କୋଇଡ଼ା,୧୧/୦୫: ରିଲ୍ସ ନିଶାରେ ପଡ଼ି ଅକାଳରେ ଝଡ଼ି ଯାଉଛି ଅନେକ ଲୋକଙ୍କ ଜୀବନ । ଏହା ପରେ ବି ଲୋକେ ରିଲ୍ସ କରିବା ଛାଡ଼ୁନାହାନ୍ତି । ଏଭଳି ଏକ ଘଟଣା ଶନିବାର ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ବ୍ଲକ୍ କେ.ବଲାଙ୍ଗ ଅଞ୍ଚଳରେ ଦେଖିବାକୁ ମିଳିଛି । ଟ୍ରକ୍ ଛିଡ଼ା କରି ପୋଲ ଉପରେ ଛିଡ଼ା ହୋଇ ଚାଳକ ଜଣକ ମୋବାଇଲରେ ରିଲ୍ସ କରୁଥିବା ବେଳେ ଖସି ପଡ଼ି ପ୍ରାଣ ହରାଇଛନ୍ତି । ମୃତକ ଜଣକ ହେଲେ ସୁରେଶ କୁମାର ଓ ତାଙ୍କ ଘର ଉତ୍ତରପ୍ରଦେଶରେ ସୂଚନା ମିଳିଛି ।
ଶନିବାର ସକାଳେ ରାଉରକେଲାରୁ କୋଇଡ଼ା ଅଭିମୁଖେ ଏକ ୧୮ ଚକିଆ ଖାଲି ଟ୍ରକ୍ (ଓଡି୧୬କେ ୭୧୭୧) ଚଳାଇ ସୁରେଶ ଆସୁଥିଲେ । କେ.ବଲାଙ୍ଗ ଥାନା ଅନ୍ତର୍ଗତ ୫୨୦ ଜାତୀୟ ରାଜପଥ ନିକଟରେ ଥିବା ଚୂନାଘାଟି ପୋଲ ଉପରେ ଗାଡ଼ି ଛିଡ଼ା କରିଥିଲେ । ପୋଲ ବାଡ଼ାରେ ଛିଡ଼ା ହୋଇ ମୋବାଇଲରେ ରିଲ୍ସ କରୁଥିବା ବେଳେ ଅସାବଧାନତା ଯୋଗୁଁ ପ୍ରାୟ ୭୦ ଫୁଟ୍ ତଳକୁ ଖସି ପଡ଼ିଥିଲେ । ଫଳରେ ତଳେ ଥିବା ପଥରରେ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା ଓ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା । ଚାଳକ ଜଣକ ମୋବାଇଲରେ ରିଲ୍ସ କରୁଥିବା ସମୟରେ ଏଭଳି ଘଟଣା ଘଟିଥିବା ପୁଲିସ୍ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି । ମୃତଦେହ ଜବତ କରି ଡାକ୍ତରଖାନାରେ ପୁଲିସ୍ ରଖିବା ସହ ପରିବାର ଲୋକଙ୍କୁ ଏ ନେଇ ସୂଚନା ଦିଆଯାଇଥିବା ଥାନାର ଭାରପ୍ରାପ୍ତ ଅଧିକାରୀ ଅଶୋକ କୁମାର ବେହେରା କହିଛନ୍ତି।