ପ୍ରମୂଖ ଖବର
  • ଭୁବନେଶ୍ୱର : ବିଦେଶୀ ମଦ ଦୋକାନ ଉପରେ ଅବକାରୀ ବିଭାଗର ରେଡ୍‌, ପାଣି ମିଶା ମଦ ଜବତ
  • ||
  • ତେଲକୋଇ : ବେଣା ଗାଁରେ ହାତୀପଲଙ୍କ ଉତ୍ପାତ; ଧାନ ସହ ଖାଇଗଲେ ଟଙ୍କା, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ପାଟଣା : ଚମ୍ପୁଆ ରେଞ୍ଜରେ ଦନ୍ତା ଆହତ, ସ୍ବାସ୍ଥ୍ୟାବସ୍ଥା ଅନୁଧ୍ୟାନ କରୁଛି ବିଶେଷଜ୍ଞ ଟିମ୍
  • ||
  • ମାର୍ଶାଘାଇ : ରେଳ ପୋଲ ଉପରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭଞ୍ଜନଗର : ବଚସାକୁ କେନ୍ଦ୍ର କରି ଦୁଇ ଭାଇଙ୍କୁ ମରଣାନ୍ତକ ଆକ୍ରମଣ; ବଡ଼ ଭାଇ ମୃତ, ସାନ ଭାଇ ଗୁରୁତର
  • ||
  • ପୁରୁଷ ହକି ଏସିଆନ ଚାମ୍ପିଅନ୍ସ ଟ୍ରଫି: ଆଜି ଚୀନ-ପାକିସ୍ତାନ୍, ଭାରତ-କୋରିଆ ସେମି ଫାଇନାଲ୍‌ ଲଢ଼େଇ
  • ||
  • କରଞ୍ଜିଆ : ଶିମିଳିପାଳ ଅଭୟାରଣ୍ୟରେ ପ୍ରବଳ ବର୍ଷା, ୧୨ ଘଣ୍ଟାରେ ୧୮୩.୮୯୬ ମିମି ବର୍ଷା ରେକର୍ଡ
  • ||
  • ଜଳେଶ୍ବର : ବିପଦ ସଙ୍କେତ ପାର୍‌ କଲା ଜଳକା ନଦୀ, ତଳିଆ ଅଞ୍ଚଳବାସୀ ଭୟଭୀତ
  • ||
  • ଶ୍ରୀମନ୍ଦିରରେ ବଳିବାମନ ବେଶ ନୀତି, ବାମନରୂପି ବାଳକ ରୂପରେ ମହାପ୍ରଭୁ ରତ୍ନ ସିଂହାସନରେ ଉଭା ହେବେ
  • ||
  • ପାଟଣା : ତେଲ ନଦୀ ପୋଲ ଉପରେ ୩ ଫୁଟର ବନ୍ୟାଜଳ ପ୍ରବାହିତ, କେନ୍ଦୁଝର ଓ ମୟୁରଭଞ୍ଜ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ
  • ||
  • ଆଜି ବି ପ୍ରବଳ ଢାଳିବ ବର୍ଷା: ଦୁଇ ଜିଲ୍ଲାକୁ ଆଲର୍ଟ, ସତର୍କ ରହିବାକୁ ନିର୍ଦ୍ଦେଶ ଦେଲେ ଏସ୍‌ଆରସି
  • ||
  • ବୌଦ୍ଧ : ବାଟୋଇଙ୍କୁ ଧକ୍କା ଦେଇ ଗଛକୁ ପିଟିଲା ପିକ୍ଅ‌ପ୍ ଭ୍ୟାନ୍‌, ୯ ଗୁରୁତର
  • ||

ପୋଡ଼ମପେଟାରେ କୂଳ ଲଙ୍ଘୁଛି ଅଶାନ୍ତ ସମୁଦ୍ର, ଅମାବାସ୍ୟାରେ ମାଡ଼ି ଆସୁଛି ଜୁଆର

ବ୍ରହ୍ମପୁର, ୦୩/୦୯ : ଜଳବାୟୁ ପରିବର୍ତ୍ତନ ଯୋଗୁଁ ପ୍ରକୃତିର ସନ୍ତୁଳନ ବିଗିଡ଼ିବାରେ ଲାଗିଛି । ବିଶ୍ୱସାରା ଦିନକୁ ଦିନ ତାପମାତ୍ରା ବୃଦ୍ଧି ଘଟୁଥିବା ବେଳେ ଅଦିନିଆ ଓ ଅନିୟମିତ ବର୍ଷା ନାନା ସମସ୍ୟା ସୃଷ୍ଟି କରୁଛି । ବିଭିନ୍ନ ସମୟରେ ଦେଖା ଦେଉଥିବା ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ଜନସାଧାରଣଙ୍କ ଧନଜୀବନ ନଷ୍ଟ ହେଉଛି । ସମ୍ପ୍ରତି ଉପକୂଳବର୍ତ୍ତୀ ଅଞ୍ଚଳରେ ରହୁଥିବା ଲୋକଙ୍କ ପାଇଁ ସମୁଦ୍ର ବିପଦ ସାଜିଛି । ସମୁଦ୍ର ଅଶାନ୍ତ ହୋଇ ଜନବସତି ଆଡ଼କୁ ମାଡ଼ି ଆସୁଛି । ଗଞ୍ଜାମ ଜିଲ୍ଲା ଗଞ୍ଜାମ ବ୍ଲକ୍‌ ପୁରୁଣା ପୋଡ଼ମପେଟା ଗାଁ ଏବେ ଧରାପୃଷ୍ଠରୁ ନିଶ୍ଚିହ୍ନ ହୋଇଯିବା ଭଳି ସ୍ଥିତି ଦେଖାଦେଲାଣି । କିଛି ବର୍ଷ ହେଲା ଲଗାତାର ସମୁଦ୍ର ଉପକୂଳ ଅବକ୍ଷୟ ଘଟିବା ସହ ଧିରେ ଧିରେ ଗାଁକୁ ନିଜ ଭିତରେ ଲୀନ କରିବାରେ ଲାଗିଛି । 

ରବିବାର ରାତିରେ ପୁଣି ବଡ ଜୁଆର ଆସି ମାଟି ଖସିଛି । ଗାଁର କିଛି ଅଂଶକୁ ଭସାଇ ନେଇଛି ସମୁଦ୍ର ପାଣି । ସ୍ଥିତି ଏମିତି ହୋଇଛି ଯେ କିଛି ଘର ସମ୍ପୂର୍ଣ୍ଣ ଭୁଶୁଡିଯିବା ସ୍ଥିତିରେ ରହିଛି । ଗାଁକୁ ମୁହଁ କରି ରହିଥିବା ଅନେକ ଘରର ସାମନା ପଟ ତ ଅଛି, ହେଲେ ସମୁଦ୍ର ପଟକୁ ଥିବା ଘରର ପଛଭାଗ ଭାଙ୍ଗିରୁଜି ଅନେକାଂଶରେ ସମୁଦ୍ରରେ ମିଶିଯାଇଛି । ସମୁଦ୍ର ମାଡରେ ଧିରେ ଧିରେ ତଟ ଧୋଇ ହୋଇ ତୀକ୍ଷ୍ଣ ବାଲୁକା ଶଯ୍ୟା ସୃଷ୍ଟି ହୋଇଛି ଯେଉଁଥିରୁ ଲଗାତର ଅବକ୍ଷୟର ଧାରା ସ୍ପଷ୍ଟ ପ୍ରତୀୟମାନ । କିଛି ଦିନ ହେଲା ସମୁଦ୍ର ଅଶାନ୍ତ ରହୁଥିବା ବେଳେ ବଡ଼ ବଡ଼ ଜୁଆର ସୃଷ୍ଟି ହେଉଛି । ଅମାବାସ୍ୟାରେ ଉଠିଥିବା ବଡ଼ ବଡ଼ ଜୁଆର ଜୁଆର ମାଡ଼ରେ ପୁରୁଣା ପୋଡ଼ମପେଟା ଗାଁର ଆଉ କିଛି ଅଂଶ ଧୋଇ ହୋଇଥିବା ସ୍ଥାନୀୟ ବାସିନ୍ଦା ପ୍ରକାଶ କରିଛନ୍ତି । ଏ ନେଇ ଅଞ୍ଚଳବାସୀ ଚିନ୍ତାରେ ରହିଛନ୍ତି । 

ଯଦିଓ ଗ୍ରାମବାସୀଙ୍କୁ ସମୁଦ୍ର କୂଳରେ ନରହିବା ପାଇଁ ପ୍ରଶାସନ ପକ୍ଷରୁ ପୂର୍ବରୁ ସଚେତନ କରାଯାଇଛି, ତଥାପି କିଛି ମତ୍ସ୍ୟଜୀବୀ ପରିବାର ଏବେବି ପେଟପାଟଣା ଆଶାରେ ସମୁଦ୍ର କୂଳରେ ରହୁଛନ୍ତି । ସେମାନଙ୍କ କହିବା ପ୍ରକାରେ ସପ୍ତାହେ ହେଲା ଜୁଆର ଜନବସତି ଆଡକୁ ମାଡ଼ି ଆସୁଥିଲା । ରବିବାର ରାତିରେ ବଡ଼ ଜୁଆର ସୃଷ୍ଟି ହୋଇ ମାଟି ଖସିଛି । ଗଞ୍ଜାମ ଜିଲ୍ଲାର ଗଞ୍ଜାମ ବ୍ଲକ୍‌ ଉପକୂଳ ପ୍ରୟାଗୀ ଠାରୁ ଚିକିଟି ବ୍ଲକ୍‌ ସୁନାପୁର ପର୍ଯ୍ୟନ୍ତ ପ୍ରାୟ ୬୦ କିମି ବେଳାଭୂମି ରହିଛି । ଜିଲ୍ଲାର ଖଲ୍ଲିକୋଟ, ଗଞ୍ଜାମ, ଛତ୍ରପୁର, ରଙ୍ଗେଇଲୁଣ୍ଡା ଓ ଚିକିଟି ବ୍ଲକ୍‌ ଉପକୂଳ ଅଞ୍ଚଳରେ ରହିଛି । ଜଳବାୟୁ ପରିବର୍ତ୍ତନ ଯୋଗୁଁ ବିଭିନ୍ନ ସମୟରେ ଦେଖାଦେଉଥିବା ପ୍ରାକୃତିକ ଦୁର୍ବିପାକ ଯୋଗୁଁ ଉପକୂଳ ଅଞ୍ଚଳବାସୀ ବହୁ କ୍ଷତି ସହୁଛନ୍ତି । ବିଶେଷ କରି ସାମୁଦ୍ରିକ ବାତ୍ୟା ଗଞ୍ଜାମ ଜିଲ୍ଲା ପାଇଁ ବାରମ୍ବାର ସଙ୍କଟ ଓ ଆଶଙ୍କା ଆଣିଛି । 

କିଛି ବର୍ଷ ହେଲା ଅଶାନ୍ତ କାରଣରୁ କୂଳ ଖାଇ ଖାଇ ଆଗକୁ ମାଡ଼ି ଚାଲିଛି । ସ୍ଥଳଭାଗ ସମୁଦ୍ର ପାଣିରେ ବିଲୀନ ହେବା ପ୍ରକ୍ରିୟା ଜାରି ରହିଛି ଯାହା ଫଳରେ ସମୁଦ୍ର ନିକଟରେ ରହିଥିବା ଗାଁ ପ୍ରତି ବିପଦ ଅଧିକ ଗମ୍ଭୀର ହେଉଛି । ଗଞ୍ଜାମ ବ୍ଲକ୍‌ର ପୁରୁଣା ପୋଡ଼ମପେଟା ଗାଁରେ ୨ ଶହରୁ ଅଧିକ ପରିବାର ରହୁଥିଲେ । ସମୁଦ୍ରରୁ ମାଛ ଧରି ସେମାନେ ଜୀବନଜୀବିକା ନିର୍ବାହ କରୁଥିଲେ । କିନ୍ତୁ କାଳକ୍ରମେ ସମୁଦ୍ର ଗାଁ ଆଡ଼କୁ ମାଡ଼ି ଆସିବାରେ ଲାଗିଥିଲା । ୨୦୦୭ ମସିହାରୁ ସମୁଦ୍ର ତଟ ଅବକ୍ଷୟ ଆରମ୍ଭ ହୋଇଥିବା କହିଛନ୍ତି ଋଷିକୁଲ୍ୟା ସମୁଦ୍ର କଇଁଛ ସୁରକ୍ଷା ସମିତି ସମ୍ପାଦକ ରବୀନ୍ଦ୍ରନାଥ ସାହୁ । ସମୟକ୍ରମେ ସମୁଦ୍ର ଅଧିକରୁ ଅଧିକ ଅଶାନ୍ତ ହୋଇ ଉଠୁଛଇ । ପୁରୁଣା ପୋଡ଼ମପେଟା ଗାଁ ଭୌଗୋଳିକ ମାନଚିତ୍ରରୁ ହଜିଯିବା ଭଳି ପରିସ୍ଥିତି ଦେଖା ଦେଲାଣି । ପୋଡ଼ମପେଟା ଗ୍ରାମ ସମୁଦ୍ର ଠାରୁ ୨ କିମି ଦୂରତା ମଧ୍ୟରେ ଥିବା ବେଳେ ବାରମ୍ବାର କୂଳ ଖାଉଥିବା ଯୋଗୁଁ ସାମୁଦ୍ରିକ ସୁରକ୍ଷା ଆଇନ ବଳରେ ଗାଁକୁ ସ୍ଥାନାନ୍ତର କରାଯାଇଥିଲା । ଏବେ ତ ସମୁଦ୍ର ଗାଁ ନିକଟକୁ ଚାଲି ଆସିଲାଣି । 

୨୦୧୭ ମସିହାରେ ପୋଡମପେଟା ଗାଁର ୧୨୩ ପରିବାରଙ୍କୁ ଗଞ୍ଜାମ ତହସିଲ ରାମଗଡ଼ ପଞ୍ଚାୟତ ଝାଡ଼ିପଦରରେ ଓଡିଆର୍‌ପି (ଓଡ଼ିଶା ଡିଜାଷ୍ଟାର ରିକଭରି ପ୍ରୋଜେକ୍ଟ) ଜରିଆରେ ସରକାରଙ୍କ ତରଫରୁ ଘର ଯୋଗାଇ ଦିଆଯାଉଛି । ସେହିପରି ଖଲ୍ଲିକୋଟ, ଛତ୍ରପୁର, ରଙ୍ଗେଇଲୁଣ୍ଡା ଓ ଚିକିଟି ବ୍ଲକ୍‌ର କିଛି ଗାଁ ମଧ୍ୟ ସମୁଦ୍ରକୂଳରେ ରହିଛି । ଏହି ଗାଁଗୁଡିକ ପ୍ରତି ମଧ୍ୟ ସମୁଦ୍ର ବିପଦ ସାଜିଛି । ଏହି ଗାଁଗୁଡ଼ିକରେ ମତ୍ସ୍ୟଜୀବୀମାନେ ରହୁଛନ୍ତି । ସମୁଦ୍ରରୁ ମାଛ ଧରି ସେମାନେ ତାଙ୍କର ଜୀବନଜୀବିକା ନିର୍ବାହ କରିଥାନ୍ତି । ଏଣୁ ଜୀବନଜୀବିକା ପାଇଁ ମତ୍ସ୍ୟଜୀବୀମାନେ ସମୁଦ୍ର କୂଳିଆ ଗାଁରେ ରହିବାକୁ ବାଧ୍ୟ ହେଉଛନ୍ତି । ଚିକିଟି ବ୍ଲକ୍‌ର ରାମେୟାପାଟଣା ଗ୍ରାମ ମଧ୍ୟ ସମୁଦ୍ର ଅବକ୍ଷୟ ଲାଗି ପୋଡମପେଟା ଭଳି ବିପଦଜନକ ସ୍ଥିତିରେ ରହିଛି । ତେବେ ସେଠାରେ ସରକାର ପଥରବନ୍ଧ ବାନ୍ଧି ପ୍ରତିକାର ପଦକ୍ଷେପ ଗ୍ରହଣ କରିବାକୁ ଯୋଜନା କରିଛନ୍ତି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.