ମାଣତ୍ରୀ,୨୫/୭ : ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅନ୍ତର୍ଗତ ନାଖରାଠାରେ ଥିବା ବୁଢ଼ାବଳଙ୍ଗ ନଦୀ ଉପରେ ଏକ ଅତି ପୁରୁଣା ପୋଲ ଅଛି। ଯେଉଁଠାରେ ଆଜି ହଠାତ୍ ପୋଲର ଗୋଟେ ପାଶ୍ୱରେ ଅତଡ଼ା ଖସି ଏକ ବିରାଟ ଘାଇ ସୃଷ୍ଟି ହୋଇଛି। ଫଳରେ ଏହି ଘIଇ ଦେଇ ପାଣି ସ୍ରୋତ ଏତେ ପ୍ରଖର ଅଛି ଯେ, ପୋଲର ସ୍ଥାୟୀତ୍ଵ ଉପରେ ପ୍ରଶ୍ନ ଉଠିଛି । ଅତଡା ଖସିବା ପରେ ପ୍ରଶାସନ ତରଫରୁ ତତ୍ପର ଦେଖିବା ପାଇଁ ମିଳିଛି । ଲଗାଣ ବର୍ଷା ହେଉଥିବା ପରେ ବି ରାତି ୯ଟା ପର୍ଯ୍ୟନ୍ତ ବାଲି ବସ୍ତା ଦେଇ ପାଣି ସ୍ରୋତକୁ ବନ୍ଦ କରିବା ପାଇଁ କାମ ଚାଲିଥିବା ଦେଖିବା ପାଇଁ ମିଳିଛି ।
ସୂଚନା ମୁତାବକ ଏହି ପୋଲଟି ୧୯୯୭ମସିହାରେ ନିର୍ମାଣ ଶେଷ ହୋଇଥିଲା। ଏହି ପୋଲଟି କିଛି ବର୍ଷ ପୂର୍ବରୁ ଏମିତି ଏକ ଘଟଣା ଘଟିବା ପରେ ମରାମତି କାର୍ଯ୍ୟ ପାଇଁ ୧ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ବ୍ୟାୟ ବରାଦ କରାଯାଇଥିଲା । ଏହି ମରାମତି କାର୍ଯ୍ୟ ଏତେ ନିମ୍ନ ମାନର ଥିଲା ଯେ ବାରମ୍ବାର ଅଭିଯୋଗ କରାଯାଇଥିଲେ ମଧ୍ୟ କିଛି ଲାଭ ମିଳିନଥିଲା। ଯାହାର ଫଳ ସ୍ୱରୂପ ଆଜି ଦେଖିବାକୁ ମିଳିଛି । ଏହି ପୋଲଟି ଏତେ ଦୁର୍ବଳ ହୋଇଛି ଯେ ନଦୀରେ ପାଣି ବଢିବା ମାତ୍ରେ ପୋଲ ଉପର ଦେଇ ଭାରି ଯାନ ଯିବା ଆସିବା ବନ୍ଦ କରାଯାଏ । ଯାହା ଫଳରେ ଲୋକେ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି ।