ନୂଆଦିଲ୍ଲୀ: ଇଂଲଣ୍ଡର ଷ୍ଟାର ବ୍ୟାଟର ଜୋ ରୁଟ୍ ଭାରତ ବିପକ୍ଷରେ ଚାଲିଥିବା ଚତୁର୍ଥ ଟେଷ୍ଟର ତୃତୀୟ ଦିନରେ ଏକ ଚମତ୍କାର ଶତକ ସହିତ ବଡ଼ ରେକର୍ଡର ଅଧିକାରୀ ହୋଇଛନ୍ତି । ସେ ଟେଷ୍ଟରେ ଦ୍ୱିତୀୟ ସର୍ବାଧିକ ରନ୍ ସ୍କୋରର୍ ହୋଇଛନ୍ତି । ସେ ରିକି ପଣ୍ଟିଂଙ୍କୁ ପଛରେ ପକାଇ ଏହି ଉପଲବ୍ଧି ହାସଲ କରିଛନ୍ତି । ରିକି ପଣ୍ଟିଂଙ୍କ ବ୍ୟତୀତ ସେ ରାହୁଲ ଦ୍ରାବିଡ୍ ଏବଂ ଜ୍ୟାକ କାଲିସଙ୍କୁ ବି ପଛରେ ପକାଇଛନ୍ତି । ସେ ମାଞ୍ଚେଷ୍ଟରର ଓଲ୍ଡ ଟ୍ରାଫର୍ଡ ଷ୍ଟାଡିୟମରେ ଭାରତ ବିପକ୍ଷରେ ଶତକ ହାସଲ କରିଛନ୍ତି । ୧୫୭ଟି ଟେଷ୍ଟରେ ୫୧.୦୪ ଆଭରେଜ୍ରେ ୧୩୩୮୦ ରନ୍ ସ୍କୋର କରିଛନ୍ତି। ଏହି ସମୟରେ ସେ ୩୮ ଶତକ ଏବଂ ୬୬ଟି ଅର୍ଦ୍ଧଶତକ ହାସଲ କରିଛନ୍ତି ଜୋ ରୁଟ ।
ସେପଟେ ଜୋ ରୁଟ ଆଉ ଯଦି ୨୫୪୧ ରନ୍ କରିବେ, ତେବେ ସେ ଟେଷ୍ଟ କ୍ରିକେଟରେ ଭାରତୀୟ ବ୍ୟାଟର ସଚିନ ତେନ୍ଦୁଲକରଙ୍କୁ ଟପିଯିବେ । ଏବେ ଟେଷ୍ଟ କ୍ରିକେଟରେ ସର୍ବାଧିକ ରନ୍ କରିଥିବା ବ୍ୟାଟରଙ୍କ ତାଲିକାରେ ସଚିନ ତେନ୍ଦୁଲକର ଶୀର୍ଷରେ ରହିଛନ୍ତି । ସେ ୩୨୯ ଇନିଂସରେ ୧୫୯୨୧ ରନ୍ କରିଥିଲେ। ଏହା ବ୍ୟତୀତ ରୁଟ୍ ଘରୋଇ ମାଟିରେ ସର୍ବାଧିକ ଟେଷ୍ଟ ଶତକ ମାରିଥିବା ବ୍ୟାଟର ହୋଇଛନ୍ତି । ସେ ଏହି ମାମଲାରେ ସାର୍ ଡନ୍ ବ୍ରାଡମ୍ୟାନଙ୍କୁ ପଛରେ ପକାଇ ଦେଇଛନ୍ତି । ମାଞ୍ଚେଷ୍ଟର ଟେଷ୍ଟର ତୃତୀୟ ଦିନରେ ଏହି ଡାହାଣହାତୀ ବ୍ୟାଟର ଚମତ୍କାର ପ୍ରଦର୍ଶନ କରିଥିଲେ। ଭାରତ ବିପକ୍ଷରେ ଚାଲିଥିବା ମ୍ୟାଚ୍ରେ ସେ ୧୭୮ ବଲ୍ରେ ତାଙ୍କ ଟେଷ୍ଟ କ୍ୟାରିୟରର ୩୮ତମ ଶତକ ପୂରଣ କରିଛନ୍ତି ।
ଚଳିତ ସିରିଜ୍ରେ ଏହା ତାଙ୍କର ଦ୍ୱିତୀୟ ଶତକ । ରୁଟ୍ ୨୮୬ ଇନିଂସ୍ରେ ତାଙ୍କର ୩୮ତମ ଟେଷ୍ଟ ଶତକ ପୂରଣ କରିଛନ୍ତି । ଏହା ସହିତ ସେ ସର୍ବାଧିକ ଟେଷ୍ଟ ଶତକ ହାସଲ କରିବାରେ କୁମାର ସାଙ୍ଗାକାରାଙ୍କ ସହ ସମକକ୍ଷ ହୋଇଛନ୍ତି । ଶ୍ରୀଲଙ୍କାର ଏହି କିମ୍ବଦନ୍ତୀ ଖେଳାଳି ମଧ୍ୟ ୩୮ଟି ଟେଷ୍ଟ ଶତକ ହାସଲ କରିଛନ୍ତି । ରୁଟ୍ ଘରୋଇ ମାଟିରେ ସର୍ବାଧିକ ଶତକ ମାରିବାରେ ଚତୁର୍ଥ ବ୍ୟାଟର। ରୁଟ୍ ଇଂଲଣ୍ଡରେ ଖେଳିବା ସମୟରେ ୩୨ଟି ଟେଷ୍ଟ ଶତକ ମାରିଛନ୍ତି। ଭାରତର ମହାନ ବ୍ୟାଟର ସଚିନ୍ ତେନ୍ଦୁଲକର ଏହି ମାମଲାରେ ଶୀର୍ଷରେ ଅଛନ୍ତି । ସସେ ଘରୋଇ ମାଟିରେ ୪୨ଟି ଶତକ ମାରିଥିଲେ। ବିରାଟ କୋହଲି ୩୨ଟି ଶତକ ସହିତ ଦ୍ୱିତୀୟ ସ୍ଥାନରେ ଅଛନ୍ତି । ଅଷ୍ଟ୍ରେଲିଆର କିମ୍ବଦନ୍ତୀ ବ୍ୟାଟର ରିକି ପଣ୍ଟିଂ ୩୬ ଶତକ ସହ ତୃତୀୟ ସ୍ଥାନରେ ଅଛନ୍ତି ।
ରୁଟ୍ ଭାରତ ବିପକ୍ଷରେ ଘରୋଇ ମାଟିରେ ୯ଟି ଟେଷ୍ଟ ଶତକ ମାରିଛନ୍ତି। ଘରୋଇ ଟେଷ୍ଟ ମ୍ୟାଚ୍ରେ କୌଣସି ପ୍ରତିପକ୍ଷ ବିପକ୍ଷରେ କୌଣସି ବ୍ୟାଟରଙ୍କ ଦ୍ୱାରା ସର୍ବାଧିକ ଶତକ। ଏହି ମାମଲାରେ, ସେ ସାର୍ ଡନ୍ ବ୍ରାଡମ୍ୟାନଙ୍କୁ ପଛରେ ପକାଇ ଦେଇଛନ୍ତି । ଯିଏ ଘରୋଇ ମାଟିରେ ଇଂଲଣ୍ଡ ବିପକ୍ଷରେ ଖେଳିବା ସମୟରେ ୮ଟି ଟେଷ୍ଟ ଶତକ ମାରିଥିଲେ। ସେହିଭଳି ଜୋ ରୁଟ୍ ଭାରତ ବିପକ୍ଷରେ ମୋଟ ୧୨ଟି ଟେଷ୍ଟ ଶତକ କରି ରେକର୍ଡ କରିଛନ୍ତି । ପୂର୍ବରୁ ଷ୍ଟିଭ୍ ସ୍ମିଥ ଭାରତ ବିପକ୍ଷରେ ଟେଷ୍ଟରେ ୧୧ଟି ଶତକ କରିଥିଲେ ।