ନୂଆଦିଲ୍ଲୀ: ଏସିଆ କପ୍ ୨୦୨୫ ପାଇଁ ଉତ୍ସାହ ବଢିବାରେ ଲାଗିଛି। କାରଣ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ପ୍ରତୀକ୍ଷିତ ମ୍ୟାଚ୍ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ରେ ଖେଳାଯିବ ବୋଲି ସୂଚନା ମିଳିଛି। ଏସିଆନ୍ କ୍ରିକେଟ୍ କାଉନ୍ସିଲ (ଏସିସି)ର ସମ୍ପ୍ରତି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଯେଉଁଥିରେ ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ଉଭୟ ଦେଶ ମଧ୍ୟରେ ନିରପେକ୍ଷ ସ୍ଥାନରେ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବାକୁ ସହମତି ଜଣାଇଛି।
ତେବେ ମିଳିଥିବା ସୂଚନା ମୁତାବକ, ଦୁବାଇ ଏବଂ ଆବୁ ଧାବି ହେଉଛି ଏସିଆ କପ୍ ୨୦୨୫ ପାଇଁ ବଛାଯିବାକୁ ଥିବା ସମ୍ଭାବ୍ୟ ସ୍ଥାନ। ଏନେଇ ଏମିରେଟ୍ସ କ୍ରିକେଟ୍ ବୋର୍ଡ (ଇସିବି) ସହିତ ତିନୋଟି ଷ୍ଟାଡିୟମ ବ୍ୟବହାର ପାଇଁ ଚୁକ୍ତି ସ୍ୱାକ୍ଷରିତ ହୋଇଛି। କିନ୍ତୁ ଏହି ବହୁ ପ୍ରତିକ୍ଷିତ ମ୍ୟାଚ୍ ପାଇଁ ମାତ୍ର ଦୁଇଟି ଷ୍ଟାଡିୟମ ବ୍ୟବହାର କରାଯିବ ବୋଲି ଆଶା କରାଯାଉଛି।
ଚଳିତ ବର୍ଷର ଏସିଆ କପ ଟୁର୍ଣ୍ଣାମେଣ୍ଟ ଆସନ୍ତା ସେପ୍ଟେମ୍ବର ୫ ତାରିଖରୁ ଆରମ୍ଭ ହୋଇ ତୃତୀୟ କିମ୍ବା ଚତୁର୍ଥ ସପ୍ତାହ ପର୍ଯ୍ୟନ୍ତ ଜାରି ରହିବାର ଯୋଜନା ରହିଛି। ଭାରତ ଏବଂ ପାକିସ୍ତାନ ମଧ୍ୟରେ ପ୍ରାଥମିକ ମ୍ୟାଚ୍ ସେପ୍ଟେମ୍ବର ୭ରେ ଖେଳାଯିବ ବୋଲି ସୂଚନା ରହିଛି। ଏହା ସହିତ ସୁପର ଫୋର ପର୍ଯ୍ୟାୟରେ ଦ୍ୱିତୀୟ ମୁକାବିଲା ସେପ୍ଟେମ୍ବର ୧୪ ଓ ଫାଇନାଲ ମ୍ୟାଚ୍ ସେପ୍ଟେମ୍ବର ୨୧ ତାରିଖରେ ଅନୁଷ୍ଠିତ ହେବ ବୋଲି ଆକଳନ କରାଯାଇଛି।
ଏହି ଟୁର୍ଣ୍ଣାମେଣ୍ଟ ଟି-୨୦ ଫର୍ମାଟରେ ଖେଳାଯିବ। ଯାହା ୨୦୨୬ରେ ହେବାକୁ ଥିବା ଟି-୨୦ ବିଶ୍ୱକପ ପାଇଁ ଏକ ପ୍ରସ୍ତୁତି ଭାବେ କାମ କରିବ। ଟୁର୍ଣ୍ଣାମେଣ୍ଟରେ ମୋଟ ୬ଟି ଦଳ - ଭାରତ, ପାକିସ୍ତାନ, ଶ୍ରୀଲଙ୍କା, ବାଂଲାଦେଶ, ଆଫଗାନିସ୍ତାନ ଏବଂ ୟୁଏଇ - ଗ୍ରୁପ ପର୍ଯ୍ୟାୟ ଏବଂ ସୁପର ଫୋର ଫର୍ମାଟରେ ପ୍ରତିଦ୍ୱନ୍ଦ୍ୱିତା କରିବେ।
