କଟକ, ୬।୬: ଜଳବନ୍ଦୀ ସମସ୍ୟାକୁ ନେଇ ଶୁକ୍ରବାର ଆଡଭୋକେଟ୍ କମିଟି ଶିଶୁଭବନ ଏବଂ ଏସ୍ସିବି ପରିଦର୍ଶନ କରିଛନ୍ତି । ମୌସୁମୀ ଆସି ପହଞ୍ଚି ସାରିଥିଲା ବେଳେ ଯେ କୌଣସି ସମୟରେ ବଡ଼ ଧରଣର ବର୍ଷା ଆଶଙ୍କା ରହିଛି । ଏଭଳି ସ୍ଥିତିରେ ଶିଶୁ ଭବନରେ ଜଳ ନିଷ୍କାସନ ପାଇଁ କୌଣସି ସ୍ଥାୟୀ ବ୍ୟବସ୍ଥା ନଥିବାରୁ ଆଡଭୋକେଟ୍ କମିଟି ଅସନ୍ତୋଷ ପ୍ରକାଶ କରିଛନ୍ତି । ଶୁକ୍ରବାର ସକାଳ ୧୧ଟାରେ ହାଇକୋର୍ଟ ବାର୍ ଆସୋସିଏସନ୍ ପୂର୍ବତନ ସଭାପତି ଆଇନୀଜୀବୀ ବିଜୟ ଦାଶଙ୍କ ଅଧ୍ୟକ୍ଷତାରେ ଏହି କମିଟି ଶିଶୁ ଭବନରେ ପହଞ୍ଚି ଏହାର ଅଧିକ୍ଷଙ୍କ ସହ ଆଲୋଚନା କରିଥିଲେ । ରାଜ୍ୟ ସରକାର ଶିଶୁ ଭବନ ଡ୍ରେନେଜ୍ ବ୍ୟବସ୍ଥା ପାଇଁ ଧାର୍ଯ୍ୟ ଅର୍ଥ ମଞ୍ଜୁର କରିଥିଲେ ମଧ୍ୟ କାମ ଆରମ୍ଭ ହୋଇନଥିବାରୁ ଆଗକୁ ସମସ୍ୟା ଉପୁଜିପାରେ ବୋଲି ଅଧିକ୍ଷକ ଆଶଙ୍କା ବ୍ୟକ୍ତ କରିଥିଲେ । ଏହାପରେ ଏହି କମିଟି ଏସ୍ସିବିରେ ପହଞ୍ଚି ଅଧିକ୍ଷକଙ୍କ ସହ ବିଭିନ୍ନ ସମସ୍ୟାକୁ ନେଇ ଆଲୋଚନା କରିଥିଲେ ।
ସେହିପରି ରୋଗୀଙ୍କ ସମସ୍ୟାକୁ ନେଇ ଏସ୍ସିବି ମେଡିକାଲରେ ଏବେ ବିବାଦୀୟ ସ୍ଥିତି ଲାଗି ରହିଛି । ରୋଗୀଙ୍କ ଚିକିତ୍ସା ଅବହେଳାଠୁ ଆରମ୍ଭ କରି ଟ୍ରମା ଓ ନନ ଟ୍ରମା କାଜୁଆଲଟିରେ ଗୁରୁତର ରୋଗୀ ଓ ଦୁର୍ଘଟଣାଗ୍ରସ୍ତଙ୍କ ଜରୁରୀକାଳୀନ ଚିକିତ୍ସାରେ ବିଭ୍ରାଟ ସୃଷ୍ଟି ହେଉଛି । ସେହିପରି କାଉଣ୍ଟରରେ ମେଡିସିନ୍ ପାଇବା ଲାଗି ରୋଗୀଙ୍କୁ ଘଣ୍ଟାଘଣ୍ଟା ଅପେକ୍ଷାରେ କରିବାକୁ ପଡ଼ୁଛି । କାଉଣ୍ଟରରେ ଟିକେଟ୍ ପାଇଁ ରୋଗୀ ସମ୍ପର୍କୀୟ ନାହିଁ ନଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି । ରୋଗୀଙ୍କ ସମସ୍ୟାର ଅନୁଧ୍ୟାନ ଲାଗି ହାଇକୋର୍ଟ ଆଡଭୋକେଟ୍ କମିଟି ଏସ୍ସିବିରେ ପହଞ୍ଚିଛନ୍ତି । ଆଡଭୋକେଟ୍ ବିଜୟ ଦାଶଙ୍କ ନେତୃତ୍ୱରେ ଏକ ଟିମ୍ ମେଡିକାଲ ପରିଦର୍ଶନରେ ଯାଇ ସ୍ଥିତି ସମୀକ୍ଷା କରିଛନ୍ତି । ସେହିପରି ମେଡିକାଲ ପରିସରରେ ନାଳନର୍ଦ୍ଦମା ସ୍ଥିତି, ଟ୍ରାଫିକ୍ ବ୍ୟବସ୍ଥା ଆଦି ବୁଲି ଦେଖିଥିଲେ ।
