ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀ ଦେଶରୁ ଯକ୍ଷ୍ମା ରୋଗର ଉନ୍ମୁଳନ ନିମନ୍ତେ ବଜ୍ର ଆହ୍ୱାନ ଜଣାଇଛନ୍ତି । ତାଙ୍କର ବଳିଷ୍ଠ ନେତୃତ୍ୱରେ ବିଗତ କିଛି ବର୍ଷ ମଧ୍ୟରେ ଯକ୍ଷ୍ମାର ଚିକିତ୍ସା ନିମନ୍ତେ ଗ୍ରହଣ କରାଯାଇଥିବା ନୂଆ ମଡେଲର ବିଭିନ୍ନ ଉପକ୍ରମ– ଯକ୍ଷ୍ମା ପ୍ରତିଷେଧକ, ନିଦାନ ଏବଂ ଚିକିତ୍ସାରେ ବ୍ୟାପକ ପରିବର୍ତ୍ତନ ଘଟିଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ପ୍ରକାଶିତ ବୈଶ୍ୱିକ ଯକ୍ଷ୍ମା ରିପୋର୍ଟରେ ଯେଉଁ ତଥ୍ୟ ଦର୍ଶାଯାଇଛି ସେଥିରେ ଭାରତ ଆହରଣ କରିଥିବା ଆଭିମୁଖ୍ୟର ସଫଳତାକୁ ସ୍ୱୀକାର କରାଯାଇଛି । ଏଥିରେ ଦର୍ଶାଯାଇଛି ଯେ, ୨୦୧୫ ମସିହା ଠାରୁ ୨୦୨୩ ମସିହା ମଧ୍ୟରେ ଭାରତରେ ଯକ୍ଷ୍ମା ସଂକ୍ରମଣ ମାତ୍ରା ୧୭.୭ ପ୍ରତିଶତ ହ୍ରାସ ପାଇଛି, ଯାହାକି ସେହି ସମୟ ମଧ୍ୟରେ ସାରା ବିଶ୍ୱର ହ୍ରାସ ମାତ୍ରାର ଦୁଇଗୁଣ । କେବଳ ସେତିକି ନୁହେଁ, ଦେଶରେ ଯକ୍ଷ୍ମା ଆକ୍ରାନ୍ତ ଭାବେ ଚିହ୍ନଟ ହୋଇଥିବା ୨୫.୧ ଲକ୍ଷ ରୋଗୀଙ୍କର ଚିକିତ୍ସାରେ ମଧ୍ୟ ଉଲ୍ଲେଖନୀୟ ଅଗ୍ରଗତି ଘଟିଛି । ୨୦୧୫ ଠାରୁ ୨୦୨୩ ମସିହା ମଧ୍ୟରେ ତାହା ୫୯ ପ୍ରତିଶତରୁ ବୃଦ୍ଧିପାଇ ୮୫ ପ୍ରତିଶତ ଛୁଇଁଛି ।
ଡିସେମ୍ବର ୭ ତାରିଖ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରିକଳ୍ପନାରେ ପ୍ରଭାବିତ ହୋଇ, ଭାରତ ଦେଶରୁ ଯକ୍ଷ୍ମା ଉନ୍ମୁଳନ ରଣନୀତିରେ ଆଉ ଏକ ପଟ୍ଟ ପରିବର୍ତ୍ତନକାରୀ ପ୍ରଗତି ହାସଲ କରିଛି । ଏହି ଉଦ୍ଦେଶ୍ୟରେ ପଞ୍ଚକୁଲା ଠାରୁ ସରକାର ଏକ ୧୦୦ ଦିନିଆ ଦେଶବ୍ୟାପୀ ଅଭିଯାନକୁ ବ୍ୟାପକ ଭାବରେ ଶୁଭାରମ୍ଭ କରିଛନ୍ତି, ଯାହା