ଭୁବନେଶ୍ୱର ୨୨/୦୪: ରାସ୍ତାର ମାଲିକ ପୂର୍ତ୍ତ ବିଭାଗ । ପଚରାଉଚରା ନାହିଁ । ବିଏମ୍ସି ସିଧା ଗାତ ଖୋଳି ବାଉଁଶ ପୋତୁଛି । ରାସ୍ତା ମଝିକୁ ବି ଛାଡୁନି । ଫିତା ପକାଇ ଯେଉଁଠି ମାପ ଛିଣ୍ଡିଲା, ସେଇଠି ଶାବଳ ମାରି ରାସ୍ତାରେ ଗାତ ଖୋଳିଲେ । ଏବେ ଗାତରେ ପାଣି ପଶି ରାସ୍ତା ଦବିବାକୁ ନେଇ ବିଏମ୍ସି-ପୂର୍ତ୍ତ ମୁହାଁମୁହିଁ ହୋଇଛନ୍ତି । ବିନା ଅନୁମତିରେ ରାସ୍ତା ଖୋଳାକୁ ନେଇ ବିଏମସିକୁ ତାଗିଦ କରିଛି ପୂର୍ତ୍ତ ବିଭାଗ ।
ପୂର୍ତ୍ତ ବିଭାଗ କହିଛି ଖୋଳିଛ ମାନେ ଏବେ ଟଙ୍କା ଭରିବ । ପୂର୍ତ୍ତ ବିଭାଗର ମୁଖ୍ୟଯନ୍ତ୍ରୀ (ରାସ୍ତା) ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି) ନଗର ଯନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି । ଚିଠିରେ ଉଲ୍ଲେଖ କରାଯାଇଛି, ବିଏମ୍ସି ବିନା ଅନୁମତିରେ ସହର ସବୁ ପ୍ରମୁଖ ଛକର ରାସ୍ତାରେ ଗାତ ଖୋଳି ବାଉଁଶ ପୋତୁଛି । ସିଟି ମହିଳା ମହାବିଦ୍ୟାଳୟ, ୟୁନିଟ୍-୮ ଡିଏଭି ସ୍କୁଲ ରାସ୍ତା, ୧୨୦ ବାଟାଲିଅନ, ନାଲକୋ ଛକ ଏବଂ ଅନ୍ୟ କିଛି ରାସ୍ତାରେ ବଡ଼ ବଡ଼ ଗାତ ଖୋଳା ହୋଇଛି ।
ଖାଲି ଏତିକି ନୁହେଁ, ବିଭିନ୍ନ ଛକରେ ବର୍ତ୍ତମାନ ମାଷ୍ଟିକ୍ ଆସ୍ଫାଲ୍ଟ ପଡୁଛି । ନୂଆ କରି ପଡ଼ିଥିବା ଏହି ମାଷ୍ଟିକ୍ ଆସ୍ଫାଲ୍ଟକୁ ମଧ୍ୟ ଖୋଳାଯାଉଛି । ଏହା ଦ୍ୱାରା ରାସ୍ତା ଫାଟିବାର ସମ୍ଭାବନା ରହିଛି । ରାସ୍ତାର ଗାତ ଖୋଳିବା ଦ୍ୱାରା ବର୍ଷା ପାଣି ଜକେଇ ରାସ୍ତାରେ ପଶୁଛି । ରାସ୍ତାରେ ପାଣି ପଶି ଘଳିଆ ପଡ଼ିବାରୁ ଏହା ଦବୁଛି । ଏଥିପାଇଁ ବିଏମ୍ସି ଦାୟୀ ରହିବ କି ବୋଲି ପ୍ରଶ୍ନ କରିଛି ପୂର୍ତ୍ତ ବିଭାଗ । ମୁଖ୍ୟଯନ୍ତ୍ରୀ ଏନେଇ ବିଏମ୍ସି, ପୂର୍ତ୍ତ ବିଭାଗ, କମିଶନରେଟ୍ ପୁଲିସକୁ ମଧ୍ୟ ଅବଗତ କରାଇଛନ୍ତି । ଏତିକିରେ କଥା ଅଟକି ନାହିଁ । ଏହି ଘଟଣା ଏବେ ସଚିବ ସ୍ତରରେ ମଧ୍ୟ ପହଞ୍ଚିଲାଣି ।
ପୂର୍ତ୍ତ ବିଭାଗର ଏହି ଚିଠି ପରେ ବି ବିଏମ୍ସି ବେଫିକର । ଦୁଇ ଦିନ ତଳେ ବିଏମ୍ସି ଜାଗମରା ଛକରେ ନୂଆ ଟ୍ରାଫିକ୍ ସେଡ ନିର୍ମାଣ କରିଛି। ଏଥିରେ ରାସ୍ତା ମଝିକୁ ଖୋଳି ବାଉଁଶ ପୋତିଛି । ଫଳରେ ଏହି ରାସ୍ତାରେ ଦୁର୍ଘଟଣା ଆଶଙ୍କା ସୃଷ୍ଟି ହୋଇଛି । ମଝି ରାସ୍ତାରେ ବାଉଁଶ ବନ୍ଧାକୁ ନେଇ ସ୍ଥାନୀୟ ଲୋକେ ବି ପ୍ରତିବାଦ କରିଛନ୍ତି । ପୂର୍ବରୁ ରାସ୍ତା ଖୋଳାକୁ ନେଇ ସବୁ ବିଭାଗକୁ ବିଏମ୍ସି ଅନୁମତି ଦେଉଥିଲା । ହେଲେ ନିଜେ ରାସ୍ତା ଖୋଳିବା ବେଳେ ଅନୁମତି ନ ନେବାରୁ ଫସିଛି ବିଏମସି । ଜଣେ ବରିଷ୍ଠ ଯନ୍ତ୍ରୀ କହିଛନ୍ତି ଯେ ରାସ୍ତାରେ ସେଡ୍ କରିବାକୁ ଡିଭାଇଡର ଖୋଳି ପୋତିବାକୁ କୁହାଯାଇଛି । ହେଲେ ବିଏମ୍ସି ରାସ୍ତାକୁ ଖୋଳି ପକାଉଛି । ଫଳରେ ରାସ୍ତାରେ ଲୋକେ ଯିବା ଆସିବାରେ ଅସୁବିଧା ଉପୁଜୁଛି ।
ତେବେ ରାସ୍ତାରେ ଯେଉଁ ବାଉଁଶ ପୋତା ହେଉଛି, ଗୋଟିଏ କାଳବୈଶାଖୀରେ ତାହା ଭାଙ୍ଗିଯାଉଛି। ବିଏମ୍ସିର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ପୂର୍ତ୍ତ ବିଭାଗ ଚିଠି ହସ୍ତଗତ ହୋଇଛି । ଏହା ପରେ ପୁଣି ଥରେ ଆମେ ଗାତ ଖୋଳିବାକୁ ଅନୁମତି ମାଗିଛୁ । ଏଣିକି ଡିଭାଇଡରରେ ଗାତ ଖୋଳାଯିବ ।