ପ୍ରମୂଖ ଖବର
  • କଳାହାଣ୍ଡି : ଗାଁ ରାସ୍ତାରୁ ଯୁବକଙ୍କ ମୃତଦେହ ଉଦ୍ଧାର, ପୋଲିସର ତଦନ୍ତ ଆରମ୍ଭ
  • ||
  • ରାଇରଙ୍ଗପୁର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ଆଜି ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜୟନ୍ତୀ ଉତ୍ସବରେ ଯୋଗ ଦେବେ
  • ||
  • ଆଗାମୀ ୪ ଦିନ ପ୍ରଚଣ୍ଡ ତାତି: ବୁଧବାର ୪୫ ଡିଗ୍ରୀ ଛୁଇଁବ ପାରଦ, ତତଲା ଲୌହପିଣ୍ଡ ପାଲଟିବ ପଶ୍ଚିମ ଓଡ଼ିଶା
  • ||

ଭାରତ-ପାକିସ୍ତାନ ସଂଘର୍ଷ: ମାଡ଼ ଖାଇଲା ପର୍ଯ୍ୟଟନ, ୭ ଦିନ ପାଇଁ ସବୁ ବୁକିଂ ବାତିଲ୍‌

Published By : Prameya | May 11, 2025 2:01 PM

ଭୁବନେଶ୍ୱର,୧୧/୦୫: ସ୍କୁଲ, କଲେଜ ଛୁଟି । ଜମିଥାଆନ୍ତା ପରିବାର ସହ ବୁଲାବୁଲି ।  କିଏ ପଶ୍ଚିମବଙ୍ଗରୁ, କିଏ ମହାରାଷ୍ଟ୍ର ଓ ଆଉ କିଏ ଗୁଜରାଟରୁ ଆସି ଥାଆନ୍ତେ ଭୁବନେଶ୍ୱର, ପୁରୀ,  ଗୋପାଳପୁର । ବିମାନ ସହ ହୋଟେଲ ଟିକଟ  ବୁକିଂ ସରିଥିଲା । ଏତିକିବେଳେ ମାଡ଼ି ଆସିଲା ଯୁଦ୍ଧ  ଭୟ । ଭାରତ-ପାକିସ୍ତାନ ସଂଘର୍ଷ ଭିତରେ ଚାଲିଲା  ମିସାଇଲ ବର୍ଷା । ଦେଶର ଅନେକ ବିମାନବନ୍ଦରକୁ  ସୁରକ୍ଷା ଦୃଷ୍ଟିରୁ ବନ୍ଦ କରାଗଲା । କିଛି ବିମାନ ଟିକଟ  ଆପେ ବାତିଲ ହେଲା । ବାକି ନିଜ ଆଡ଼ୁ ବିମାନ,  ଟ୍ରେନ ଓ ହୋଟେଲ ଟିକଟ ବାତିଲ କରିଦେଲେ ଭୟରେ। ଆଗାମୀ ୭ ଦିନ ପାଇଁ ଓଡ଼ିଶାକୁ ରାଜ୍ୟ  ବାହାରୁ କରାଯାଇଥିବା ସମସ୍ତ ପର୍ଯ୍ୟଟକଙ୍କ ଟିକଟ  ବୁକିଂ ବାତିଲ୍‌ ହୋଇଛି । ଯୁଦ୍ଧ ଆତଙ୍କ ଭିତରେ ମାଡ଼  ଖାଇଛି ପର୍ଯ୍ୟଟନ । କେବଳ ଓଡ଼ିଶା ନୁହେଁ, ସାରା  ଦେଶରେ ଗୁରୁତର ଭାବେ ପ୍ରଭାବିତ ହୋଇଛି  ପର୍ଯ୍ୟଟନ । ସ୍ଥିତି ଏମିତି, ଭାରତ-ପାକିସ୍ତାନ ମଧ୍ୟରେ  ଅସ୍ତ୍ର ବିରତି ଘୋଷଣା ପରେ ବି ପର୍ଯ୍ୟଟନ ପୁଣି  ଥରେ ଟ୍ରାକକୁ ଫେରିବା ନେଇ ଅନିଶ୍ଚିତତା ରହିଛି ।  

କାଶ୍ମୀରରେ ଦୀର୍ଘବର୍ଷ ପରେ ସୁଧୁରି  ଆସୁଥିଲା ପର୍ଯ୍ୟଟନ ଶିଳ୍ପ । ମାତ୍ର ପହଲଗାମ୍‌ରେ  ଯେଉଁଭଳି ଆତଙ୍କବାଦୀମାନେ ପର୍ଯ୍ୟଟକଙ୍କୁ  ନିର୍ମମ ଭାବେ ହତ୍ୟା କଲେ, ପୂରା କାଶ୍ମୀରରେ  ଧ୍ୱସ୍ତବିଧ୍ୱସ୍ତ ହୋଇଗଲା ପର୍ଯ୍ୟଟନ । ଏହାର  ପ୍ରଭାବ ସାରା ଦେଶରେ ପଡ଼ିବା ଆରମ୍ଭ କଲା । ବିଦେଶୀ ପର୍ଯ୍ୟଟକଙ୍କ ଭାରତ ଆଗମନ  କମିଲା । ଏପଟେ ଯୁଦ୍ଧ ଭୟ ବଢ଼ିବା ପରେ  ଦେଶୀୟ ପର୍ଯ୍ୟଟକଙ୍କ ସଂଖ୍ୟା ବି ହ୍ରାସ ପାଇଛି ।  

ଓଡ଼ିଶାର ପୁରୀ, କୋଣାର୍କ, ଗୋପାଳପୁର,  ଚିଲିକା, ଭୁବନେଶ୍ୱର, ଚାନ୍ଦିପୁର, କୋରାପୁଟ ଆଦି  ପର୍ଯ୍ୟଟନସ୍ଥଳ ବର୍ଷତମାମ ପର୍ଯ୍ୟଟକଙ୍କ ପସନ୍ଦର  ସ୍ଥାନ ହୋଇଥାଏ । ରାଜ୍ୟର ବିଭିନ୍ନ ଜିଲ୍ଲା ସମେତ  ପଡ଼ୋଶୀ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ବିହାର, ମହାରାଷ୍ଟ୍ର  ଓ ଗୁଜରାଟରୁ ବହୁ ପର୍ଯ୍ୟଟକ ଓଡ଼ିଶାକୁ ଆସନ୍ତି ।  ଏବେ ପିଲାଙ୍କ ଖରା ଛୁଟି ଚାଲିଥିବାରୁ ବହୁ ଲୋକେ  ପରିବାର ସହ ଓଡ଼ିଶା ବୁଲିବା ପାଇଁ ଯୋଜନା  କରିଥିଲେ । ମାତ୍ର ଦେଶରେ ଉତ୍ତେଜନାମୂଳକ  ସ୍ଥିତି ଯୋଗୁ ଅଚାନକ ପର୍ଯ୍ୟଟକଙ୍କ ସଂଖ୍ୟା  ହ୍ରାସ ପାଇଛି । ଓଡ଼ିଶା ହୋଟେଲ ଓ ରେସ୍ତୋରାଁ  ଆସୋସିଏସନ ଚେୟାରମ୍ୟାନ ଜେ.କେ.ମହାନ୍ତିଙ୍କ  କହିବାନୁସାରେ ପର୍ଯ୍ୟଟନକୁ ବହୁତ ବଡ଼ କ୍ଷତି  ପହଞ୍ଚିଛି । ଦେଶର ୨୪ଟି ବିମାନବନ୍ଦର ବନ୍ଦ  ଘୋଷଣା ହେବା ପରେ କେହି ନିଜ ଘର ଛାଡ଼ି  ବାହାରକୁ ବୁଲିବାକୁ ଆସୁନାହାନ୍ତି । ଆସନ୍ତା ୭  ଦିନ ପାଇଁ ଓଡ଼ିଶାକୁ ଥିବା ସମସ୍ତ ପର୍ଯ୍ୟଟକଙ୍କ  ବୁକିଂ ବାତିଲ ହୋଇଛି । 

କେବଳ ବୁଲାବୁଲି ନୁହେଁ,  ବହୁ ସଂସ୍ଥା ଭୁବନେଶ୍ୱର, ପୁରୀ, ଗୋପାଳପୁର,  ପାରାଦୀପରେ ବିଭିନ୍ନ ସମ୍ମିଳନୀ ପାଇଁ ଆସନ୍ତି,  ତାହା ମଧ୍ୟ ବାତିଲ ହୋଇଛି । ମଧ୍ୟବିତ୍ତ ପରିବାର  ଲୋକେ ବହୁ କଷ୍ଟରେ ବର୍ଷତମାମ ଅର୍ଥ ସଞ୍ଚୟ  କରି ବାହାରକୁ ବୁଲି ଯିବାକୁ ଯୋଜନା କରିଥାନ୍ତି ।  ଥରେ ଟିକଟ ବାତିଲ୍‌ ପରେ ପୁଣି ତତ୍କାଳ ଆସିବା  ସମ୍ଭାବନା କମ୍‌ । ପର୍ଯ୍ୟଟନକୁ ଯେଉଁ କ୍ଷତି  ପହଞ୍ଚିଛି, ତା’ର ପ୍ରଭାବ କେତେ ଦିନ ପର୍ଯ୍ୟନ୍ତ  ରହିବ, ଏବେଠାରୁ ଆକଳନ ସହଜ ନୁହେଁ । 

କ୍ରାଉନ ହୋଟେଲର ପରିଚାଳନା ନିର୍ଦ୍ଦେଶକ  ଦେବାଶିଷ ପଟ୍ଟନାୟକ କହିଛନ୍ତି, ସାରା ଦେଶରେ  ପର୍ଯ୍ୟଟନ ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଛି ।  ଏହାର ପ୍ରଭାବ କେବଳ ହୋଟେଲ ବ୍ୟବସାୟ  ନୁହେଁ, ଟୁର ଅପରେଟର୍‌, ଗାଇଡ୍‌, ହସ୍ତଶିଳ୍ପ ଓ  ବୟନ କ୍ଷେତ୍ର ସମେତ ସ୍ଥାନୀୟ ବ୍ୟବସାୟୀଙ୍କ  ଉପରେ ପଡ଼ିବ । ଓଡ଼ିଶାକୁ ଖରାଦିନେ ରାଜ୍ୟ  ବାହାରୁ ଯେତିକି ପର୍ଯ୍ୟଟକ ଆସନ୍ତି, ସେଥିରୁ ୧୨ରୁ  ୧୫% ପର୍ଯ୍ୟଟକଙ୍କ ଆଗମନ କମିଛି । ଦେଶରେ  ପର୍ଯ୍ୟଟନ ଶିଳ୍ପକୁ ପୁଣି ସ୍ୱାଭାବିକ ହେବା ନେଇ  ସରକାରଙ୍କୁ ଠୋସ୍‌ ପଦକ୍ଷେପ ନେବାକୁ ପଡ଼ିବ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.