ନୂଆଦିଲ୍ଲୀ,୨୭।୪: ଋଷ ଓ ୟୁକ୍ରେନ୍ ମଧ୍ୟରେ ଜାରି ରହିଛି ଯୁଦ୍ଧ। ଏବେ ଅସ୍ତ୍ରବିରତୀ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡୋ ଟ୍ରମ୍ପ ମଧ୍ୟ ଚେଷ୍ଟା କରୁଛନ୍ତି । ହେଲେ କ୍ରିମିୟାକୁ ଋଷର ଅଂଶ ବୋଲି ଟ୍ରମ୍ପ ପ୍ରସ୍ତାବ ଦେବା ପରେ ୟୁକ୍ରେନ୍ ସରକାର ଚକିତ ହୋଇଛନ୍ତି। ଏହି ପ୍ରସ୍ତାବକୁ ନେଇ ୟୁକ୍ରେନ୍ ଅଧିକାରୀ ଓ ଜନତା ଦୁହେଁ ସ୍ପଷ୍ଟ ରୂପରେ କହିଛନ୍ତି ଯେ, ସେମାନେ କ୍ରିମିୟାକୁ କେବେ ବି ଋଷର ଅଂଶ ବୋଲି ମାନିବେନି। ୟୁକ୍ରେନ୍ର ନେତାଙ୍କ ମତରେ ଏଭଳି ପଦକ୍ଷେପ ଦେଶର ସାର୍ବଭୌମତ୍ବ ଓ ସମ୍ବିଧାନ ବିରୋଧି ହେବ।
ବିଶେଷଜ୍ଞଙ୍କ ମତରେ ୨୦୧୪ରେ ଋଷ ଦ୍ବାରା ବେଆଇନ ଭାବରେ କ୍ରିମିୟା ଉପରେ କବଜା କରିବା ଓ ଏହାକୁ ଛାଡିବା ଆଇନ ଓ ରାଜନୈତିକ ଦୃଷ୍ଟିରୁ ଅସମ୍ଭବ। ଏଥିପାଇଁ ସମ୍ବିଧାନରେ ପରିବର୍ତ୍ତନ ଦରକାର ରହିଛି। ଏହା ରାଷ୍ଟ୍ରଦ୍ରୋହ ବୋଲି କହିହେବ। ୟୁକ୍ରେନ ସଂସଦ ଓ ଜନତା ଏହି ବିଚାରକୁ କଡ଼ା ବିରୋଧ କରୁଛନ୍ତି।
ୟୁକ୍ରେନ୍ ସଂସଦର ସଦସ୍ୟ ଆଲେକଜାଣ୍ଡର ମରେଝାଖୋ କହଛନ୍ତି, ଆମେ କେବେ ବି କ୍ରିମିୟାକୁ ଋଷର ଅଂଶ ବୋଲି ଭାବିନୁନି।’ ତେବେ ଅଧିକାଂଶ ୟୁକ୍ରେନୀୟ ଜନତା ଏହା ବୁଝିଥାନ୍ତି ଯେ, ଶାନ୍ତି ବୁଝାମଣାର ଅଂଶ ଭାବରେ କ୍ରିମିୟାକୁ ଅସ୍ଥାୟୀ ରୂପରେ ଛାଡିବାକୁ ପଡିପାରେ। କିନ୍ତୁ ଏହାକୁ ସ୍ଥାୟୀ ରୂପରେ ହରାଇବାର ବିଚାରକୁ ସ୍ବୀକାର କରିବେନି। ନିକଟରେ ଟ୍ରମ୍ପ ଟାଇମ୍ ପତ୍ରିକାକୁ ଦେଇଥିବା ସାକ୍ଷାତକାରେ କହିଥିଲେ, କ୍ରିମିୟା ଋଷ ପାଖରେ ରହିବେ। ଜେଲେନସ୍କି ଏହାକୁ ବୁଝନ୍ତି ଓ ଏହା ଦୀର୍ଘ ସମୟ ଧରି ତାଙ୍କ ପାଖରେ ରହିଛି।’ ତେବେ ଜେଲେନସ୍କି ବାରମ୍ବାର କହିଛନ୍ତି ଯେ, କ୍ରିମିୟାକୁ ଔପଚାରିକ ଭାବରେ ଦେବାର ବିଚାର ତାଙ୍କ ପାଇଁ ଏକ ’ଲାଲ ରେଖା’ ସଦୃଶ୍ୟ।