ସମ୍ବଲପୁର, ୧୮/୧ : ‘ସମ୍ବଲପୁର ପୁସ୍ତକ ମେଳା’ ସମ୍ବଲପୁରକୁ ସାରସ୍ୱତ ନଗରୀରେ ପରିଚିତ କରାଇବାରେ ଏକ ପ୍ରମୁଖ ମାଧ୍ୟମ ହେବ ବୋଲି ଶନିବାର ସାରସ୍ୱତ ମାଟି ସମ୍ବଲପୁର ଠାରେ “ସମ୍ବଲପୁର ପୁସ୍ତକ ମେଳା - ୨୦୨୫”କୁ ଉଦଘାଟନ କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ନ୍ୟାସନାଲ ବୁକ ଟ୍ରଷ୍ଟ, ସେତୁ ଏବଂ ଜିଲ୍ଲା ପ୍ରଶାସନର ମିଳିତ ସହଯୋଗରେ ଆୟୋଜିତ ଏହି ପୁସ୍ତକ ମେଳାରେ ଶ୍ରୀ ପ୍ରଧାନ ନିଜର ଗୁରୁ ତଥା ପ୍ରଫେସର ସ୍ୱର୍ଗତ ସୁଦର୍ଶନ ପୂଜାରୀଙ୍କ ଲିଖିତ ‘ଆମ ସଂସ୍କୃତି ଭବ ବିଭବ’ ପୁସ୍ତକ ଉନ୍ମୋଚନ କରିଥିଲେ । ସେହିପରି ଦୀପକ କୁମାର ପଣ୍ଡାଙ୍କ ଲିଖିତ ‘ସମ୍ବଲପୁର ଇତିହାସ’ ଓ ଡଃ ଦ୍ୱାରିକା ନାଥ ନାଏକ ‘ଲୋକ ସଂସ୍କୃତିର ଉତ୍ସ ଓ ପ୍ରକାଶ’ ପୁସ୍ତକ ଲୋକାର୍ପିତ କରି ଖୁସି ବ୍ୟକ୍ତ କରିଥିଲେ । ଏହାବ୍ୟତୀତ ସମ୍ବଲପୁର ଜିଲ୍ଲାର ସବୁ ସ୍କୁଲରୁ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ୧୮ ରୁ ୨୬ ଜାନୁଆରୀ ପର୍ଯ୍ୟନ୍ତ ନଅ ଦିନ ବ୍ୟାପୀ ହେବାକୁ ଥିବା ଏହି ପୁସ୍ତକମେଳା ବୁଲିବା ସହ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଉପଭୋଗ କରିବା ପାଇଁ ପରାମର୍ଶ ଦେଇଥିଲେ ।
ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ ମା’ସମଲେଶ୍ୱରୀଙ୍କ ଆଶୀର୍ବାଦରେ ଗଢି ଉଠିଥିବା ସମ୍ବଲପୁର କଳା, ସଂସ୍କୃତି, ପରମ୍ପରା, ସଙ୍ଗୀତ, ସାହିତ୍ୟ, ନୃତ୍ୟ, ବାଣିଜ୍ୟ, ବ୍ୟବସାୟ ଏବଂ ପର୍ଯ୍ୟଟନର ଏକ ପ୍ରମୁଖ କେନ୍ଦ୍ରସ୍ଥଳ । ବହୁମୁଖୀ ସଂସ୍କୃତି, ଭାଷା ଓ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ସହର । ପଢା ଲେଖା ଓ ଅଭିବ୍ୟକ୍ତିର ଏକ ମହାନ ପରମ୍ପରା, ଯାହାର ଜ୍ୱଳନ୍ତ ପ୍ରତିଫଳନ ଆଜିର ପୁସ୍ତକ ମେଳା । ପାରମ୍ପରିକ ଭାବେ ଜ୍ଞାନ ଆହରଣ ଓ ଅଧ୍ୟୟନର କେନ୍ଦ୍ର ରହିଆସିଥିବା ସମ୍ବଲପୁର ମାଟିରେ ପ୍ରତିବର୍ଷ ଏଭଳି ପୁସ୍ତକ ମେଳାର ଆୟୋଜନ ନିଶ୍ଚିତ ଭାବେ ଏକ ପ୍ରଶଂସନୀୟ ଉଦ୍ୟମ । ଆଗାମୀ ଦିନରେ ଏହି ପୁସ୍ତକ ମେଳା ସମ୍ବଲପୁରକୁ ବୈଶ୍ୱିକ ସ୍ତରରେ ନୂଆ ପରିଚୟ ଦେବ । ରାଜ୍ୟର ବୌଦ୍ଧିକ ପ୍ରବାହର ମାନ ପର୍ଯ୍ୟାଦା ବଢାଇବ ।