ଦେଶର ୩୪୭ଗୋଟି ଅଧିକ ମାତ୍ରାରେ ଯକ୍ଷ୍ମା ପ୍ରଭାବିତ ଜିଲ୍ଲାରେ କାର୍ଯ୍ୟକାରୀ କରାଯାଉଛି । ଏହା ଯକ୍ଷ୍ମା ବିରୁଦ୍ଧରେ ଆମର ପ୍ରତିକ୍ରିୟାକୁ ତ୍ୱରାନ୍ୱିତ କରିଛି । ଏହି ଉପକ୍ରମ ଯକ୍ଷ୍ମା ରୋଗୀଙ୍କୁ ପ୍ରାରମ୍ଭରୁ ଚିହ୍ନଟ କରିବା ଏବଂ ସକାରାତ୍ମକ ଭାବରେ ଏଭଳି ଆପଦାଗ୍ରସ୍ତ ଲୋକଙ୍କ ନିକଟରେ ପହଞ୍ଚିବା ତଥା ସେମାନଙ୍କୁ ଗୁଣାତ୍ମକ ଚିକିତ୍ସା ସେବା ଯୋଗାଇ ଦେବା ସକାଶେ ଆମର ସଂକଳ୍ପକୁ ମଜଭୁତ କରିଛି । ଜନଭାଗିଦାରୀତା ଭାବନାର ଏହା ହେଉଛି ବାସ୍ତବ ଉଦାହରଣ । ତେଣୁ ଆମେ ସଭିଏଁ– ନିର୍ବାଚିତ ଜନପ୍ରତିନିଧି, ସ୍ୱାସ୍ଥ୍ୟକର୍ମୀ, ସିଭିଲ ସୋସାଇଟି, କର୍ପୋରେଟ୍ ଏବଂ ସାଧାରଣ ଜନଗୋଷ୍ଠୀ, ଏହି ଅଭିଯାନକୁ ଏକ ବିରାଟ ସଫଳତାରେ ପହଞ୍ଚାଇବା ନିମନ୍ତେ ସହଯୋଗର ହାତ ବଢ଼ାଇଛୁ । ଏହି ଅଭିଯାନ ନିମନ୍ତେ ରାଜ୍ୟ ଏବଂ କେନ୍ଦ୍ରଶାସିତ କ୍ଷେତ୍ରର ସକାରାତ୍ମକ ସହଯୋଗ ଯୋଗୁଁ ଏହି ନୂତନ ଅଭିଯାନ ଭାରତର ଯକ୍ଷ୍ମା ଉନ୍ମୁଳନ ଯାତ୍ରାରେ ଆଉ ଏକ ସଫଳ ମାଇଲଖୁଣ୍ଟରେ ପରିଣତ ହେବାର ପ୍ରତିଶ୍ରୁତି ପ୍ରଦାନ କରିଛି ।
ଯକ୍ଷ୍ମା ଉନ୍ମୁଳନ ନିମନ୍ତେ ଭାରତର ସାମାଜିକ ଅଭିଯାନ
ଡାଏଗ୍ନୋଷ୍ଟିକ୍ ପ୍ରୟାସକୁ ଅଧିକ ସମ୍ପ୍ରସାରିତ କରିବା ଏବଂ ଯକ୍ଷ୍ମା ରୋଗରୁ ଆକ୍ରାନ୍ତମାନଙ୍କୁ ଉପଯୁକ୍ତ ଚିକିତ୍ସା ଦ୍ୱାରା ସମ୍ପୂର୍ଣ୍ଣ ରୂପେ ସୁସ୍ଥ କରିବା ଉପକ୍ରମକୁ ସହାୟତା ପ୍ରଦାନ ନିମନ୍ତେ, ଭାରତ ଏକ ପୌଷ୍ଟିକ ସହାୟତା ଯୋଜନା "ନିଃ-କ୍ଷୟ ପୋଷଣ ଯୋଜନା' (ଏନ. ପି. ୱାଇ.)ର ପରିକଳ୍ପନା ଏବଂ କାର୍ଯ୍ୟକାରୀ କରାଯାଇଛି । ୨୦୧୮ ମସିହା ଅପ୍ରେଲ ମାସ ଠାରୁ ଆମେ ଏନ.ପି.ୱାଇ. ଅଧୀନରେ ପ୍ରତ୍ୟକ୍ଷ ସୁବିଧା ହସ୍ତାନ୍ତରଣ ମାଧ୍ୟମରେ ୧କୋଟି ୧୬ଲକ୍ଷ ହିତାଧିକାରୀଙ୍କୁ ୩,୨୯୫କୋଟି ଟଙ୍କା ବିତରଣ କରିଛୁ । ଭାରତର ଯକ୍ଷ୍ମା ଉନ୍ମୁଳନ କାର୍ଯ୍ୟକ୍ରମ ନିମନ୍ତେ ଥିବା ପ୍ରତିବଦ୍ଧତାକୁ ଯାହା ପ୍ରମୁଖ ସାମର୍ଥ୍ୟ ଯୋଗାଇଛି ତାହା ହେଲା ମାସିକ ସହାୟତା ରାଶି ଯୋଗାଣ । ଏହି ଯୋଜନାରେ ଏହି ପରିମାଣକୁ ୨୦୨୪ ମସିହା ନଭେମ୍ବର ମାସ ଠାରୁ ମାସିକ ୫୦୦ ଟଙ୍କାରୁ ୧୦୦୦ ଟଙ୍କାକୁ ବୃଦ୍ଧି କରାଯାଇଛି । ଆଉ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହେଲା ‘ଯକ୍ଷ୍ମାମୁକ୍ତ ଭାରତ ଅଭିଯାନ’ । ଏହା କେବଳ ପୌଷ୍ଟିକ ଚାଲେଞ୍ଜ୍ର ମୁକାବିଲା କରିବାରେ ସହାୟକ ହୋଇନାହିଁ, ଅପରପକ୍ଷେ ଗୋଷ୍ଠୀ ସହଭାଗୀତା ଏବଂ ଯୋଗଦାନକୁ ମଧ୍ୟ ସମ୍ପ୍ରସାରିତ କରିଛି । ଏହି କାର୍ଯ୍ୟକ୍ରମ ଗୋଷ୍ଠୀର ବିଭିନ୍ନ ହିତଧାରକଙ୍କୁ ଏକଜୁଟ କରି ଏହାକୁ ଏକ ଜନଆନ୍ଦୋଳନରେ ପରିଣତ କରିଛି ଏବଂ ଲୋକମାନଙ୍କ ମଧ୍ୟରେ ସଚେତନତା ବୃଦ୍ଧି ଘଟାଇଛି । ଏତଦ୍ ବ୍ୟତୀତ ଯକ୍ଷ୍ମା ରୋଗୀମାନଙ୍କୁ ପୌଷ୍ଟିକ, ଧନ୍ଦାମୂଳକ ଏବଂ ମନସ୍ତାତ୍ତ୍ୱିକ ସହାୟତା ଯୋଗାଇ ପାରିଛି । ଏହି ସରକାରୀ ନାଗରିକ ସମନ୍ୱୟ "ଜନଭାଗିଦାରୀ'ର ମାନସିକତାରେ ଆରମ୍ଭ କରାଯାଇଛି, ଯାହାଫଳରେ ଦେଶରେ ପ୍ରାୟ ୧.୭୫ଲକ୍ଷ "ନିଃ-କ୍ଷୟ ମିତ୍ର' ଏଥିରେ ଉତ୍ସାହିତ ହୋଇ ଯକ୍ଷ୍ମାରୋଗୀଙ୍କୁ ପ୍ରାୟ ୨୧ଲକ୍ଷ ଖାଦ୍ୟ ବାସ୍କେଟ୍ ବଣ୍ଟନ କରିଛନ୍ତି ।
ଯକ୍ଷ୍ମାର ମୂଳୋତ୍ପାଟନ ନିମନ୍ତେ ନବସୃଜନ ଉପକ୍ରମ