ସୂତ୍ର ଅନୁଯାୟୀ, ଭାରତ ଏବଂ ପାକିସ୍ତାନ ଗୋଟିଏ ଗ୍ରୁପରେ ରହିବେ। ଯାହା ଦ୍ୱାରା ଅତି କମରେ ଦୁଇଟି ମ୍ୟାଚରେ ଉଭୟ ଦଳ ମୁହାଁମୁହିଁ ହେବେ। ଯଦି ଉଭୟ ଦଳ ଫାଇନାଲରେ ପହଞ୍ଚନ୍ତି, ତେବେ ଉଭୟ ଦେଶ ମଧ୍ୟରେ ତୃତୀୟ ମୁକାବିଲା ମଧ୍ୟ ହେବାର ସମ୍ଭାବନା ରହିଛି।
ଆପଁଣଙ୍କୁ ଜଣାଇରଖୁ ଯେ, ପହାଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଏବଂ ତଦନୁସାରେ ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ହେତୁ ଏହି ଟୁର୍ଣ୍ଣାମେଣ୍ଟର ଭବିଷ୍ୟତ ଅନିଶ୍ଚିତ ଥିଲା। ତେବେ, ଏସିସିର ବୈଠକରେ ବିସିସିଆଇ ନିରପେକ୍ଷ ସ୍ଥାନରେ ଟୁର୍ନାମେଣ୍ଟ ଆୟୋଜନ କରିବାକୁ ରାଜି ହୋଇଛି। ଯାହା ଏହି ପ୍ରତିଯୋଗିତାର ପଥ ପରିଷ୍କାର କରିଛି। ବିସିସିଆଇ ଉପାଧ୍ୟକ୍ଷ ରାଜୀବ ଶୁକ୍ଲା ଏବଂ ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ଅଧ୍ୟକ୍ଷ ମୋହସିନ ନାକବି ଶୀଘ୍ର ସ୍ଥାନ ଏବଂ ସୂଚୀ ଚୂଡାନ୍ତ କରିବା ପାଇଁ ବୈଠକ କରିବେ ବୋଲି ସୂଚନା ମିଳିଛି।
ସ୍ପନସର ଏବଂ ପ୍ରସାରକଙ୍କ ସହ ଏନେଇ ବହୁ ଜଲଦି ଆଲୋଚନା ଆରମ୍ଭ ହେବ। ଯାହା ଟୁର୍ନାମେଣ୍ଟର ବ୍ୟବସାୟିକ ସଫଳତା ପାଇଁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହେବାକୁ ଯାଉଛି। କାରଣ ଭାରତୀୟ ସ୍ପନସର ଏବଂ ପ୍ରସାରକମାନେ ଏସିଆ କପରେ ବଡ଼ ଆର୍ଥିକ ସମର୍ଥନ ଯୋଗାଇଥାନ୍ତି। ଯେଉଁଥିରେ ସୋନି ପିକଚର୍ସ ନେଟୱାର୍କ୍ସ ଇଣ୍ଡିଆ (ଏସପିଏନଆଇ) ୨୦୨୪ରେ ୧୭୦ ମିଲିୟନ ଡଲାରରେ ମିଡିଆ ଅଧିକାର ହାସଲ କରିଥିଲା।
୨୦୨୩ ଏସିଆ କପରେ ଭାରତ ଶ୍ରୀଲଙ୍କାକୁ ହରାଇ ଚମ୍ପିୟନ ହୋଇଥିଲା। ଏହି ବିଜୟ ସହ ଭାରତୀୟ ଦଳ ପାଇଁ ଏହା ଅଷ୍ଟମ ଟାଇଟଲ ଥିଲା। ଗତ ଥର ଭାରତ ଏବଂ ପାକିସ୍ତାନ ମଧ୍ୟରେ ହୋଇଥିବା ମ୍ୟାଚ କଲମ୍ବୋରେ ଖେଳାଯାଇଥିଲା। ଯେଉଁଠାରେ ଭାରତ ୨୨୮ ରନରେ ବିଜୟୀ ହୋଇଥିଲା।
ଏସିଆ କପ୍ ୨୦୨୫ କ୍ରିକେଟ ପ୍ରେମୀଙ୍କ ପାଇଁ ଏକ ରୋମାଞ୍ଚକର ଆୟୋଜନ ହେବ ବୋଲି ଆଶା କରାଯାଉଛି। ଯେଉଁଥିରେ ଭାରତ-ପାକିସ୍ତାନ ମଧ୍ୟରେ ହାଇ-ଭୋଲଟେଜ ମୁକାବିଲା ପ୍ରମୁଖ ଆକର୍ଷଣ ହେବାକୁ ଯାଉଛି।