କହିରଖୁ କି, ଆଗାମୀ ଲଗାଣ ବର୍ଷାରେ ପୂର୍ବ ପରି ଚଳିତ ବର୍ଷ ମଧ୍ୟ ଏସ୍ସିବିରେ ମେଡିକାଲ, ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲ ଓ ଶିଶୁ ଭବନ ମେଡିକାଲ ଜଳବନ୍ଦୀ ହେବ । ୩ଟି ଯାକ ମେଡିକାଲ ପରିସରରେ ନାଳନର୍ଦ୍ଦମାରୁ ପଙ୍କୋଦ୍ଧାର କାର୍ଯ୍ୟ ଅଦ୍ୟାବଧି ହୋଇପାରିନାହିଁ । ଏସ୍ସିବିରେ ଡ୍ରେନ୍ଗୁଡ଼ିକ ପଙ୍କରେ ପୋତି ହୋଇଯାଇଛି । ମେଡିକାଲ ପରିସରଠାରୁ ଆରମ୍ଭ କରି ହଷ୍ଟେଲ, ମେଡିକାଲ କଲେଜ ନାଳ ନର୍ଦ୍ଦମାରେ ପଙ୍କ ଭରି ରହିଛି । ତେଣୁ ଏ ବର୍ଷ ଦିନେ ଏସ୍ସିବିରେ ଜଳବନ୍ଦୀ ସମସ୍ୟା ଦୂର ପାଇଁ ୱାଟକୋକୁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ତାହା କାର୍ଯ୍ୟକାରୀ ହୋଇପାରିନି । ବର୍ଷା ଋତୁ ପୂର୍ବରୁ ନାଳନର୍ଦ୍ଦମାରୁ ପଙ୍କୋଉଦ୍ଧାର ଠିକ୍ ଭାବେ ହୋଇନଥିବାରୁ ଉକ୍ତ ହସ୍ପିଟାଲାରେ କୁଢ଼କୁଢ଼ ଅଳିଆ ଆବର୍ଜନା, ପଙ୍କ, କାଦୁଅ ଜମି ରହିଛି । ନର୍ଦ୍ଦମା ଉପରେ ସ୍ଲାପ୍ ପଡ଼ିଥିବା ସ୍ଥାନରେ ସଫେଇ କରାଯାଇନାହିଁ । ତେଣୁ ପୂର୍ବ ବର୍ଷଗୁଡ଼ିକରେ ନାଳନର୍ଦ୍ଦମା ସମସ୍ୟା ପାଇଁ ମେଡିକାଲ ମୁଖ୍ୟ ରାସ୍ତା ବୁଡ଼ି ଯେପରି ପୁରୁଣା ଆଉଟଡୋର ସମ୍ମୁଖ, ସୁପର ସ୍ପେସାଲ ଆଉଟଡୋର ରାସ୍ତାରେ ଆଣ୍ଠୁଏ ଉଚ୍ଚରେ ପାଣି ଚାଲେ । ଏଥର ବି ସମାନ ପରିସ୍ଥିତି ସୃଷ୍ଟି ହେବ ବୋଲି ହସ୍ପିଟାଲ କର୍ମଚାରୀମାନେ କହିଛନ୍ତି । ଏପରିକି ବ୍ୟବଚ୍ଛେଦ ରୁମ୍ ଭିତରେ ନର୍ଦ୍ଦମା ପାଣି ସୁଅ ଛୁଟିବ । ତେବେ ଶିଶୁ ଭବନରେ ଜଳବନ୍ଦୀ ସମସ୍ୟାକୁ ନେଇ ପ୍ରମେୟରେ ପୂର୍ବରୁ ଖବର ପ୍ରକାଶ ପାଇଥିଲା । ଏହି ଖବର ଆଧାରରେ ଶୁକ୍ରବାର ଆଡଭୋକେଟ୍ କମିଟି ଶିଶୁ ଭବନ ଏବଂ ଏସିିସିବି ପରିଦର୍ଶନ କରିଛନ୍ତି ।