପ୍ରକ୍ରିୟା ବିରୋଧୀ ଦଳ ଗୁଡ଼ିକ ଦ୍ୱାରା ସମାଲୋଚନାର ସମ୍ମୁଖୀନ ହୋଇଛି। କଂଗ୍ରେସ ନେତା ତଥା ସାଂସଦ ରାହୁଲ ଗାନ୍ଧୀ ଅଭିଯୋଗ କରିଛନ୍ତି ଯେ, ନିର୍ବାଚନ ହେବାକୁ ଥିବା ବିହାରରେ ସଂଶୋଧନ ପ୍ରକ୍ରିୟାରେ ଅନିୟମିତତା ହେଉଛି। ସେ କହିଛନ୍ତି,"ନିର୍ବାଚନ କମିଶନ ଭାରତର ନିର୍ବାଚନ କମିଶନ ଭାବରେ କାର୍ଯ୍ୟ କରୁନାହିଁ।
ସେପଟେ ମୁଖ୍ୟ ନିର୍ବାଚନ କମିଶନର (ସିଇସି) ଜ୍ଞାନେଶ କୁମାର ସମାଲୋଚନାର କଡ଼ା ଜବାବ ଦେଇଛନ୍ତି। ସେ କହିଛନ୍ତି,"ଆମେ କ'ଣ ଏହି ଆକ୍ରମଣ ଦ୍ୱାରା ପ୍ରଭାବିତ ହୋଇ ମୃତ,ସ୍ଥାୟୀ ଭାବରେ ସ୍ଥାନାନ୍ତରିତ, ଦୁଇ କିମ୍ବା ତା ଠାରୁ ଧିକ ସ୍ଥାନରେ ନାମ ଲେଖାଇଥିବା କିମ୍ବା ଅବୈଧ ବିଦେଶୀ ପ୍ରବାସୀ ମାନଙ୍କ ନାମରେ ନକଲି ଭୋଟ ଦେବାକୁ ଅନୁମତି ଦେବା ଉଚିତ କି ? ପ୍ରଥମେ ରାଜ୍ୟରେ ଏବଂ ତା'ପରେ ସାରା ଦେଶରେ ?"