ଭୁବନେଶ୍ୱର ୨୨/୦୪: ରାସ୍ତାର ମାଲିକ ପୂର୍ତ୍ତ  ବିଭାଗ । ପଚରାଉଚରା ନାହିଁ । ବିଏମ୍‌ସି ସିଧା ଗାତ  ଖୋଳି ବାଉଁଶ ପୋତୁଛି । ରାସ୍ତା ମଝିକୁ ବି ଛାଡୁନି । ଫିତା ପକାଇ ଯେଉଁଠି ମାପ ଛିଣ୍ଡିଲା, ସେଇଠି ଶାବଳ ମାରି ରାସ୍ତାରେ ଗାତ ଖୋଳିଲେ । ଏବେ ଗାତରେ ପାଣି  ପଶି ରାସ୍ତା ଦବିବାକୁ ନେଇ ବିଏମ୍‌ସି-ପୂର୍ତ୍ତ ମୁହାଁମୁହିଁ  ହୋଇଛନ୍ତି । ବିନା ଅନୁମତିରେ ରାସ୍ତା ଖୋଳାକୁ ନେଇ  ବିଏମସିକୁ ତାଗିଦ କରିଛି ପୂର୍ତ୍ତ ବିଭାଗ । 

ପୂର୍ତ୍ତ ବିଭାଗ  କହିଛି ଖୋଳିଛ ମାନେ ଏବେ ଟଙ୍କା ଭରିବ ।  ପୂର୍ତ୍ତ ବିଭାଗର ମୁଖ୍ୟଯନ୍ତ୍ରୀ (ରାସ୍ତା) ଭୁବନେଶ୍ୱର  ମହାନଗର ନିଗମ(ବିଏମ୍‌ସି) ନଗର ଯନ୍ତ୍ରୀଙ୍କୁ  ଚିଠି ଲେଖିଛନ୍ତି । ଚିଠିରେ ଉଲ୍ଲେଖ କରାଯାଇଛି,  ବିଏମ୍‌ସି ବିନା ଅନୁମତିରେ ସହର ସବୁ ପ୍ରମୁଖ  ଛକର ରାସ୍ତାରେ ଗାତ ଖୋଳି ବାଉଁଶ ପୋତୁଛି । ସିଟି ମହିଳା ମହାବିଦ୍ୟାଳୟ, ୟୁନିଟ୍‌-୮ ଡିଏଭି ସ୍କୁଲ  ରାସ୍ତା, ୧୨୦ ବାଟାଲିଅନ, ନାଲକୋ ଛକ ଏବଂ ଅନ୍ୟ କିଛି ରାସ୍ତାରେ ବଡ଼ ବଡ଼ ଗାତ ଖୋଳା ହୋଇଛି ।  

ଖାଲି ଏତିକି ନୁହେଁ, ବିଭିନ୍ନ ଛକରେ ବର୍ତ୍ତମାନ  ମାଷ୍ଟିକ୍‌ ଆସ୍‌ଫାଲ୍ଟ ପଡୁଛି । ନୂଆ କରି ପଡ଼ିଥିବା ଏହି  ମାଷ୍ଟିକ୍‌ ଆସ୍‌ଫାଲ୍ଟକୁ ମଧ୍ୟ ଖୋଳାଯାଉଛି । ଏହା ଦ୍ୱାରା  ରାସ୍ତା ଫାଟିବାର ସମ୍ଭାବନା ରହିଛି । ରାସ୍ତାର ଗାତ  ଖୋଳିବା ଦ୍ୱାରା ବର୍ଷା ପାଣି ଜକେଇ ରାସ୍ତାରେ ପଶୁଛି । ରାସ୍ତାରେ ପାଣି ପଶି ଘଳିଆ ପଡ଼ିବାରୁ ଏହା ଦବୁଛି ।  ଏଥିପାଇଁ ବିଏମ୍‌ସି ଦାୟୀ ରହିବ କି ବୋଲି ପ୍ରଶ୍ନ କରିଛି  ପୂର୍ତ୍ତ ବିଭାଗ । ମୁଖ୍ୟଯନ୍ତ୍ରୀ ଏନେଇ ବିଏମ୍‌ସି, ପୂର୍ତ୍ତ  ବିଭାଗ, କମିଶନରେଟ୍‌ ପୁଲିସକୁ ମଧ୍ୟ ଅବଗତ  କରାଇଛନ୍ତି । ଏତିକିରେ କଥା ଅଟକି ନାହିଁ । ଏହି  ଘଟଣା ଏବେ ସଚିବ ସ୍ତରରେ ମଧ୍ୟ ପହଞ୍ଚିଲାଣି ।  

ପୂର୍ତ୍ତ ବିଭାଗର ଏହି ଚିଠି ପରେ ବି ବିଏମ୍‌ସି  ବେଫିକର । ଦୁଇ ଦିନ ତଳେ ବିଏମ୍‌ସି ଜାଗମରା ଛକରେ  ନୂଆ ଟ୍ରାଫିକ୍‌ ସେଡ ନିର୍ମାଣ କରିଛି। ଏଥିରେ ରାସ୍ତା ମଝିକୁ  ଖୋଳି ବାଉଁଶ ପୋତିଛି । ଫଳରେ ଏହି ରାସ୍ତାରେ ଦୁର୍ଘଟଣା  ଆଶଙ୍କା ସୃଷ୍ଟି ହୋଇଛି । ମଝି ରାସ୍ତାରେ ବାଉଁଶ ବନ୍ଧାକୁ  ନେଇ ସ୍ଥାନୀୟ ଲୋକେ ବି ପ୍ରତିବାଦ କରିଛନ୍ତି । ପୂର୍ବରୁ  ରାସ୍ତା ଖୋଳାକୁ ନେଇ ସବୁ ବିଭାଗକୁ ବିଏମ୍‌ସି ଅନୁମତି ଦେଉଥିଲା । ହେଲେ ନିଜେ ରାସ୍ତା ଖୋଳିବା ବେଳେ  ଅନୁମତି ନ ନେବାରୁ ଫସିଛି ବିଏମସି । ଜଣେ ବରିଷ୍ଠ  ଯନ୍ତ୍ରୀ କହିଛନ୍ତି ଯେ ରାସ୍ତାରେ ସେଡ୍‌ କରିବାକୁ ଡିଭାଇଡର  ଖୋଳି ପୋତିବାକୁ କୁହାଯାଇଛି । ହେଲେ ବିଏମ୍‌ସି ରାସ୍ତାକୁ  ଖୋଳି ପକାଉଛି । ଫଳରେ ରାସ୍ତାରେ ଲୋକେ ଯିବା  ଆସିବାରେ ଅସୁବିଧା ଉପୁଜୁଛି । 

 ତେବେ ରାସ୍ତାରେ ଯେଉଁ ବାଉଁଶ ପୋତା ହେଉଛି,  ଗୋଟିଏ କାଳବୈଶାଖୀରେ ତାହା ଭାଙ୍ଗିଯାଉଛି।  ବିଏମ୍‌ସିର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ପୂର୍ତ୍ତ  ବିଭାଗ ଚିଠି ହସ୍ତଗତ ହୋଇଛି । ଏହା ପରେ ପୁଣି  ଥରେ ଆମେ ଗାତ ଖୋଳିବାକୁ ଅନୁମତି ମାଗିଛୁ ।  ଏଣିକି ଡିଭାଇଡରରେ ଗାତ ଖୋଳାଯିବ ।