ଢେଙ୍କାନାଳ,୧୭/୦୮ : ବାପା, ମା’ଙ୍କ ସେବା କରିବାକୁ ଆଜିର ଅନେକ ପୁଅ, ଝିଅ ଅମଙ୍ଗ । ଏକାଧିକ ପୁଅ ଥିଲେ ବାପା-ମାଙ୍କ ସେବା ଭାଗବଣ୍ଟାରେ ହେଉଛି । ଜଣେ ୬ ମାସ ରଖି ଆଉ ଜଣକ ପାଖକୁ ପଠେଇ ଦେଉଛି ଆଉ ୬ ମାସ ପାଇଁ । କିନ୍ତୁ ମାସେ କି ବର୍ଷେ ନୁହେଁ, ଦୀର୍ଘ ୬ ବର୍ଷ କାଳ ପକ୍ଷାଘାତରେ ପୀଡ଼ିତ କୁକୁରର ସେବା କରିଛନ୍ତି ପରିବାର । ପଚା ଘା’ରେ ମଲମ ଲଗାଇଛନ୍ତି । ନିରବଚ୍ଛିନ୍ନ ଚିକିତ୍ସା କରି ମଣିଷପଣିଆ ଦେଖାଇଛନ୍ତି । କୁକୁରର ବିଶ୍ୱସନୀୟତା ପାଖରେ ମଣିଷ କେତେ ଆବେଗିକ ହୋଇପାରେ ତାହାର ଏକ ଜ୍ୱଳନ୍ତ ଚିତ୍ର ଦେଖିବାକୁ ମିଳିଛି ଢେଙ୍କାନାଳ ସହର କୁମ୍ଭାରସାହିର ସନ୍ତୋଷ କୁମାର ମହାନ୍ତିଙ୍କ ପରିବାରରେ ।
ସନ୍ତୋଷ କୁମାର ମହାନ୍ତିଙ୍କ ସାନ ପୁଅ ସତ୍ୟଜିତ୍ ୨୦୧୫ ମସିହାରେ କଟକରୁ ଜର୍ମାନ ଶେଫର୍ଡ ପ୍ରଜାତିର ଦୁଇ ମାସର ଏକ କୁକୁର ଛୁଆ ଘରକୁ ଆଣିଥିଲେ । ଘରେ କୁକୁର ପାଳିବାକୁ ବାପା, ମା’ ପ୍ରଥମେ ବାରଣ କରିଥିଲେ । ପରେ ସେମାନେ ବି ଆଦରି ନେଇଥିଲେ । କୁକୁରଟି ବଡ ହେବାକୁ ଲାଗିଲା । ନାଁ ଦିଆଗଲା ପ୍ରିନ୍ସ । ଟିକେ ବଡ଼ ହେବା ପରେ ଜଣେ ଟ୍ରେନରଙ୍କ ଦ୍ୱାରା ଟ୍ରେନିଂ ଦିଆଗଲା । ଟ୍ରେନିଂ ପାଇ ବେଶ୍ ଚତୁର ହେବା ସହ ପରିବାର ଲୋକଙ୍କ କଥା ମାନିଲା ପ୍ରିନ୍ସ । ଟ୍ରେନିଂ ବେଳେ ପିନ୍ଧାଯାଉଥିବା ପୋଷାକରେ ତା’ ନମ୍ବର (କେ-୯) ଥିବା ବେଳେ ତାହାକୁ ସମସ୍ତେ ‘କେ୨ ବା କେଟୁ’ ବୋଲି ଡାକିଲେ । ଟ୍ରେନିଂ ପାଇ କେଟୁ ଘରକୁ ସୁରକ୍ଷିତ ରଖିଥିଲା । ଢେଙ୍କାନାଳ ଏକ ପାହାଡ ଘେରା ସ୍ଥାନ ହୋଇଥିବାରୁ ଘରକୁ ଅଧିକାଂଶ ସମୟରେ ସାପ ପଶି ଆସନ୍ତି । କେଟୁ ଏମିତି ଅନେକ ବିଷଧର ସାପଙ୍କୁ ଦେଖି ଘରକୁ ପଶିବାକୁ ଦିଏନି । ଦିନେ ଘରେ ଟାଇଲ୍ କାମ ହେଉଥିବା ବେଳେ ଟାଇଲ କଟାଯିବାର କାନଫଟା ଶବ୍ଦରେ କେଟୁ ହଠାତ୍ ଅସ୍ତବ୍ୟସ୍ତ ହୋଇପଡ଼ିଲା । ବାତ ମାରିବା ଭଳି ପଡ଼ିଯାଇ ମୁଣ୍ଡକୁ ତଳେ ବାଡ଼େଇଲା । ପରିବାର ଲୋକେ ଭୟଭୀତ ହୋଇପଡ଼ିଲେ । ପଶୁ ଡାକ୍ତରଙ୍କୁ ଦେଖାଇବାରୁ ରାବିଜ୍ ହୋଇଛି ବୋଲି କହିଲେ । ମୁଣ୍ଡ ଫାଟି ରକ୍ତ ବୋହିବା ସହ ସେବେଠାରୁ କେଟୁ ଆଉ ଠିକ୍ରେ ଚାଲି ପାରିଲାନାହିଁ କିମ୍ବା ଭୁକି ପାରିଲାନାହିଁ । ସେତେବେଳକୁ କେଟୁ ମାତ୍ର ୩ ବର୍ଷର ହୋଇଥାଏ । ପ୍ରାୟ ମାସେ ସେବା କରିବା ପରେ ଭଲ ନହେବାରୁ ପରିବାର ଲୋକେ କେଟୁକୁ ଜଙ୍ଗଲରେ ନେଇ ଛାଡ଼ି ଦେବାକୁ ଚିନ୍ତାକଲେ ।
