ନୂଆଦିଲ୍ଲୀ,୨୭/୦୪: ପହଲଗାମରେ ଆତଙ୍କୀଙ୍କ ବର୍ବରତା ପରେ ପାକିସ୍ତାନକୁ ଦାୟୀ କରି ଭାରତ ଅନେକ ପ୍ରମୁଖ ପଦକ୍ଷେପ ନେଇଛି। ଭାରତର କାର୍ଯ୍ୟାନୁଷ୍ଠାନ ଦ୍ୱାରା ପାକିସ୍ତାନ ଉତ୍ତେଜିତ ହୋଇଛି। ଜାମ୍ମୁ କାଶ୍ମୀରର ପହଲଗାମରେ ପର୍ଯ୍ୟଟକଙ୍କ ଉପରେ ନିର୍ମମ ଆକ୍ରମଣ ପରେ ଭାରତ ସିନ୍ଧୁ ଜଳ ଚୁକ୍ତିନାମାକୁ ସ୍ଥଗିତ ରଖିବା ପରେ ୧୯୭୨ ଶିମଲା ଚୁକ୍ତିନାମାକୁ ସ୍ଥଗିତ ରଖିପାରେ ବୋଲି ପାକିସ୍ତାନ ଦାବି କରିଛି।
କେବଳ ଏତିକି ନୁହେଁ, ଶିମଲା ଚୁକ୍ତିନାମା ସମେତ ଭାରତ ସହିତ ସମସ୍ତ ଦ୍ୱିପାକ୍ଷିକ ଚୁକ୍ତିନାମାକୁ ସ୍ଥଗିତ ରଖିବାର ଅଧିକାର ବ୍ୟବହାର କରିବ ବୋଲି ପାକିସ୍ତାନ ଭୟ କରିଛି। ପାକିସ୍ତାନର ବିବୃତ୍ତିରୁ ଏହା ସ୍ପଷ୍ଟ ଯେ ୧୯୭୧ ଯୁଦ୍ଧ ପରେ ଦୁଇ ସରକାର ପରସ୍ପର ସହମତ ହୋଇଥିବା ଲାଇନ୍ ଅଫ୍ କଣ୍ଟ୍ରୋଲ (ଏଲ୍ଓସି)ର ବୈଧତା ଉପରେ ମଧ୍ୟ ପ୍ରଶ୍ନ ଉଠିଛି। ବର୍ତ୍ତମାନର ନିୟନ୍ତ୍ରଣ ରେଖା ୧୭ ଡିସେମ୍ବର ୧୯୭୧ ରେ ପ୍ରତିଷ୍ଠିତ ଅସ୍ତ୍ରବିରତି ରେଖା ଉପରେ ଆଧାରିତ।
ଶିମଲା ଚୁକ୍ତିନାମା ସମୟର ଚିତ୍ର
ସିମଲା ଚୁକ୍ତିନାମା:
୧୯୭୧ ଯୁଦ୍ଧରେ ଭାରତୀୟ ସେନା ପାକିସ୍ତାନକୁ ଉପଯୁକ୍ତ ଉତ୍ତର ଦେଇଥିଲା। ପାକିସ୍ତାନକୁ ଦୁଇ ଭାଗରେ ବିଭକ୍ତ କରାଯାଇଥିଲା। ଯୁଦ୍ଧର ପ୍ରାୟ ୧୬ ମାସ ପରେ ଭାରତର ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଏବଂ ପାକିସ୍ତାନର ତତ୍କାଳୀନ ପ୍ରଧାନମନ୍ତ୍ରୀ ଜୁଲଫିକର ଅଲି ଭୁଟ୍ଟୋ ହିମାଚଳ ପ୍ରଦେଶର ରାଜଧାନୀ ଶିମଲାରେ ଉଭୟ ସାକ୍ଷାତ କରିଥିଲେ। ୨ ଜୁଲାଇ ୧୯୭୨ ରେ ଦୁଇ ଦେଶ ମଧ୍ୟରେ ହୋଇଥିବା ଏକ ବୈଠକରେ ଏକ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଥିଲା ଯାହାକୁ ଶିମଲା ଚୁକ୍ତିନାମା କୁହାଯାଏ। ଏହି ଚୁକ୍ତିନାମାର ମୂଳ ଉଦ୍ଦେଶ୍ୟ ଥିଲା ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ସୁଦୃଢ଼ କରିବା। ତେବେ କହିରଖୁଛୁ ଯେ ଭାରତ-ପାକିସ୍ଥାନ ଯୁଦ୍ଧ ସମୟରେ ୯୦,୦୦୦ ପାକିସ୍ତାନୀ ସୈନିକ ବନ୍ଦୀ ହୋଇଥିଲେ। ସୂଚନାଯୋଗ୍ୟ ଯେ ଶିମଲା ଚୁକ୍ତିନାମା ସ୍ୱାକ୍ଷର କରିବା ପରେ ପାକିସ୍ତାନ ଅତି କମରେ ଦୁଇଥର ନିୟନ୍ତ୍ରଣ ରେଖା ପରିବର୍ତ୍ତନ କରିବାକୁ ଚେଷ୍ଟା କରିଛି। ଆସନ୍ତୁ ଜାଣିବା ଏ ବିଷୟରେ....
ସିଆଚୀନ୍ରେ ଲଢ଼େଇ
୨୦୦୦ ଫୁଟ ଉଚ୍ଚରେ ସିନାଚୀନକୁ ନେଇ ହୋଇଥିଲା ଲଢ଼େଇ:
* ସିଆଚୀନ୍ ବିବାଦର ଉତ୍ପତ୍ତି ୧୯୪୯ ର କରାଚି ଚୁକ୍ତିରୁ ଆରମ୍ଭ ହୋଇଛି ବୋଲି ବିଶ୍ୱାସ କରାଯାଏ। ଏହା ଏକ ସୀମା ଯାହା ଭାରତ ଏବଂ ପାକିସ୍ଥାନର ସୈନ୍ୟବାହିନୀକୁ ବିଭକ୍ତ କରିଥିଲା। ଭାରତ ଏବଂ ପାକିସ୍ଥାନର ପ୍ରତିନିଧୀମାନେ ୧୯୪୯ ରେ ମିଳିତ ଜାତିସଂଘର ମଧ୍ୟସ୍ଥ୍ୟତାରେ ସିଜ୍ଫାୟାର ଲାଇନ ଅର୍ଥାତ୍ ଅସ୍ତ୍ରବିରତୀ ରେଖା (ସିଏଫ୍ଏଲ୍) ପ୍ରତିଷ୍ଠା ପାଇଁ ଅନୁମତି ଦେଇଥିଲେ।
* ସିଏଫ୍ଏଲ୍ ଜମ୍ମୁର ମନାୱାରରୁ ଆରମ୍ଭ ହୋଇ କୁପୱାଡ଼ା ଜିଲ୍ଲାର କେରନ ପର୍ଯ୍ୟନ୍ତ ଉତ୍ତର ଦିଗକୁ ବ୍ୟାପିଛି। ସେଠାରୁ ପୂର୍ବରୁ ଉତ୍ତରକୁ ଗ୍ଲେସିୟର ପର୍ଯ୍ୟନ୍ତ ସ୍ଥାନ ରହିଛି। NJ 9842 ହେଉଛି ସିଏଫ୍ଏଲ୍ର ଅନ୍ତିମ ସୀମା। ଏହା ପଛର କାରଣ ହେଉଛି ଏହାର ଉତ୍ତରରେ ଥିବା ଅଞ୍ଚଳଗୁଡିକୁ ଦୁର୍ଗମ ବୋଲି ବିବେଚନା କରାଯାଉଥିଲା।
* କହିରଖୁଛୁ ଯେ, ୧୯୭୦ ଦଶକ ଶେଷ ସୁଦ୍ଧା ସିଆଚୀନ୍କୁ ନେଇ ପାକିସ୍ତାନର ଗତିବିଧି ଦ୍ରୁତ ଗତିରେ ବଢ଼ୁଥିଲା। ପାକିସ୍ତାନ ଏହି ନିର୍ଦ୍ଦିଷ୍ଟ ଅଞ୍ଚଳରେ ବିଦେଶୀ ପର୍ବତାରୋହଣ ଅଭିଯାନକୁ ଅନୁମତି ଦେଉଥିଲା ଏବଂ ଏହି ଅଞ୍ଚଳକୁ ନିଜ ନିୟନ୍ତ୍ରଣରେ ରଖିବାକୁ ଚେଷ୍ଟା କରୁଥିଲା। ଏହା ପରେ ଭାରତର ଗୁଇନ୍ଦା ଜାଣିବାକୁ ପାଇଥିଲା ଯେ, ପାକିସ୍ତାନ ଏହି କ୍ଷେତ୍ରରେ ସାମରିକ କାର୍ଯ୍ୟାନୁଷ୍ଠାନ ଯୋଜନା କରୁଛି।
ବିଜୟୀ ଭାରତୀୟ ସେନା
* ଯେହେତୁ ସିଆଚେନ୍ ଲଦାଖର ଉତ୍ତର ଭାଗରେ ଅବସ୍ଥିତ। ଏହା ଭାରତ, ପାକିସ୍ଥାନ ଏବଂ ଚୀନ୍ ମଧ୍ୟରେ ଥିବା ତ୍ରିକୋଣୀୟ କେନ୍ଦ୍ରରେ ଅବସ୍ଥିତ। ଯଦି ପାକିସ୍ତାନ ଏହି ଅଞ୍ଚଳକୁ ଅକ୍ତିଆର କରିଥାନ୍ତା, ତେବେ ଲଦାଖ ଏବଂ କରାକୋରାମ ଅଞ୍ଚଳରେ ଭାରତ ପାଇଁ ସାମରିକ କାର୍ଯ୍ୟକଳାପ କରିବା କଷ୍ଟସାଧ୍ୟ ହୋଇଥାନ୍ତା। ପରେ ଗୁଇନ୍ଦା ସୂଚନା ଉପରେ ଆଧାର କରି ଭାରତ ୧୩ ଏପ୍ରିଲ ୧୯୮୪ ରେ 'ଅପରେସନ୍ ମେଘଦୂତ' ଆରମ୍ଭ କରିଥିଲା।
* ଏହା ଅଧୀନରେ ଭାରତୀୟ ସେନା ଏବଂ ବାୟୁସେନା ସେମାନଙ୍କ ସୈନିକ ଏବଂ ସାମରିକ ଉପକରଣକୁ ଚେତକ, ଚିତା, Mi-8 ଏବଂ Mi-17 ହେଲିକପ୍ଟର ମାଧ୍ୟମରେ ଗ୍ଲେସିୟରର ବରଫାଚ୍ଛନ୍ନ ଉଚ୍ଚତାରେ ପହଞ୍ଚିଥିଲେ। ତଥାପି, ଏଠାରେ ଧ୍ୟାନ ଦେବା ଜରୁରୀ ଯେ ଏହି ସମ୍ଭାବ୍ୟ ଅପରେସନ୍ ପାଇଁ ପ୍ରସ୍ତୁତି ବର୍ଷ ବର୍ଷ ପୂର୍ବରୁ ଆରମ୍ଭ ହୋଇଥିଲା। ଏହି ଅପରେସନ ଅଧୀନରେ ଭାରତ ପ୍ରାୟ ୩୦୦ ସୈନିକଙ୍କୁ ରଣନୀତିକ ଶିଖରରେ ନିୟୋଜିତ କରିଥିଲା। ପାକିସ୍ତାନ ନିଜର ସୈନ୍ୟ ପଠାଇବା ବେଳକୁ ଭାରତୀୟ ସେନା ସଲ୍ତୋରୋ ରେଞ୍ଜ୍ର ଉଚ୍ଚ ପାହାଡ଼ ଉପରେ ବିଲାଫଣ୍ଡ ଲ, ସିଆଲା ପାସ୍ ଏବଂ ୟୋଙ୍ଗ ଲା'ରେ ଶିବିର ପ୍ରତିଷ୍ଠା କରିସାରିଥିଲା। ଏହା ପରେ ଭାରତ ଏକ ସ୍ପଷ୍ଟ ରଣନୀତିକ ସୁବିଧା ପାଇଲା, ଯାହା ଏପର୍ଯ୍ୟନ୍ତ ଜାରି ରହିଛି।
କାର୍ଗିଲ : ଯେତେବେଳେ ଦ୍ୱିତୀୟ ଥର ପାଇଁ ଦୁଃସାହସ କରିଥିଲା ପାକିସ୍ତାନ:
ବିଶେଷଜ୍ଞମାନେ କହିଛନ୍ତି ଯେ ସିଆଚୀନ ଯୁଦ୍ଧ କାର୍ଗିଲ ବିବାଦର ମୂଳଦୁଆ ପକାଇଥିଲା। ସିଆଚୀନ ବିବାଦ ପରେ ପାକିସ୍ତାନ କ୍ରୋଧିତ ହୋଇ ପ୍ରତିଶୋଧ ନେବାକୁ ଯୋଜନା କରୁଥିବା ଜଣାପଡ଼ିଛି। ୧୯୯୯ ରେ, ଜେନେରାଲ୍ ପରଭେଜ୍ ମୁଶରଫ ସିଆଚେନ୍ ଗ୍ଲାସିଅର୍ ଉପରେ ଅକ୍ତିଆର କରିବାକୁ ଯାଇ ଅନେକ ବିଫଳ ଉଦ୍ୟମ ପରେ ବ୍ରିଗେଡ କମାଣ୍ଡର ଭାବରେ ନିଜ ପରାଜୟର ପ୍ରତିଶୋଧ ନେବାକୁ ଚାହିଁଥିଲେ।
* କହିରଖୁଛୁ ଯେ, କାରଗିଲ ଯୁଦ୍ଧ ସେତେବେଳେ ଆରମ୍ଭ ହେଲା, ଯେତବେଳେ ପାକିସ୍ତାନୀ ସେନା କାଶ୍ମୀର ଆତଙ୍କବାଦୀ ଭାବରେ ପରିଚିତ ହୋଇ ଲାଇନ୍ ଅଫ୍ କଣ୍ଟ୍ରୋଲ୍ (ଏଲ୍ଓସି) ଏବଂ ଭାରତୀୟ ଅଞ୍ଚଳରେ ପ୍ରବେଶ କରିଥିଲା। ବିବାଦୀୟ କାଶ୍ମୀର ଅଞ୍ଚଳରେ ଭାରତ ଏବଂ ପାକିସ୍ଥାନ ମଧ୍ୟରେ ଗୋଟିଏ ସୀମା ଭାବେ ଠିଆ ହୋଇଛି ଏଲ୍ଓସି। ପାକିସ୍ତାନୀ ସେନା ରଣନୀତି ପ୍ରସ୍ତୁତ କରି ଏହି ସୀମା ଅତିକ୍ରମ କରିବାକୁ ଚେଷ୍ଟା କରିଥିଲା ଏବଂ ଅନେକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଦଖଲ କରିବାକୁ ଚେଷ୍ଟା କରିଥିଲା।
ତ୍ରିରଙ୍ଗା ସହିତ କାର୍ଗିଲରେ ବିଜୟୀ ଭାରତୀୟ ସେନା
* କୁହାଯାଏ ଯେ ୧୯୯୯ ରେ ଭାରତୀୟ ଅଞ୍ଚଳରେ ପ୍ରଥମ ଅନୁପ୍ରବେଶକାରୀକୁ ୩ ମଇରେ ବାଟାଲିକରେ ଦେଖାଯାଇଥିଲା। ତା’ପରେ, ମେ’ର ଦ୍ୱିତୀୟ ସପ୍ତାହ ପର୍ଯ୍ୟନ୍ତ ବିଭିନ୍ନ ଅଞ୍ଚଳରେ ଅନେକ ଅନୁପ୍ରବେଶକାରୀ ଥିବା ଜଣାପଡ଼ିଥିଲା। ଏହା ପରେ ସ୍ପଷ୍ଟ ହୋଇଥିଲା ଯେ, ପାକିସ୍ତାନ ଦ୍ୱାରା ଏକ ବଡ଼ ଧରଣର ଅନୁପ୍ରବେଶ ହୋଇଛି। ଏହା କୌଣସି ସ୍ଥାନୀୟ ଅନୁପ୍ରବେଶ ନଥିଲା। ଏହି ଅନୁପ୍ରବେଶ ସମୟରେ ପାକିସ୍ତାନର ଲକ୍ଷ୍ୟ ଥିଲା କାଶ୍ମୀର ଏବଂ ଲଦାଖ ମଧ୍ୟରେ ଯୋଗାଣ ଲାଇନ କାଟିବା।
ତ୍ରିରଙ୍ଗା ସହିତ କାର୍ଗିଲରେ ବିଜୟୀ ଭାରତୀୟ ସେନା
ଦୀର୍ଘ ସମୟ ପର୍ଯ୍ୟନ୍ତ ଚାଲିଥିଲା କାରଗିଲ ଯୁଦ୍ଧ:
ଭାରତ ଏବଂ ପାକିସ୍ତାନ ମଧ୍ୟରେ ଚାଲିଥିବା ସମସ୍ତ ଯୁଦ୍ଧ ମଧ୍ୟରୁ ଅଧିକ ସମୟ ଧରି ଚାଲିଥିବା ଯୁଦ୍ଧ ହେଉଛି କାରଗିଲ। ନାସନାଲ୍ ଓ୍ବାର ମେମୋରିଆଲ ପକ୍ଷରୁ ମିଳିଥିବା ସୂଚନା ମୁତାବକ କାର୍ଗିଲ୍ ଯୁଦ୍ଧ ପ୍ରାୟ ୩ ମାସ ପର୍ଯ୍ୟନ୍ତ ଚାଲିଥିଲା। ଏହି ଯୁଦ୍ଧ ମେ ୧୯୯୯ ରେ ଆରମ୍ଭ ହୋଇଥିଲା। ଏହି ଯୁଦ୍ଧରେ ୬୭୪ ଭାରତୀୟ ସୈନିକ ସହିଦ ହୋଇଥିଲେ। ଏହାପରେ ଅନେକ ଥର ପାକିସ୍ତାନ ଏହାର କୁଟଚକ୍ରାନ୍ତ, ନିଷ୍ଠୁର ଆଭିମୁଖ୍ୟ ଏବଂ କାପୁରୁଷ ଭଳି ପଦକ୍ଷେପରେ ଭାରତରେ ବର୍ବରତା ଘଟାଇଥିଲେ ହେଁ କେବେ ତ୍ରାହି ପାଇନାହିଁ। ଏବେ ପୁଣି ସମୟ ଉପନୀତ, ପହଲଗାମ ଆକ୍ରମଣର ପ୍ରତିଶୋଧ ପାଇଁ ପାକିସ୍ତାନର ଛାତି ଚିରି ପ୍ରକୃତ ସୈନ୍ୟ ପରାକାଷ୍ଠାର ପ୍ରମାଣ ଦେବ ଭାରତ।