ଢାକା,୩।୧୨: ବାଂଲାଦେଶର ହିନ୍ଦୁ ନେତା ତଥା ଇସ୍କନ ସାଧୁ ଚିନ୍ମୟକୃଷ୍ଣ ଦାସଙ୍କୁ ଜେଲ୍ରୁ ବାହାରିବା ପାଇଁ କରିବାକୁ ହେବ ଅପେକ୍ଷା। ମଙ୍ଗଳବାର ମାମଲାର ଶୁଣାଣି ଥିଲା। ହେଲେ କୋର୍ଟରେ ପହଁଞ୍ଚିନଥିଲେ ତାଙ୍କ ଓକିଲ। କାରଣ ଓକିଲଙ୍କ ଉପରେ ମରଣାନ୍ତକ ଆକ୍ରମଣ ଯୋଗୁଁ ସେ ଏବେ ଆଇସିୟୁରେ ଅଛନ୍ତି। ତେଣୁ ଅନ୍ୟ କୌଣସି ଓକିଲ କଟ୍ଟରପନ୍ଥୀଙ୍କ ଭୟରେ କେସ୍ ନେବାକୁ ଭୟ କରୁଛନ୍ତି। ଏହି ଖବର ଭିତରେ ମଙ୍ଗଳବାର କୋର୍ଟ ଶୁଣାଣି ଆରମ୍ଭ କରିବା ବେଳେ ତାଙ୍କ ପକ୍ଷରୁ କୌଣସି ଓକିଲ ଆସିନଥିଲେ।ଏହାପରେ ଖଣ୍ଡପୀଠ ତାଙ୍କ ଜାମିନ୍ ଆବେଦନ ପାଇଁ ୨ ଜାନୁଆରୀ ୨୦୨୫ ନୂଆ ତାରିଖ ଧାର୍ଯ୍ୟ କରିଛନ୍ତି।
ଆଇଏନ୍ଏସ୍ର ରିପୋର୍ଟ ଅନୁସାରେ, ଚିନ୍ମୟ ଦାସଙ୍କ ବେଲ୍ ଉପରେ ଚର୍ଚ୍ଚା କରିବାକୁ କୌଣସି ଓକିଲ ପ୍ରସ୍ତୁତ ନାହାନ୍ତି। ଏହା ପୂର୍ବରୁ ତାଙ୍କର ଜଣେ ଓକିଲଙ୍କ ଉପରେ ଆକ୍ରମଣ ହୋଇଥିଲା, ଯିଏକି ବର୍ତ୍ତମାନ ଆଇସିୟୁରେ ଆଡମିଟ୍ ଅଛନ୍ତି ଓ ତାଙ୍କର ସ୍ଥିତି ଗୁରୁତର ରହିଛି। ବାଂଲାଦେଶ ସମ୍ମିଳନୀ ସନାତନୀ ଜାଗରଣ ଜୋତୋର ମୁଖପାତ୍ର କୃଷ୍ଣ ଦାସଙ୍କୁ ଗତ ସୋମବାର ଦେଶଦ୍ରୋହ ମାମଲାରେ ଗିରଫ କରାଯାଇଥିଲା। ସେ ହିନ୍ଦୁଙ୍କ ପ୍ରତି ହେଉଥିବା ହିଂସାକୁ ବିରୋଧ କରି ଏକ ପ୍ରଦର୍ଶନରେ ସାମିଲ ହୋଇଥିଲେ। ଏହାପରେ ତାଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ କରାଯାଇଥିଲା। ତାଙ୍କୁ ଏୟାରପୋର୍ଟରୁ ଗିରଫ କରାଯାଇଥିଲା। ଚିନ୍ମୟ କୃଷ୍ଣଦାସଙ୍କ ଉପରେ ଏଭଳି କାର୍ଯ୍ୟାନୁଷ୍ଠାନ କରାଯିବା ନେଇ ଭାରତ ସହ ସାରା ଦୁନିଆରେ ନିନ୍ଦା ହେଉଛି। କାନାଡା, ଆମେରିକା ଭଳି ଦେଶରେ ଥିବା ହିନ୍ଦୁ ମଧ୍ୟ ଏହି ଆକ୍ସନକୁ ନିନ୍ଦା କରିଛନ୍ତି ଓ ସେଠାରେ ବିରୋଧ ପ୍ରଦର୍ଶନ କରିଛନ୍ତି।
ଚିନ୍ମୟ ଦାସ ବ୍ରହ୍ମଚାରୀଙ୍କ ବାଂଲାଦେଶରେ ଭଲ ପ୍ରଭାବ ରହିଛି। ସେଭଳି ବାଂଲାଦେଶ ଚଟଗାଁରେ ଇସ୍କନ୍ର ଡିଭିଜନାଲ ଅର୍ଗାନାଇଜିଂ ସେକ୍ରେଟରି ଥିଲେ। ତାଙ୍କ ଓକିଲ ରାମେନ ରୟଙ୍କ ଉପରେ ମଧ୍ୟ ସୋମବାର ଆକ୍ରମଣ ହୋଇଛି। ସେ ବର୍ତ୍ତମାନ ହସ୍ପିଟାଲରେ ଭର୍ତ୍ତି ଅଛନ୍ତି ଓ ତାଙ୍କର ଚିକିତ୍ସା ଚାଲିଛି। ଚିନ୍ମୟ ଦାସ ମଧ୍ୟ ଏହାକୁ ନେଇ ବୟାନ ଜାରି କରିଛନ୍ତି। ତାଙ୍କର କହିବା ଅନୁସାରେ, ରାମେନ ରାୟଙ୍କ ଅପରାଧ ଏହା ଥିଲା ଯେ, କୋର୍ଟରେ ସେ ତାଙ୍କର ପକ୍ଷ ରଖିଥିଲେ।