ନୂଆଦିଲ୍ଲୀ,୨୪/୧୨: ମୋବାଇଲ ବ୍ୟବହାରକାରୀଙ୍କ ପାଇଁ ଖୁସି ଖବର । ଏବେ କଲ୍ ଓ ଏସଏମଏସ ପାଇଁ ମିଳିବ ଭାଉଚର । ଡାଟା ବ୍ୟବହାର କରୁନଥିବା ଗ୍ରାହକଙ୍କୁ ମିଳିବ ଫାଇଦା । ଟାରିଫ ନିୟମରେ ସଂଶୋଧନ ଆଣିଲା ଟେଲିକମ ଟେଗୁଲେଟରୀ ଅଥରିଟି ଅଫ୍ ଇଣ୍ଡିଆ (TRAI)। ଭଏସ କଲ ଓ ଏସଏମଏସ ପାଇଁ ସ୍ବତନ୍ତ୍ର ପ୍ଲାନ ଆଣିବାକୁ ମୋବାଇଲ ସେବା ପ୍ରଦାନକାରୀ କମ୍ପାନୀଙ୍କୁ ଟ୍ରାଇ ନିର୍ଦ୍ଦେଶ ଦେଇଛି । ଏହି ଖବର ପ୍ରକାଶ ପାଇବା ପରେ ଗ୍ରାହକଙ୍କ ମଧ୍ୟରେ ଖୁସିର ଲହରୀ ଦେଖିବାକୁ ମିଳିଛି ।
ଭଏସ କଲ୍ ଓ ଏସଏମଏସ ପାଇଁ ସ୍ବତନ୍ତ୍ର ପ୍ଲାନ ଆସିଲେ ଡାଟା ବ୍ୟବହାର କରୁନଥିବା ଗ୍ରାହକଙ୍କୁ ଏହାର ଫାଇଦା ମିଳିବ । ଏହା ସହିତ ୯୦ ଦିନିଆ ସ୍ପେଶାଲ ରିଚାର୍ଜ କୁପନର ଅବଧି ୩୬୫ ଦିନକୁ ବୃଦ୍ଧି ପାଇଁ ନିର୍ଦ୍ଦେଶ ହୋଇଛି । ଅତିକମରେ ୧୦ ଟଙ୍କିଆ ରିଚାର୍ଜ କୁପନ ଜାରି କରିବାକୁ ନିର୍ଦ୍ଦେଶ ଦେଇଛି ଟ୍ରାଇ । ଏଣିକି କଲ ଓ ଏସଏମଏସ ପାଇଁ ରିଚାର୍ଜ ଭାଉଚର ମିଳିବ ।
କଣ କହିଲା ଟ୍ରାଇ- ଟ୍ରାଇ ଟେଲିକମ କନଜ୍ୟୁମର ପ୍ରୋଟେକ୍ସନ (୧୨ ସଂଶୋଧନ) ରେଗୁଲେଶନ ୨୦୨୪ରେ କହିଛି ସର୍ଭିସ୍ ପ୍ରୋଭାଇଡରଙ୍କୁ ଅତିକମରେ ଗୋଟିଏ ସ୍ପୋଶାଲ ଟେରିଫ ଭାଉଚର ଦେବାକୁ ପଡିବ । ଯାହା କେବଳ ଭଏସ ଓ ଏସଏମଏସ ପାଇଁ ହେବ । ଅତିକମରେ ୧୦ ଟଙ୍କିଆ ରିଚାର୍ଜ ଭାଉଚର ଦେବାକୁ ପଡିବ ।
ଗ୍ରାହକଙ୍କୁ ଫାଇଦା- ଏହି ନୂଆ ନିୟମରେ ଗ୍ରାହକଙ୍କୁ ଫାଇଦା ମିଳିବ । କାରଣ ଏବେ କେବଳ ସେମାନେ ଯେଉଁ ସେବା ଉପଭୋଗ କରିବେ ତାହାର ପଇସା ଦେବେ । କେବଳ କଲ୍ ଓ ଏସଏମଏସ୍ ପାଇଁ ଅଲଗା ପ୍ଲାନ କିଣିପାରିବେ । ପୂର୍ବରୁ ଏପରି ନଥିଲା ।