ସନ୍ତୋଷ କୁମାର ମହାନ୍ତି ଓ ତାଙ୍କ ପୁଅ ଅଧରାତିରେ ସ୍କୁଟିରେ ନେଇ କପିଳାସ ରାସ୍ତାର ସାଇ ଆଶ୍ରମ ନିକଟରେ ଏକ ଗଛମୂଳେ ଛାଡ଼ି ଚାଲି ଆସିଲେ । କେଟୁକୁ ସିନା ଛାଡ଼ିଦେଲେ, ହେଲେ ଦିନମାନ ମନ ଥୟ ଧରିଲାନି । କେଟୁର ବିଶ୍ୱସନୀୟତା, ଆବେଗିକ ସମ୍ପର୍କ ପ୍ରତିମୁହୂର୍ତ୍ତରେ ମାନବିତାକୁ ନେଇ ପ୍ରଶ୍ନ କରୁଥାଏ । ଏତେ ସ୍ୱାର୍ଥପର କିଭଳି ହୋଇପାରିଲେ ଭାବିବା ସହ ସନ୍ତୋଷଙ୍କ ପତ୍ନୀ ସତ୍ୟଭାମା ମହାନ୍ତି କେଟୁକୁ ଝୁରି ହୋଇଥିଲେ । ସନ୍ଧ୍ୟାରେ ପୁଣି ସ୍କୁଟି ନେଇ କେଟୁକୁ ଆଣିବାକୁ ସନ୍ତୋଷ ବାହାରିଗଲେ । ସନ୍ତୋଷଙ୍କୁ ଦେଖି କେଟୁ ଚାଲି ଆସି ସ୍କୁଟିରେ ବସିପଡିଲା । ସେବେଠାରୁ ପରିବାର ଆଉ କେଟୁକୁ ପର କରିଦେଇ ନାହାନ୍ତି । ପକ୍ଷାଘାତରେ ଆକ୍ରାନ୍ତ ହୋଇ କେଟୁ ସେହିଭଳି କେବଳ ଶୋଇ ରହୁଥିଲା । ଶୋଇ ରହିବା ଯୋଗୁଁ ଅନେକ ସମୟରେ ସଂକ୍ରମିତ ହେଉଥିଲା । ବିଚଳିତ ହେଲେ ଛାଟି ବାଡେଇ ହୋଇ ମୁଣ୍ଡ ତଳେ ପିଟେ । ମୁଣ୍ଡ ଫାଟି ଦେହରେ କ୍ଷତ ହୋଇ ଘା’ ହୋଇଯାଏ । ସେ ଘା’କୁ ପରିବାର ଲୋକେ ସଫାକରି ଔଷଧ ଲଗାନ୍ତି । ପକ୍ଷାଘାତରେ ଶୀତ ଦିନ କେଟୁ ପାଇଁ ବେଶି ସମସ୍ୟା ସୃଷ୍ଟିକରେ । ଆଦୌ ଉଠି ପାରେନାହିଁ, ଖାଦ୍ୟ ବି ଗ୍ରହଣ କରିପାରେନି । ଶେଷରେ ସାଲାଇନ ଦେବାକୁ ପଡେ । ସାଲାଇନ୍ ନସରିବା ଯାଏ ଅଧ ରାତି ଯାଏ ପରିବାରର କେହିନା କେହି ଜଗି ବସନ୍ତି ।
କିଛି ଦିନ ତଳେ କେଟୁର ସ୍ୱାସ୍ଥ୍ୟାବସ୍ଥା ଅତି ଖରାପ ହୋଇଗଲା । ବହୁ ଚେଷ୍ଟା ସତ୍ତ୍ଵେ ଚାରି ଦିନ ତଳେ କେଟୁର ୯ ବର୍ଷ ବୟସରେ ମୃତ୍ୟୁ ହୋଇଯାଇଛି । ପରିବାର ଲୋକେ କୁକୁରର ଅନ୍ତିମ ସତ୍କାର କରିବା ସହ ତାକୁ ଝୁରି ହେଉଛନ୍ତି । କେଟୁକୁ ସବୁଦିନ ରାତିରେ ବୁଲାଇନେବା ସହ ତା’ ସେବା କରିବା ତାଙ୍କ ପାଇଁ ଏକ ନିତ୍ୟକର୍ମ ହୋଇଯାଇଥିଲା । ତା’ ଗନ୍ଧ ନାକସୁହା ହୋଇଯାଇଥିଲା । ୩ ବର୍ଷରେ କେଟୁ ତାଙ୍କ ପାଇଁ ଯାହା କରିଥିଲା, ୬ ବର୍ଷର ସେବା ତା’ ବଦଳରେ କିଛି ନୁହଁ ବୋଲି ପରିବାରବର୍ଗ କୁହନ୍ତି । କେଟୁ ଯିବାପରେ ଆଜିର ସ୍ୱାର୍ଥପର ଯୁଗରେ ଗୋଟିଏ ରୁଗ୍ଣ କୁକୁରକୁ ଦୀର୍ଘ ୬ ବର୍ଷ କାଳ ସେବା କରିବା ଘଟଣା ଏବେ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । କୁକୁରର ବିଶ୍ୱସନୀୟତା ମଣିଷକୁ କେତେ ଆବେଗପୂର୍ଣ୍ଣ କରିପାରେ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବା ସହ ପରିବାରର ଏପରି ସେବା ଓ ମାନବିକତା ଆଜିର ସ୍ୱାର୍ଥପର ସମାଜର ଆଖିଖୋଲିଦେଲା ଭଳି ।