ସମୟକ୍ରମେ, ଭାରତ ଚିକିତ୍ସା ସଫଳତା ହାରରେ ଉନ୍ନତି ଆଣିବା ସକାଶେ ଭାରତ ବେଡାକ୍ୱିଲାଇନ୍ ଏବଂ ଡେଲାମାନିଡ୍ ଭଳି ନୂଆ ନୂଆ ଧରଣର ଔଷଧ ପ୍ରବର୍ତ୍ତନ କରିଛି । ଔଷଧ- ପ୍ରତିକ୍ରିୟା ସହନଶୀଳ ରୋଗୀମାନଙ୍କ ସକାଶେ ଚିକିତ୍ସା ଅବଧି ଶେଷ କରିବା କ୍ଷେତ୍ରରେ ଥିବା ସମସ୍ୟାବଳୀକୁ ବିଚାର ପୂର୍ବକ ଆମେ ଏକ ନୂତନ ଧରଣର ସ୍ୱଳ୍ପକାଳୀନ ଆହାର ବ୍ୟବସ୍ଥା ‘ବିପିଏଏଲଏମ’କୁ ଅନୁମତି ପ୍ରଦାନ କରିଛୁ, ଯାହାକି ବର୍ତ୍ତମାନର ଆହାର ବ୍ୟବସ୍ଥାଠାରୁ ଅଧିକ ଫଳପ୍ରସୂ ପ୍ରୟାସ । ପାରମ୍ପରିକ ୧୯-୨୦ ମାସର ପୌଷ୍ଟିକ ଆହାର ସହିତ ଆମେ ଯକ୍ଷ୍ମା ରୋଗୀମାନଙ୍କ ସକାଶେ ୯-୧୧ ମାସ ପାଇଁ ଏକ ସ୍ୱଳ୍ପକାଳୀନ ପୌଷ୍ଟିକ ଆହାର ବ୍ୟବସ୍ଥା ଉପଲବ୍ଧ କରାଇଛୁ । ଏହା ଫଳରେ ନୂତନ ସମ୍ପୂର୍ଣ୍ଣ ଚିକିତ୍ସା ମାତ୍ର ଛଅ ମାସ ମଧ୍ୟରେ ଶେଷ ହୋଇପାରିବ! ଆମେ ନିରବଚ୍ଛିନ୍ନ ଭାବରେ ଏହି ପ୍ରୟାସ ଜାରି ରଖିବା ସୁନିଶ୍ଚିତ କରିଛୁ ଯେ, ଅତ୍ୟାଧୁନିକ ସାଧନ ଯେପରି ଗ୍ରାମାଞ୍ଚଳ ସ୍ତରରେ ସୁଦ୍ଧା ଉପଲବ୍ଧ ହୋଇପାରିବ, ଯାହାଫଳରେ ସବୁ ଯକ୍ଷ୍ମା ରୋଗୀଙ୍କୁ ଉପଯୁକ୍ତ ସମୟରେ ଚିହ୍ନଟ କରାଯିବା ସହିତ ସେମାନଙ୍କୁ ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ । ଏଥିପାଇଁ ପ୍ରଥମ ସାଧନଟି ହେଲା ନିର୍ଦ୍ଦିଷ୍ଟ ଡାଏଗ୍ନୋଷ୍ଟିକ୍ ଟୁଲ୍, ଯାହାକୁ ଯଥାଶୀଘ୍ର ଯୋଗାଇ ଦିଆଯାଉଛି । ଏହାକୁ ଅଧିକ ସଫଳ କରିବା ନିମନ୍ତେ ଆମେ ଆଉ ଏକ ସକ୍ରିୟ ଏବଂ ଶୁଦ୍ଧ ଡାଏଗ୍ନୋଷ୍ଟିକ୍ ଟୁଲ୍- ମଲିକୁଲାର ପରୀକ୍ଷା ବ୍ୟବସ୍ଥା ପ୍ରବର୍ତ୍ତନ କରିଛୁ ।
୨୦୧୪-୧୫ ମସିହାରେ ସାରା ଦେଶରେ ମାତ୍ର କେଇଶହ ମେସିନ୍ ଉପଲବ୍ଧ ଥିବାବେଳେ ଆମେ ବର୍ତ୍ତମାନ ଦେଶର ସମସ୍ତ ଜିଲ୍ଲାରେ ଏଭଳି ୮,୨୯୩ଟି ମଲିକୁଲାର ଡାଏଗ୍ନୋଷ୍ଟିକ୍ ମେସିନ୍ ଉପଲବ୍ଧ କରାଇଛୁ । ବାସ୍ତବ ଦୃଷ୍ଟିରୁ ବିଚାର କରି ଦେଖିଲେ "ମେକ୍ ଇନ୍ ଇଣ୍ଡିଆ' ଉପକ୍ରମରୁ ସୂତ୍ର ପାଇ ନିଜସ୍ୱ ଜ୍ଞାନକୌଶଳରେ ନିର୍ମିତ ମଲିକୁଲାର ଟେଷ୍ଟ୍ର କ୍ଷେତ୍ର ପରୀକ୍ଷଣ କରାଯାଇଥିଲା ଏବଂ ଏହାକୁ ଯକ୍ଷ୍ମା ପରୀକ୍ଷା ନିମନ୍ତେ ପ୍ରବର୍ତ୍ତନ କରାଯାଇଥିଲା । ଏହାଫଳରେ ଜିଲ୍ଲା ଓ ବ୍ଲକ୍ ସ୍ତରରେ ଯକ୍ଷ୍ମା ରୋଗୀଙ୍କୁ ପରୀକ୍ଷା କରି ଚିହ୍ନଟ କରିବା ସମୟ କେବଳ ହ୍ରାସ ପାଇନାହିଁ ବରଂ ଟେଷ୍ଟିଂ ଏବଂ ଚିକିତ୍ସା ଖର୍ଚ୍ଚ ମଧ୍ୟ ବହୁଳ ମାତ୍ରାରେ ହ୍ରାସ ପାଇଛି । ଆମର ନିଜସ୍ୱ ମଲିକୁଲାର ଟେଷ୍ଟକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁ. ଏଚ.ଓ.) ଅନୁମୋଦନ ଲାଭ କରିଛି ଏବଂ ଏବେ ଏହି ପଦ୍ଧତି ସାରା ବିଶ୍ୱରେ ପ୍ରବର୍ତ୍ତନ କରାଯାଇଛି । ଏହିସବୁ ଉପକ୍ରମ ଭାରତକୁ ଯକ୍ଷ୍ମା ନିରୋଧୀ କାର୍ଯ୍ୟକ୍ରମରେ ଏକ ବିଶ୍ୱ ନେତୃତ୍ୱରେ ବାସ୍ତବରେ ପରିଚିତ କରାଇପାରିଛି । ଆମେ ଏଥିପାଇଁ ମଧ୍ୟ ଗର୍ବ ଓ ଗୌରବ ଅନୁଭବ କରିବା ଉଚିତ ଯେ, ଭାରତୀୟ ଚିକିତ୍ସା ଗବେଷଣା ପରିଷଦ (ଆଇ.ସି.ଏମ.ଆର.) ନିରବଚ୍ଛିନ୍ନ ଭାବରେ ୨୦୧୮ ମସିହାଠାରୁ ବିଶ୍ୱବ୍ୟାପୀ ପ୍ରମୁଖ ସରକାରୀ ପାଣ୍ଠି ବ୍ୟବହାରକାରୀ ଯକ୍ଷ୍ମା ଗବେଷଣା ସଂସ୍ଥା ଭାବରେ ରହିଆସିଛି । ଆହୁରି ନୂଆ ନୂଆ ସାଧନ ଯେଉଁଥିରେ ଅଧିକ ସକ୍ରିୟ ଡାଏଗ୍ନୋଷ୍ଟିକ୍ ଓ ଯତ୍ନ ସୁବିଧା ରହିଛି ସେହିଭଳି ପଦ୍ଧତିର ବିକାଶ ଏବଂ ପ୍ରବର୍ତ୍ତନ ନିମନ୍ତେ ଆମର ପୁଞ୍ଜି ନିବେଶ ଧାରା ଭବିଷ୍ୟତରେ ମଧ୍ୟ ଜାରି ରଖିବୁ ।
ଭବିଷ୍ୟତର ମାର୍ଗ
ଭାରତର ଯକ୍ଷ୍ମା ଉନ୍ମୁଳନ ଯାତ୍ରା ଏହାର ନେତୃତ୍ୱ ପାଇଁ ଏକ ଅଗ୍ନିପରୀକ୍ଷା ସଦୃଶ, ଯେଉଁଥିରେ ନବସୃଜନକୁ ବିଭିନ୍ନ କ୍ଷେତ୍ରରେ ଉପଯୋଗ କରାଯାଉଛି ଏବଂ ନୂଆ ନୂଆ ସଫଳ ପ୍ରଯୁକ୍ତି ଓ ପଦ୍ଧତିମାନ ଉପଲବ୍ଧ କରାଯାଉଛି, ଯାହା ଏହି ଉପକ୍ରମକୁ ତ୍ୱରାନ୍ୱିତ କରୁଛି । ଯୁଗାନ୍ତକାରୀ ଗବେଷଣାରୁ ଅତ୍ୟାଧୁନିକ ଡାଏଗ୍ନୋଷ୍ଟିକ୍ସ ଏବଂ ଚିକିତ୍ସା ପଦ୍ଧତିମାନ ପ୍ରବର୍ତ୍ତନ କରାଯାଇଛି, ଯାହା ସାର୍ବଜନୀନ ସାମାଜିକ ସହାୟତା ବ୍ୟବସ୍ଥାକୁ ରୂପ ପ୍ରଦାନ କରିଛି । ବର୍ତ୍ତମାନ ଭାରତ ବୈଶ୍ୱିକ ଯକ୍ଷ୍ମା ନିରୋଧୀ ଉପକ୍ରମରେ ସାରା ବିଶ୍ୱରେ ସର୍ବାଗ୍ରେ ରହିଛି । ତେଣୁ ଯକ୍ଷ୍ମାରୋଗୀଙ୍କୁ ଚିହ୍ନଟ କରିବା, ସେମାନଙ୍କ ଡାଏଗ୍ନୋସିସ୍, ଚିକିତ୍ସା ଓ ନିରାକରଣରେ ବ୍ୟାପକ ଜନଭାଗିଦାରୀକୁ ସୁନିଶ୍ଚିତ କରିବା ହେଉଛି ସମୟର ଆବଶ୍ୟକତା । ଏହି ୧୦୦ ଦିନିଆ ଅଭିଯାନ ଏହି ଚିକିତ୍ସା ଉପକ୍ରମକୁ ଆମର ସାମୂହିକ ପ୍ରତିବଦ୍ଧତା ମାଧ୍ୟମରେ ଅଧିକ ବ୍ୟାପକ କରିଛି । ମୋର ଦୃଢ଼ ବିଶ୍ୱାସ ଯେ, ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବଳିଷ୍ଠ ନେତୃତ୍ୱରେ ଏବଂ ସମସ୍ତ ହିତଧାରକଙ୍କ ସହଯୋଗରେ, ଆମେ ମାନବ ସମାଜର ଏହି ମହାନ୍ ଶତ୍ରୁକୁ ସମ୍ପୂର୍ଣ୍ଣ ରୂପେ ପରାସ୍ତ କରି ସମସ୍ତଙ୍କ ପାଇଁ ଏକ ସୁସ୍ଥ ସମାଜ ଗଠନ କରିବାରେ ସକ୍ଷମ ହୋଇପାରିବୁ ।
ଭାରତର ଯକ୍ଷ୍ମା ଉନ୍ମୁଳନ ଯାତ୍ରା ଏହାର ନେତୃତ୍ୱ ପାଇଁ ଏକ ଅଗ୍ନିପରୀକ୍ଷା ସଦୃଶ, ଯେଉଁଥିରେ ନବସୃଜନକୁ ବିଭିନ୍ନ କ୍ଷେତ୍ରରେ ଉପଯୋଗ କରାଯାଉଛି ଏବଂ ନୂଆ ନୂଆ ସଫଳ ପ୍ରଯୁକ୍ତି ଓ ପଦ୍ଧତିମାନ ଉପଲବ୍ଧ କରାଯାଉଛି, ଯାହା ଏହି ଉପକ୍ରମକୁ ତ୍ୱରାନ୍ୱିତ କରୁଛି । ଯୁଗାନ୍ତକାରୀ ଗବେଷଣାରୁ ଅତ୍ୟାଧୁନିକ ଡାଏଗ୍ନୋଷ୍ଟିକ୍ସ ଏବଂ ଚିକିତ୍ସା ପଦ୍ଧତିମାନ ପ୍ରବର୍ତ୍ତନ କରାଯାଇଛି, ଯାହା ସାର୍ବଜନୀନ ସାମାଜିକ ସହାୟତା ବ୍ୟବସ୍ଥାକୁ ରୂପ ପ୍ରଦାନ କରିଛି ।