କେନ୍ଦ୍ରମନ୍ତ୍ରୀ କହିଛନ୍ତି ସମ୍ବଲପୁର ମାଟି କ୍ରାନ୍ତି ଓ ସମର୍ପଣର ମାଟି । ଭାବନା ଓ ନୂଆ ଚିନ୍ତା କରୁଥିବାର ମାଟି । ଏହି ମାଟିରେ ଜନ୍ମ ଗ୍ରହଣ କରିଥିବା ବରପୁତ୍ରମାନେ ସର୍ବଦା ସମାଜ ଓ ରାଷ୍ଟ୍ର ନିର୍ମାଣରେ ନିଜର ବଳିଷ୍ଠ ଯୋଗଦାନ ଦେଇ ଆସିଛନ୍ତି । ଅବିଭକ୍ତ ସମ୍ବଲପୁରର ବୀର ସୁରେନ୍ଦ୍ର ସାଏ, ଧ୍ରୁବ ସାଏ, ଉଜ୍ଜଳ ସାଏ, ଛବିଳ ସାଏ, ଯାଜ୍ଜଳ ସାଏ, ମେଦିନୀ ସାଏ, କରୁଣାକର ସିଂହ ନାଏକ, ମାଧୋ ସିଂହ, କୁଞ୍ଜଲ ସିଂହ, ଐରୀ ସିଂହ, ବୈରୀ ସିଂହ, ହଟେ ସିଂହ, ଶହୀଦ ମଧୁ ଗଡତିଆଙ୍କ ବୀରତ୍ୱ ଓ ପରାକ୍ରମ ଅସାଧାରଣ । ନିକଟରେ ସମ୍ବଲପୁରରେ ୧୮୫୭ ମସିହା ଡିସେମ୍ବର ୩୦ରେ ସମ୍ବଲପୁରର କୁଦୋପାଲି ଘାଟିରେ ଶହୀଦ ହୋଇଥିବା ବୀର ଛବିଳ ସାଏ ତଥା ୫୭ ଜଣ ଶହୀଦଙ୍କ ଇତିହାସକୁ ନେଇ ଲିଖିତ ‘ଦି ସାଗା ଅଫ୍ କୁଦୋପାଲି : ଦ ଅନସଙ୍ଗ୍ ଷ୍ଟୋରି ଅଫ୍ ୧୮୫୭” ଇଂରାଜୀ ପୁସ୍ତକ ସମ୍ବଲପୁରର ବୀରତ୍ୱ ଓ ସଂଘର୍ଷ କଥାକୁ ବିଶ୍ୱବିଦିତ କରାଇବାରେ ସହାୟକ ହେବ । ଆଗାମୀ ଦିନରେ ସମ୍ବଲପୁର ଇତିହାସର ଗୌରବମୟ ଗାଥାକୁ ସମସ୍ତଙ୍କ ପାଖରେ ପହଞ୍ଚାଇବା ପାଇଁ ମଧ୍ୟ ଏନବିଟି ପକ୍ଷରୁ ଯୋଜନା କରାଯିବ ।
ହୀରାକୁଦ ନଦୀବଦ୍ଧ ହେଉ କିମ୍ବା ସାରସ୍ୱତ କୃତି ଅବା ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଲିଖିତ ସଙ୍ଗୀତ ; ସମ୍ବଲପୁରର ମୁଳ ପୁଞ୍ଜି ଓ ବିଚାରଧାରାକୁ ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରକୁ ନେବା ପାଇଁ ଏକ ଭଲ ସୁଯୋଗ ଆମ ପାଖରେ ଉପନୀତ ହୋଇଛି । ଏକବିଂଶ ଶତାବ୍ଦୀରେ ସମସ୍ୟାର ସମାଧାନର ଏନ୍ତୁଡ଼ିଶାଳ ସମ୍ବଲପୁର ହେବ ବୋଲି କେନ୍ଦ୍ର ଶିକ୍ଷା ମନ୍ତ୍ରୀ କହିଛନ୍ତି ।