ନୂଆଦିଲ୍ଲୀ: ଆମେରିକା ଏହାର ଗୋଟିଏ ନିଷ୍ପତ୍ତିରେ ଶତ୍ରୁ ଦେଶ ଇରାନକୁ ଏକ ବଡ ଝଟକା ଦେଇଛି। ମଙ୍ଗଳବାର ଜୋ ବାଇଡେନ ପ୍ରଶାସନ ଇରାନର ତେଲ ପରିବହନ କରୁଥିବା ୩୫ ଟି କମ୍ପାନୀ ଏବଂ ଜାହାଜ ଉପରେ ପ୍ରତିବନ୍ଧକ ଲଗାଇଛି। ତେବେ ପ୍ରତିବନ୍ଧିତ ହୋଇଥିବା ଏହି କମ୍ପାନୀ ଗୁଡିକ ମଧ୍ୟରେ ଦୁଇଟି ଭାରତୀୟ କମ୍ପାନୀ ମଧ୍ୟ ଅନ୍ତର୍ଭୁକ୍ତ ଅଛନ୍ତି ।
ତେବେ ଆମେରିକା ପକ୍ଷରୁ ଲଗାଯାଇଥିବା ଏହି ନିଷେଧାଦେଶରେ ଭାରତ ବ୍ୟତୀତ ୟୁଏଇ, ଚୀନ୍, ଲାଇବେରିଆ, ହଂକଂ ସମେତ ଅନ୍ୟ ଦେଶର କମ୍ପାନୀ ଏବଂ ଜାହାଜ ଅନ୍ତର୍ଭୁକ୍ତ ଅଛନ୍ତି । ଅର୍ଥ ବିଭାଗ ଏକ ବିବୃତ୍ତିରେ କହିଛି ଯେ, ଅକ୍ଟୋବର ୨ ରେ ଇସ୍ରାଏଲ ବିରୁଦ୍ଧରେ ଇରାନର ଆକ୍ରମଣ ପରେ ଏହି କାର୍ଯ୍ୟ ତେହେରାନ ପାଇଁ ଆଉ ଏକ ଝଟକା। ଅକ୍ଟୋବର ୧୧ ରେ ଲାଗୁ ହୋଇଥିବା ପ୍ରତିବନ୍ଧକ ପରେ ଇରାନ ଆଣବିକ କାର୍ଯ୍ୟକ୍ରମକୁ ଆହୁରି ଜୋରଦାର କରିବାକୁ ଘୋଷଣା କରିଛି।
ଆତଙ୍କବାଦ ଏବଂ ଆର୍ଥିକ ଇଣ୍ଟେଲିଜେନ୍ସି ବିଭାଗର କାର୍ଯ୍ୟବାହକ ସଚିବ ବ୍ରେଡଲି ଟି ସ୍ମିଥ୍ କହିଛନ୍ତି ଯେ, ଇରାନ ଏହାର ପେଟ୍ରୋଲିୟମ ବ୍ୟାପାରରୁ ହେଉଥିବା ରାଜସ୍ୟକୁ ପରମାଣୁ କାର୍ଯ୍ୟକ୍ରମ,ବାଲିଷ୍ଟିକ ମିସାଇଲ୍ ଏବଂ ଡ୍ରୋନର ପ୍ରସାର ତଥା ଆତଙ୍କବାଦୀଙ୍କ ଉପରେ ଖର୍ଚ୍ଚ କରିଥାଏ । ଯାହା ଫଳରେ ଅଂଚଳରେ ଅଧିକ ଅସ୍ଥିରତା ଦେଖିବାକୁ ମିଳିଥାଏ।