ନୂଆଦିଲ୍ଲୀ,୨୭/୦୪: ଗୋଟିଏ ପଟେ ପାକିସ୍ତାନ ପାଣି ପାଇଁ ରକ୍ତପାତ କରିବାକୁ ଧମକ ଦେଉଛି। ଆଉ ଅନ୍ୟପଟେ ନଦୀଗୁଡ଼ିକର ଜଳ ପ୍ରବାହକୁ ନିୟନ୍ତ୍ରଣ କରିବାରେ ଅସମର୍ଥ।ଝେଲମ୍ ନଦୀର ଜଳସ୍ତର ବୃଦ୍ଧି ଯୋଗୁଁ, ପାକ୍ ଅଧିକୃତ କାଶ୍ମୀରର କିଛି ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖାଦେଇଛି। ସ୍ଥାନୀୟ ଅଧିକାରୀମାନଙ୍କ ଅନୁସାରେ, ପୂର୍ବ ସୂଚନା ବିନା ଶନିବାର ଉରି ଡ୍ୟାମରୁ ପାଣି ଛଡ଼ାଯାଇଥିଲା। ପାଣି ଛଡା ଯିବା ପରେ ପିଓକେର ହଟ୍ଟିୟନ ବାଲା ଜିଲ୍ଲାରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଥିଲା । ଫଳରେ ନଇ କୂଳରେ ରହୁଥିବା ଲୋକମାନେ ସୁରକ୍ଷିତ ସ୍ଥାନକୁ ଯିବା ପାଇଁ ବାଧ୍ୟ ହୋଇଥିଲେ । ଏନେଇ ଜମ୍ମୁ ଏବଂ କାଶ୍ମୀର ପ୍ରଶାସନ ମୁଜାଫରାବାଦ ଏବଂ ସଂଲଗ୍ନ ଅଞ୍ଚଳରେ ବନ୍ୟାର ବିପଦ ବିଷୟରେ ଲୋକଙ୍କୁ ସତର୍କ କରାଇଛି ଏବଂ ନଦୀଠାରୁ ଦୂରେଇ ରହିବାକୁ ସତର୍କ କରାଇଛି।
ଏଥିରେ ଜଳସ୍ତର ଦ୍ରୁତ ଗତିରେ ବୃଦ୍ଧି ପାଇବାରୁ ଲୋକଙ୍କୁ ସ୍ଥାନନ୍ତର ହେବା ନେଇ ଅନୁରୋଧ କରାଯାଇଥିଲା। ମୁଜାଫରାବାଦର ଜଣେ ଜିଲ୍ଲା ସରକାରୀ ଅଧିକାରୀ ଏକ ବିବୃତ୍ତି ଜାରି କରି କହିଛନ୍ତି, ଭାରତ ଝେଲମ୍ ନଦୀରେ ଆବଶ୍ୟକ ଠାରୁ ଅଧିକ ପାଣି ଛାଡିଥିଲା । ଯାହା ଫଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି ।ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ, କୋହଲା ଓ ଧଳକୋଟର ତଳିଆ ଅଞ୍ଚଳରେ ମଧ୍ୟମ ଧରଣର ବନ୍ୟା ଆସିଛି। କିଛି ସ୍ଥାନରେ ଫସଲ କ୍ଷତି ହୋଇଥିବାର ମଧ୍ୟ ରିପୋର୍ଟ ଆସିଛି। ଅଧିକାରୀମାନେ କହିଛନ୍ତି, ପିଓକେ ବାସିନ୍ଦାଙ୍କ ସୁରକ୍ଷା ଉପରେ ଧ୍ୟାନ ଦିଆଯାଉଛି। ଉଲ୍ଲେଖନୀୟ ଯେ ୨୨ ଏପ୍ରିଲରେ ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ସରକାର ସିନ୍ଧୁ ଜଳ ଚୁକ୍ତିନାମାକୁ ସ୍ଥଗିତ ରଖିଥିଲେ। ଏହା ଅଧୀନରେ ଉଭୟ ପଡ଼ୋଶୀ ଦେଶ ସିନ୍ଧୁ ନଦୀ ଅବବାହିକାରେ ଥିବା ଛଅଟି ନଦୀର ଜଳ ଭାଗକୁ ନିୟନ୍ତ୍ରଣ କରନ୍ତି।ପାକିସ୍ତାନ ଏହାକୁ ଯୁଦ୍ଧ ସହିତ ସମାନ ବୋଲି କହିଥିଲା ଏବଂ ପାଣି ପାଇଁ ରକ୍ତପାତ କରିବାକୁ ଧମକ ଦେଇଥିଲା। ଏପର୍ଯ୍ୟନ୍ତ ପାଣି ପାଇଁ ଦାବି କରୁଥିବା ପାକିସ୍ତାନ ଜଳସ୍ତରରେ ସାମାନ୍ୟ ବୃଦ୍ଧି ଯୋଗୁଁ ସମସ୍ୟାରେ ପଡ଼ିଥିବା ପରି ମନେ ହେଉଛି।