ନୂଆପଡ଼ା,୧୧/୫ : ନୂଆପଡ଼ା ଜିଲ୍ଲାରେ ଦାଦନ ଦୁଃଖ ଥମିବାର ନାଁ ନେଉନି । ଚେନ୍ନାଇରେ କୋମନା ଥାନା କୋନାବିରା ଗାଁର ପୂର୍ଣ୍ଣ ପ୍ରରାଭୂଏ(୩୨)ଙ୍କ ମୃତ୍ୟୁ ହୋଇଛି । ଗତ ୫ ମାସ ତଳେ କୋନାବିରା ଗାଁର ପୁର୍ଣ୍ଣ ନିଜ ସ୍ତ୍ରୀ ଓ ୩ଛୁଆକୁ ଧରି କାମ ଅଭାବରୁ ପେଟ ପାଟଣା ପାଇଁ ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯାଇଥିଲେ । ତାମିଲନାଡୁର ଚେନ୍ନାଇ ନିକଟ ଅଦମ ପୋଲିସ ଜିଲ୍ଲା ଥିରୁନିରବୁର ଥାନା ଅଞ୍ଚଳର ଏକ ଇଟାଭାଟିରେ ଇଟା ତିଆରି କାମରେ ନିୟୋଜିତ ହୋଇଥିଲେ । ଆଜି ପୂର୍ବାହ୍ନ ୧୦ଟାରେ କାମ କରୁଥିବାବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ଗୁରୁତର ହୋଇଥିଲେ । ସ୍ଥାନୀୟ ଲୋକେ ପୂର୍ଣ୍ଣଙ୍କୁ ଗୁରୁତର ଅବସ୍ଥାରେ ନିକଟ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ସେଠି ପୂର୍ଣ୍ଣଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଏ ନେଇ ଥିରୁନିରବୁର ଥାନାରେ ଏକ ମାମଲା ରୁଜୁ କରି ପୋଲିସ ତଦନ୍ତ ଚଳାଇଛି । ଏବେ ଚେନ୍ନାଇରେ ସ୍ତ୍ରୀ ଓ ୩ଛୁଆ ଅସହାୟ ହୋଇ ପଡ଼ିଛନ୍ତି । ଖବରପାଇ ପରିବାର ଲୋକେ ମୃତଦେହ ଆଣିବାକୁ ଚେନ୍ନାଇ ଅଭିମୁଖେ ବାହାରିଛନ୍ତି ।
ଆଜି ମଧ୍ୟାହ୍ନରୁ ସ୍ଵାମୀଙ୍କ ମୃତଦେହକୁ ପତ୍ନୀ ଜଗି ରହିଛନ୍ତି । ଏବେ ସାଙ୍ଗରେ ୩ ତିନି ଛୁଆକୁ ଧରି ରାଜ୍ୟ ବାହାରେ ଅସହାୟ ହୋଇ ପଡିଛନ୍ତି । ଆସନ୍ତାକାଲି ସକାଳେ ମୃତଦେହକୁ ଧରି ପରିବାର ଲୋକେ ଫେରିବାର ରହିଛି । ପୂର୍ଣ୍ଣ ଜଣେ ଗରିବ ଶ୍ରେଣୀର ଯୁବକ ହୋଇଥିବାରୁ ସରକାରୀ ସହାୟତା ଯୋଗାଇଦେବାକୁ ଜିଲ୍ଲା ପ୍ରଶାସନ ନିକଟରେ ଦାବି କରିଛନ୍ତି ।
ସୂଚନାଯୋଗ୍ୟ, ପ୍ରତିବର୍ଷ ଜିଲ୍ଲାରୁ କାମ ଅଭାବରୁ ହଜାର ହଜାର ଶ୍ରମିକ ପରିବାର ପ୍ରତିପୋଷଣ ପାଇଁ ରାଜ୍ୟ ବାହାରକୁ ଚାଲାଣ ହେଉଛନ୍ତି । ଜିଲ୍ଲା ପ୍ରଶାସନର ମନରେଗା ଭଳି ଅନେକ ଯୋଜନା ସତ୍ତ୍ବେ ଦାଦନ ଚାଲାଣ ଦିନକୁ ଦିନ ବଢ଼ିବାରେ ଲାଗିଛି । ଗତ ୩ମାସରେ ରାଜ୍ୟ ବାହାରେ ଜିଲ୍ଲାର ୫ରୁ ଅଧିକ ଦାଦନ ଶ୍ରମିକଙ୍କ ମୃତ୍ୟୁ ହୋଇ ସାରିଛି । ଏହାକୁ ନେଇ ସାଧାରଣରେ ଅସନ୍ତୋଷ ଦେଖାଦେଇଛି । ଏଣୁ ତୁରନ୍ତ ଜିଲ୍ଲାରୁ ଦାଦନ ଚାଲାଣ ରୋକିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି ।