ପ୍ରମୂଖ ଖବର
  • ନବ ଦାସ ହତ୍ୟାକାଣ୍ଡ : ଆଇନ୍‌ମନ୍ତ୍ରୀ କହିଲେ,"ତଦନ୍ତ ପ୍ରକ୍ରିୟା କ'ଣ ହେବ, ତାହା ସରକାର ନିଷ୍ପତ୍ତି ନେବେ"
  • ||
  • ବୌଦ୍ଧ : ଘର ସାମ୍ନାରେ ଯୁବକଙ୍କୁ ହତ୍ୟା ଘଟଣା: ୬ ଜଣଙ୍କୁ ବାନ୍ଧିଲା ପୋଲିସ
  • ||
  • ରାଜଧାନୀରେ ସିରିଜ୍‌ ଦୁର୍ଘଟଣା, ମୋ ବସ୍‌କୁ ପିଟିଲା ଆଉ ଏକ ମୋ ବସ୍‌
  • ||
  • ରଣଜୀ ଟ୍ରଫିର ଦ୍ୱିତୀୟ ଭାଗ: ଆଜିଠୁ ଗ୍ରାଉଣ୍ଡକୁ ଓହ୍ଲାଇବେ ରୋହିତ, ପନ୍ତ, ଗିଲ୍‌, ଜାଡ଼େଜା
  • ||
  • ଘନ କୁହୁଡ଼ିର ଚାଦର ତଳେ ଆଠଗଡ଼, ଯାତାୟତ ବାଧାପ୍ରାପ୍ତ
  • ||
  • କରଞ୍ଜିଆ : ଶିକାରୀଙ୍କୁ ଧରାଇ ଦେଲା ଏଆଇ କ୍ୟାମେରା, ୩ ଜଣଙ୍କୁ ଧରିଲା ସ୍ବତନ୍ତ୍ର ଏନଫୋର୍ସମେଣ୍ଟ୍ ଟିମ୍
  • ||
  • ରାଜ୍ୟରେ ରେକର୍ଡ ଭାଙ୍ଗିଲାଣି ତାତି: କୋରାପୁଟରେ ୩୩.୨ ଡିଗ୍ରୀ ପାର୍, ଆଗକୁ ରାତି ତାପମାତ୍ରା ୨ରୁ ୪ ଡିଗ୍ରୀ ବଢ଼ିବ
  • ||
  • ଭଦ୍ରକ : ଇଲେକ୍ଟ୍ରୋନିକ୍ସ ଦୋକାନରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ଲକ୍ଷାଧିକ ଟଙ୍କାର ସାମଗ୍ରୀ
  • ||

ଆଦର୍ଶ, ସମର୍ପଣ ଓ ପ୍ରେରଣାର ତୀର୍ଥସ୍ଥଳ ହେବ ଖିଣ୍ଡା ଗ୍ରାମ : ଧର୍ମେନ୍ଦ୍ର ପ୍ରଧାନ

Published By : Prameya | January 23, 2025 6:31 PM

ସମ୍ବଲପୁର ୨୩ ।୧ :  ପବିତ୍ର ଖିଣ୍ଡା ମାଟି ବିପ୍ଳବୀ ବୀର ସୁରେନ୍ଦ୍ର ସାଏଙ୍କ ପାଇଁ ଗର୍ବିତ । ତାଙ୍କ ପରି ଅଦ୍ୱିତୀୟ ନେତୃତ୍ୱଙ୍କ ତ୍ୟାଗ ଓ ବଳିଦାନକୁ ସମ୍ମାନ ଦେବା ପାଇଁ ଖିଣ୍ଡା ଗ୍ରାମକୁ ଆଦର୍ଶ, ସମର୍ପଣ ଓ ପ୍ରେରଣାର ତୀର୍ଥସ୍ଥଳ କରାଯିବ । ସାମୂହିକ ଉଦ୍ୟମରେ ଖିଣ୍ଡା ଗ୍ରାମକୁ ଆଧୁନିକ ଗ୍ରାମ କରିବା ପାଇଁ ଯୋଜନା କରାଯିବ । ଓଡ଼ିଶା ମାଟିର ଗୌରବ ବୀର ସୁରେନ୍ଦ୍ର ସାଏଙ୍କ ୨୧୭ତମ ଜୟନ୍ତୀ ଉପଲକ୍ଷେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହା କହିଛନ୍ତି। 

ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ଅବସରରେ ତାଙ୍କ ଜନ୍ମସ୍ଥାନ ସମ୍ବଲପୁର ଖିଣ୍ଡାରେ ଆୟୋଜିତ ତ୍ରିରଙ୍ଗା ପଦଯାତ୍ରାରେ ଶ୍ରୀ ପ୍ରଧାନ  ସାମିଲ ହୋଇଥିଲେ । ପରେ  ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ପ୍ରଧାନ କହିଛନ୍ତି ଯେ ଦେଶକୁ ସ୍ୱାଧୀନତା ଦେବାରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଏବଂ ବୀର ସୁରେନ୍ଦ୍ର ସାଏଙ୍କ ଅବଦାନ ଅତୁଳନୀୟ। ଆଜି ଭଳି ପବିତ୍ର ଦିନରେ ମହାପୁରୁଷ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମମାଟିକୁ ଆସି ନିଜକୁ ସୌଭାଗ୍ୟଶାଳୀ ମନେ କରୁଛି । ୨୧୭ ବର୍ଷ ପୂର୍ବେ ଉନ୍ନବିଂଶ ଶତାବ୍ଦୀରେ ଏହି ଖିଣ୍ଡା ଗ୍ରାମରେ ସେ ଜନ୍ମ ଗ୍ରହଣ କରିଥିଲେ । ଯୁବାବସ୍ଥାରୁ ଇଂରେଜମାନଙ୍କ ବିରୋଧରେ ସ୍ୱର ଉତ୍ତୋଳନ ତାଙ୍କର ମାତୃଭୂମି ପ୍ରତି ଥିବା ଭଲ ପାଇବାକୁ ପ୍ରତିଫଳିତ କରୁଛି । 

ମହାନ ବିପ୍ଲବୀ ବୀର ସୁରେନ୍ଦ୍ର ସାଏ ହେଉଛନ୍ତି ଓଡ଼ିଆ ଜାତିର ଅନ୍ୟତମ ପରିଚୟ । ବୀର ସୁରେନ୍ଦ୍ର ସାଏ ତାଙ୍କ ଭାଇ ଧ୍ରୁବ ସାଏ, ଉଜ୍ଜଳ ସାଏ, ଛବିଳ ସାଏ, ଯାଜ୍ଜଳ ସାଏ, ମେଦିନୀ ସାଏ ଏବଂ ପରିବାର ସଦସ୍ୟଙ୍କ ସହଯୋଗରେ ବ୍ରିଟିଶ ଆଗରେ ମୁଣ୍ଡ ନ ନୁଆଁଇ ସେମାନଙ୍କ ସହ ସଂଘର୍ଷ କରିଥିଲେ।  ଯେଉଁଥିପାଇଁ ତାଙ୍କୁ ହଜାରିବାଗ ଏବଂ ପରବର୍ତ୍ତୀ ଅବସ୍ଥାରେ ଆସିରଗଡ ଦୁର୍ଗରେ ଜେଲ୍ ଦଣ୍ଡାଦେଶ ଭୋଗିବାକୁ ପଡିଥିଲା । 

ସମ୍ବଲପୁର ହେଉ କିମ୍ବା ଝାରସୁଗୁଡ଼ା, ପ୍ରତି ଗାଁରେ ଲୋକମାନେ ଇଂରେଜଙ୍କ ବିରୋଧରେ ଏକାଠି ହୋଇ ଦେଶ ପାଇଁ ଥିବା ସମର୍ପଣ ଭାବନାର ପ୍ରମାଣ ଦେଇଛନ୍ତି । ଏହି ଭୂମିରେ ବୀର ସୁରେନ୍ଦ୍ର ସାଏ  ‘ଉଲଗୁଲାନ୍’ (ବିପ୍ଳବ) ମଧ୍ୟ ଆରମ୍ଭ କରିଥିଲେ । ସେଭଳି ଜଣେ ଅଦ୍ୱିତୀୟ ସଂଗ୍ରାମୀଙ୍କ ଜନ୍ମମାଟି ଖିଣ୍ଡା ଗ୍ରାମକୁ ଆଦର୍ଶ ଗାଁରେ ପରିଣତ କରିବା ପାଇଁ ଆମେ ସମସ୍ତେ ଯୋଜନା କରିବା ଦରକାର । ସମାଜର ସବୁ ବର୍ଗର ଲୋକଙ୍କୁ ଏକାଠି କରି ବୀର ସୁରେନ୍ଦ୍ର ସାଏଙ୍କ ଆଦର୍ଶକୁ ଆଗେଇ ନେବା, ଆମ ସମସ୍ତଙ୍କ ସଂକଳ୍ପ ହେବା ଦରକାର ବୋଲି  ଶ୍ରୀ ପ୍ରଧାନ କହିଥିଲେ। 

୧୮୫୭ ମସିହା ଡିସେମ୍ବର ୩୦ରେ ସମ୍ବଲପୁରର କୁଦୋପାଲି ଘାଟି ଦାୟିତ୍ୱରେ ଥିବା ତୁଙ୍ଗବୀର ଛବିଳ ସାଏ ବ୍ରିଟିଶ ମାନଙ୍କ ସହ ଅଦମ୍ୟ ସାହସର ସହ ଲଢି ସେ ଏବଂ ତାଙ୍କର ୫୩ ସହଯୋଗୀ ସଂଗ୍ରାମୀ ଶହୀଦ ହୋଇଥିଲେ ଓ ୪ ଜଣଙ୍କୁ ଦଣ୍ଡାଦେଶ ଦିଆଯାଇଥିଲା । ୨୩ ଜାନୁଆରୀ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମ ଜୟନ୍ତୀ । ସେଥିପାଇଁ  ଡିସେମ୍ବର ୩୦ରୁ ଜାନୁଆରୀ ୨୩ ପର୍ଯ୍ୟନ୍ତ ଭାରତ ସରକାର ଓ ରାଜ୍ୟ ସରକାର ଏବଂ ଜିଲ୍ଲା ପ୍ରଶାସନ ସହଯୋଗରେ ଏକ ଉତ୍ସବ କରି ବୀର ସୁରେନ୍ଦ୍ର ସାଏଙ୍କ  ତ୍ୟାଗ ଓ ବଳିଦାନକୁ ପୁନର୍ଜୀବିତ କରାଯିବା ଦରକାର । ଏହି ଅଞ୍ଚଳର ଚାଷୀ ଯଦୁମଣି ସାହୁ ତାଙ୍କ ଚାଷ କାମରୁ ଉପାର୍ଜନ କରିଥିବା ୫୦ ହଜାର ଟଙ୍କା ବୀର ସୁରେନ୍ଦ୍ର ସାଏଙ୍କ ନାମରେ ସମ୍ବଲପୁର ଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି ।  ବୀର ସୁରେନ୍ଦ୍ର ସାଏଙ୍କ ସ୍ମୃତିରେ ଏକ ପାଣ୍ଠି ଗଠନ କରି ତାହାକୁ ଛାତ୍ରବୃତ୍ତି ମାଧ୍ୟମରେ ଖିଣ୍ଡା ଗ୍ରାମର ଛାତ୍ରଛାତ୍ରୀଙ୍କୁ ଦେବା ପାଇଁ ସେ ପରାମର୍ଶ ଦେଇଥିଲେ । 

ଭାରତର ସ୍ୱାଧୀନତା ସଂଗ୍ରାମରେ ବୀର ସୁରେନ୍ଦ୍ର ସାଏ ଅଦମ୍ୟ ସାହସ ଦେଖାଇବା ସହ ଅଧିକ ସମୟ କାରାଗାରରେ ସମୟ ବିତାଇଥିଲେ ଓ ଶେଷରେ ଦେଶ ମାତୃକାର ସେବା ପାଇଁ ବଳିଦାନ ଦେଇଥିଲେ । ତାଙ୍କ ପରି ମହାନ ବିପ୍ଳବୀଙ୍କୁ ଆଜିର ଦିନରେ ମନେ ପକାଇବା ଆମ ସମସ୍ତଙ୍କ ପାଇଁ ଏକ ଗୌରବର ଅବସର । ତାଙ୍କର ନିଷ୍ଠା ଓ ସାହସ ଓଡିଶାର ଯୁବପିଢିଙ୍କୁ ଯୁଗ ଯୁଗ ଧରି ଅନୁପ୍ରାଣିତ କରୁଥିବ, ଏଥିରେ ସନ୍ଦେହ ନାହିଁ  ବୋଲି ଶ୍ରୀ ପ୍ରଧାନ କହିଥିଲେ।  

ଉଲ୍ଲଖନୀୟ ଯେ, ଶ୍ରୀ ପ୍ରଧାନ ପରାକ୍ରମ ଦିବସ ଅବସରରେ ସମ୍ବଲପୁରର ବିଭିନ୍ନ ସ୍ଥାନରେ ମହାତ୍ମା ଗାନ୍ଧୀ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଏବଂ ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.