ଭୁବନେଶ୍ଵର, ୨୨/୦୪ : ପୋପ୍ ପ୍ରାନ୍ସିସ୍ଙ୍କ ବିୟୋଗରେ ରାଜ୍ୟରେ ୩ ଦିନିଆ ଶୋକ ଘୋଷଣା। ମଙ୍ଗଳବାର, ବୁଧବାର ଏବଂ ଶେଷକୃତ୍ୟ ଦିନ ଶୋକ ଦିବସ ପାଳିବେ ରାଜ୍ୟ ସରକାର।
ସୂଚନାନୁଯାୟୀ, ସାରା ବିଶ୍ୱରେ କ୍ୟାଥୋଲିକ୍ ଖ୍ରୀଷ୍ଟିଆନ୍ଙ୍କ ସବୁଠୁ ବଡ଼ ଧର୍ମଗୁରୁ ପୋପ୍ ଫ୍ରାନ୍ସିସ୍ଙ୍କ ସୋମବାର ପରଲୋକ ହୋଇଛି । ତାଙ୍କୁ ୮୮ ବର୍ଷ ହୋଇଥିଲା । ଭାଟିକାନ୍ରେ ଥିବା ନିଜ ବାସଭବନ କାସା ସାଣ୍ଟା ମାର୍ଟାରେ ସକାଳ ପ୍ରାୟ ସାଢ଼େ ୭ଟାରେ (ସ୍ଥାନୀୟ ସମୟ) ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ପୋପ୍ଙ୍କ ପରଲୋକରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କଠାରୁ ଆରମ୍ଭ କରି ବହୁ ବିଶ୍ୱନେତା ଗଭୀର ଶୋକବ୍ୟକ୍ତ କରିଛନ୍ତି । ଦୀର୍ଘଦିନ ଧରି ପୋପ୍ ଏକାଧିକ ସ୍ୱାସ୍ଥ୍ୟ ସମସ୍ୟା ଦେଇ ଗତି କରୁଥିଲେ । ତାଙ୍କ ଫୁସ୍ଫୁସ୍ରେ ନିମୋନିଆ ସଂକ୍ରମଣ ବ୍ୟାପିଥିଲା । ତାଙ୍କୁ ଲଗାତର ଅକ୍ସିଜେନ୍ ସପୋର୍ଟରେ ରଖାଯାଉଥିଲା । ଏଥିସହ ରକ୍ତ ସଫା କରିବା ଲାଗି ତାଙ୍କ ଶରୀରରେ ବ୍ଲଡ୍ ଟ୍ରାନ୍ସଫ୍ୟୁଜନ କରାଯାଉଥିଲା । ଦୀର୍ଘ ୩୮ ଦିନ ଧରି ହସ୍ପିଟାଲରେ ଭର୍ତ୍ତି ହେବା ପରେ ନିକଟରେ ସେ ଡିସ୍ଚାର୍ଜ ହୋଇଥିଲେ ।
ପୋପ୍ ଫ୍ରାନ୍ସିସ୍ ବା ଜର୍ଜ ମାରିଓ ବର୍ଗୋଗ୍ଲିଓ ୧୯୩୬ ମସିହା ଡିସେମ୍ବର ୧୭ରେ ଆର୍ଜେଣ୍ଟିନା ରାଜଧାନୀ ବୁଏନସ୍ ଏରିସ୍ରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ମାତାପିତା ଇଟାଲୀରୁ ଆସିଥିବା ପ୍ରବାସୀ ନାଗରିକ ଥିଲେ । ୧୯୫୮ରେ ୨୧ ବର୍ଷ ବୟସରେ ପୋପ୍ ଜେସୁଇଟ୍ ସମୁଦାୟରେ ସାମିଲ ହୋଇଥିଲେ । ୧୯୬୯ରେ ସେ ବୁଏନସ୍ ଏରିସ୍ରେ ପାଦ୍ରୀ ହୋଇଥିଲେ । ୧୯୯୮ରେ ବୁଏନସ୍ ଏରିସ୍ର ଆର୍କବିଶପ୍ ବନିଥିଲେ । ୨୦୦୧ରେ ପୋପ୍ ଜନ୍ ପାଲ୍-ଦ୍ୱିତୀୟ ତାଙ୍କୁ କାର୍ଡିନଲ ବନାଇଥିଲେ । ୨୦୧୩ରେ ସେ ରୋମାନ୍ କ୍ୟାଥୋଲିକ୍ ଚର୍ଚ୍ଚର ୨୬୬ତମ ପୋପ୍ ନିର୍ବାଚିତ ହୋଇଥିଲେ । ପାଦ୍ରୀ ବନିବା ପୂର୍ବରୁ ସେ ବୁଏନସ୍ ଏରିସ୍ରେ ନାଇଟ୍ କ୍ଲବ୍ରେ ବାଉନ୍ସର ଥିଲେ । ଏଥିସହ ସେ କେମିକାଲ ଲ୍ୟାବ୍ରେ କାମ କରିବା ସହ ଆର୍ଜେଣ୍ଟିନା କଲେଜରେ ସାହିତ୍ୟ ଏବଂ ମନୋବିଜ୍ଞାନରେ ଶିକ୍ଷାଦାନ ମଧ୍ୟ କରିଥିଲେ ।
ପୋପ୍ ଫ୍ରାନ୍ସିସ୍ ଇତିହାସର ପ୍ରଥମ ଲାଟିନ୍ ଆମେରିକୀୟ ଥିଲେ । ୧୩ ଶହ ବର୍ଷରେ ପ୍ରଥମ କରି ଜଣେ ଅଣ-ୟୁରୋପୀୟଙ୍କୁ ପୋପ୍ ଭାବେ ଚୟନ କରାଯାଇଥିଲା । ସେ ସମଲିଙ୍ଗୀ ବ୍ୟକ୍ତିଙ୍କୁ ଚର୍ଚ୍ଚକୁ ଆସିବା ଅନୁମତି, ସମଲିଙ୍ଗୀ ଦମ୍ପତିଙ୍କୁ ଆଶୀର୍ବାଦ, ପୁନର୍ବିବାହକୁ ଧାର୍ମିକ ମଞ୍ଜୁରି ଦେବା ଭଳି ଯୁଗାନ୍ତକାରୀ ନିଷ୍ପତ୍ତି ନେଇଥିଲେ । ସେ ଚର୍ଚ୍ଚଗୁଡ଼ିକରେ ହେଉଥିବା ଶିଶୁଙ୍କ ଯୌନ ଶୋଷଣ ଘଟଣାକୁ ନେଇ ଅପରାଧୀ ପାଦ୍ରୀମାନଙ୍କ ତରଫରୁ କ୍ଷମା ମଧ୍ୟ ମାଗିଥିଲେ । ଶହେରୁ ଊର୍ଦ୍ଧ୍ୱ ବର୍ଷ ପରେ ପ୍ରଥମ ପୋପ୍ ଭାବେ ତାଙ୍କୁ ଭାଟିକାନ୍ ବାହାରେ ସମାଧି ଦିଆଯିବ । ରୋମର ସାଣ୍ଟା ମାରିଆ ମାଗିଓର ବାସିଲିକାରେ ତାଙ୍କୁ ସମାଧି ଦେବାକୁ ସେ ଶେଷ ଇଚ୍ଛା ରଖିଥିଲେ ।