ମୁମ୍ବାଇ,୨୧/୬: ବଲିଉଡ ଅଭିନେତା ଅନୁପମ ଖେରଙ୍କ ଅଫିସରେ ଚୋରି । ବୁଧବାର ରାତିରେ ଚୋର ତାଲା ଭାଙ୍ଗି ବୁଲାଇଲେ କଳାକନା । ଚୋରମାନେ ଅଭିନେତାଙ୍କ କାର୍ଯ୍ୟାଳୟରୁ କିଛି ନଗଦ ଟଙ୍କା ଏବଂ ଚଳଚ୍ଚିତ୍ରର କିଛି ସାମଗ୍ରୀ ମଧ୍ୟ ଚୋରି କରିଛନ୍ତି । ଏହି ଚୋରି ମୁମ୍ୱାଇ ସ୍ଥିତ ଭେରା ଦେଶାଇ ରୋଡରେ ଥିବା ତାଙ୍କ କାର୍ଯ୍ୟାଳୟରେ ଘଟିଥିଲା । ତେଣୁ ଅଭିନେତା ଏହି ଘଟଣାକୁ ନେଇ ଏକ ମାମଲା ରୁଜୁ କରିଛନ୍ତି । ଏନେଇ ଅଭିନେତା ନିଜେ ଏକ ଭିଡିଓ ପୋଷ୍ଟ କରି ଏହି ସୂଚନା ଦେଇଛନ୍ତି ।
ଯେଉଁଥିରେ ସେ କହିଛନ୍ତି, "ଗତକାଲି ରାତିରେ ଭେରା ଦେଶାଇ ରୋଡରେ ଥିବା ଦୁଇଜଣ ଚୋର ଦୁଇଟି କବାଟ ଭାଙ୍ଗି ମୋ ଅଫିସରେ ପଶିଥିଲେ। ସେ ଏକ ବାକ୍ସରେ ଥିବା ଏକ ଚଳଚ୍ଚିତ୍ରର ନେଗେଟିଭ୍ସ ଚୋରି କରି ନେଇଯାଇଛନ୍ତି । ଆମର ଅଫିସ ଏନେଇ ମାମଲା ରୁଜୁ କରିଛି । ଚୋରମାନେ ଖୁବ୍ ଶୀଘ୍ର ଧରାଯିବ ବୋଲି ପୋଲିସ ନିଶ୍ଚିତ କରିଛି । କାରଣ ଉଭୟ ସିସିଟିଭି କ୍ୟାମେରାରେ ଲଗେଜ୍ ନେଇ ଅଟୋରେ ବସିଥିବାର ନଜର ଆସିଛନ୍ତି ।"
ପୋଲିସ ସୂତ୍ରନୁଯାୟୀ, ଅଭିନେତା ଅନୁପମ ଖେରଙ୍କ କାର୍ଯ୍ୟାଳୟରୁ ପ୍ରାୟ 4.15 ଲକ୍ଷ ଟଙ୍କା ଚୋରି ହୋଇଥିବା ଜଣାପଡିଛି । ଘଟଣା ନେଇ ଗୁରୁବାର ମୁମ୍ବାଇ ପୋଲିସ ଏକ ମାମଲା ପଞ୍ଜିକରଣ କରିଛି । ବୁଧବାର ରାତି ୯ଟାରେ ଖେରଙ୍କ କର୍ମଚାରୀମାନେ କାର୍ଯ୍ୟାଳୟ ବନ୍ଦ କରିଦେଇଥିଲେ ଏବଂ ଗୁରୁବାର ସକାଳେ ସେମାନେ ଅଫିସ୍ ଖୋଲିବାକୁ ଆସିଥିବା ବେଳେ ସେମାନେ ଏହି ଚୋରି ହୋଇଥିବା ଜାଣିବାକୁ ପାଇଥିଲେ ।