ପ୍ରମୂଖ ଖବର
  • ରାଜ୍ୟରେ ୨୦ରୁ ବଢ଼ିବ ତାତି, ୨୩ ତାରିଖ ପରେ ଉପକୂଳ ଓଡ଼ିଶାରେ ୪୫ ଡିଗ୍ରୀ ଛୁଇଁପାରେ ପାରଦ
  • ||

କଂକ୍ରିଟ୍‌ରେ ଅବରୁଦ୍ଧ ରାଜଧାନୀର ଅନ୍ତିମ ପ୍ରାକୃତିକ ଜଳଉତ୍ସ, ଭାରତୀୟ ପ୍ରତ୍ନତତ୍ତ୍ୱ କହୁଛି ଆମକୁ କେହି ମାନୁନାହାନ୍ତି

Published By : Prameya | April 9, 2025 10:19 AM

ଭୁବନେଶ୍ୱର, ୯/୪ : କେଦାରଗୌରୀ କୁଣ୍ଡ ଭଳି ପ୍ରଦୂଷଣର କରାଳ ଦୁର୍ଦ୍ଦଶା ଭୋଗିବାକୁ ଯାଉଛି ପ୍ରାଚୀନ ଗଙ୍ଗାଯମୁନା କୁଣ୍ଡ ଓ ଗୁଆଝର। ରାଜଧାନୀର ଅନ୍ତିମ ପ୍ରାକୃତିକ ଏହି ସ୍ୱଚ୍ଛ ଜଳଧାରାଦ୍ୱୟ ମଳମୂତ୍ରର କୁଣ୍ଡ ପାଲଟିବାକୁ ଯାଉଛି। କାରଣ ଏହି ଐତିହ୍ୟସ୍ଥଳୀକୁ ଲଗାଇ ବିନା ଅନୁମତିରେ ଅନେକ ଅଟ୍ଟାଳିକା ଗୋଟିଏ ପରେ ଗୋଟିଏ ଠିଆ ହେବାରେ ଲାଗିଛି। ସେଥିରୁ ବାହାରୁଥିବା ମଳମୂତ୍ର କୁଣ୍ଡରେ ମିଶିଲାଣି। ବିଷାକ୍ତ ଜୀବାଣୁ ପାଣିର ରଙ୍ଗ ବଦଳାଇ ଦେଲେଣି। 

ଏକାମ୍ର ଐତିହ୍ୟର ଅନ୍ୟତମ ସୁନ୍ଦର ନିଦର୍ଶନ ପ୍ରାଚୀନ ଗଙ୍ଗେଶ୍ୱର-ଯମୁନେଶ୍ୱର ମନ୍ଦିର। ଏହି ମନ୍ଦିର ପରିସରରେ ପ୍ରାକୃତିକ ଅନ୍ତଃସ୍ରୋତରେ ପରିପୂର୍ଣ୍ଣ ଗଙ୍ଗାଯମୁନା କୁଣ୍ଡ। ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ ଦ୍ୱାରା ସଂରକ୍ଷିତ ଶ୍ରୀଲିଙ୍ଗରାଜ ମନ୍ଦିର ଠାରୁ ଏହି ମନ୍ଦିର ପ୍ରାୟ ୧୫୦ ମିଟର, ଦେବୀ ପାଦହରା (ସହସ୍ର ଲିଙ୍ଗମ୍‌) ଠାରୁ ୫୦ ମିଟର ଓ ଅନନ୍ତ ବାସୁଦେବ ମନ୍ଦିର ଠାରୁ ୮୦ ମିଟର ନିକଟରେ ଅବସ୍ଥିତ। ପର୍ଯ୍ୟଟକଙ୍କ ଅବଲୋକନ ନିମନ୍ତେ ଏକାମ୍ର ଯୋଜନାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଏହାର ଚାରିପଟେ ଥିବା କୋଠାବାଡ଼ି ଅଧିଗ୍ରହଣ କରାଯାଇଥିଲା । ଖୋଦ୍‌ ବିଏମ୍‌ସି ଉକ୍ତ କୋଠାବାଡ଼ିକୁ ଭାଙ୍ଗି ପାରିପାର୍ଶ୍ୱିକ ଅଞ୍ଚଳକୁ ସୁନ୍ଦର ଭାବେ ସଜାଡ଼ିଥିଲା । ଫଳରେ ଏହି ଐତିହ୍ୟ ପର୍ଯ୍ୟଟକଙ୍କ ନଜରକୁ ଆସିଥିଲା । ହେଲେ, ଏକାମ୍ର ଯୋଜନା ଏବେ ଦିଗହରା ଭଳି ପ୍ରତୀୟମାନ । ଦେଖିବାକୁ ମିଳିଲାଣି ଏହି ଐତିହ୍ୟ ଚାରିପଟେ ଏକାଧିକ ନୂଆ କୋଠାବାଡ଼ି ନିର୍ମାଣ ହେବାରେ ଲାଗିଛି । ପ୍ରାକୃତିକ ଝରର ନିଷ୍କାସନ ପ୍ରଣାଳୀରେ କଂକ୍ରିଟର ଯାବ ଦିଆଯାଉଛି । କାଳକ୍ରମେ ତାହା କୋଠାବାଡ଼ିରୁ ନିର୍ଗତ ବର୍ଜ୍ୟଜଳର ପ୍ରବାହ ପାଲଟିଛି । 

ସବୁଠାରୁ ବଡ଼ କଥା ହେଲା ଗଙ୍ଗାଯମୁନା ନିକଟସ୍ଥ ଏକ କୋଠାକୁ ଭାଙ୍ଗିଦେବା ଲାଗି ଓଡିଏ(ଓଡ଼ିଶା ଉନ୍ନୟନ କର୍ତ୍ତୃପକ୍ଷ)ଙ୍କ ଅଦାଲତଙ୍କ ନିକଟରେ ମାମଲା ନଂ-୧୨୭ ଆଗତ ହୋଇଥିଲା । ବିଚାରପତି ଉକ୍ତ କୋଠାକୁ ଭାଙ୍ଗିଦେଇ ତୁରନ୍ତ ରିପୋର୍ଟ କରିବା ଲାଗି ୨୦୨୪ ଜାନୁଆରୀ ୪ ତାରିଖରେ ବିଏମ୍‌ସି କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ କାର୍ଯ୍ୟାନୁଷ୍ଠାନ ପ୍ରଭାବଶାଳୀଙ୍କ ଚାପରେ ଚାପି ହୋଇ ରହିଯାଇଛି । ଫଳରେ ଏହି ଐତିହ୍ୟକ୍ଷେତ୍ରକୁ ଲଗାଇ ଆହୁରି ଅନେକ କୋଠା ବିନା ପ୍ଲାନ୍‌ ମଞ୍ଜୁରିରେ ବେଆଇନ ଆଉ ନିରଙ୍କୁଶ ଭାବେ ଗଢ଼ି ଉଠିବାରେ ଲାଗିଛି । ଗୁଆଝରର ଅବସ୍ଥା ଆହୁରି ଦୟନୀୟ । କେଦାରଗୌରୀ ମନ୍ଦିର ନିକଟସ୍ଥ ଏହି ଝର ଦିନେ ନିଜର ସ୍ୱଚ୍ଛତା ପାଇଁ ଦେଶବିଦେଶରେ ପ୍ରସିଦ୍ଧି ଲାଭ କରିଥିଲା । ହେଲେ ବର୍ତ୍ତମାନ ଏହି ଝର ପରିସରକୁ ଆବୋରି ନେଇଛି କଂକ୍ରିଟ । ଅନେକ ଅବ୍ୟବସ୍ଥିତ ବେଆଇନ ନିର୍ମାଣ ଏହି ଝରକୁ ଘେରାବନ୍ଦୀ କରି ସାରିଲାଣି । ଉକ୍ତ କୋଠାବାଡ଼ିରୁ ନିର୍ଗତ ବର୍ଜ୍ୟଜଳ ସିଧାସଳଖ ଗୁଆଝର ପୁଷ୍କରିଣୀରେ ମିଶୁଛି । 

କେଦାରଗୌରୀ ମନ୍ଦିର ପରିସରରେ ଥିବା କୁଣ୍ଡ ଗୁଡ଼ିକ ଘୋର ପ୍ରଦୂଷଣ ଯୋଗୁ ଯେପରି ବ୍ୟବହାର ଅଯୋଗ୍ୟ ହୋଇପଡ଼ିଛି, ସେହିଭଳି ଅବସ୍ଥାରେ ଗୁଆଝର ପହଞ୍ଚିବାକୁ ଆଉ ବେଶୀ ଦୂର ନୁହେଁ । ଏକାମ୍ର ଐତିହ୍ୟର ଶୋଭା ମଣ୍ଡନ କରୁଥିବା ଏହି ୨ ଐତିହ୍ୟସ୍ଥଳକୁ ବଞ୍ଚାଇବା ଲାଗି ସ୍ଥାନୀୟ ଅଞ୍ଚଳର ଲୋକେ ପ୍ରଚେଷ୍ଟା ଚଳାଇଛନ୍ତି । ଭାରତୀୟ ପ୍ରତ୍ନତତ୍ତ୍ୱ ଆଇନକୁ ଏହି ନିର୍ମାଣ ଗୁଡ଼ିକ ବିରୁଦ୍ଧାଚରଣ କରୁଥିବାରୁ ଏହାକୁ ହଟାଇବା ଲାଗି ବିଭାଗୀୟ ଅଧୀକ୍ଷଣ ପ୍ରତ୍ନତତ୍ତ୍ୱବିତ୍‌ଙ୍କୁ ଦାବିପତ୍ର ଜରିଆରେ ଜଣାଇଛନ୍ତି । ମଙ୍ଗଳବାର ସ୍ୱେଚ୍ଛାସେବୀ ସଂଗଠନ ଏକାମ୍ର ଜନ ଜାଗରଣ ମଞ୍ଚ ନେତୃତ୍ୱରେ ସ୍ଥାନୀୟ ଲୋକଙ୍କ ଏକ ପ୍ରତିନିଧି ମଣ୍ଡଳି ବିଏମ୍‌ସି କମିଶନରଙ୍କ ନିକଟରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ସ୍ଥାନୀୟ ଲୋକଙ୍କ ହସ୍ତାକ୍ଷର ସମ୍ବଳିତ ଏକ ଦାବିପତ୍ର ଦେଇ ଉକ୍ତ ବେଆଇନ ନିର୍ମାଣ ହଟାଇ ଏକାମ୍ର ଯୋଜନାର ମାନ ରକ୍ଷା କରିବାକୁ ନିବେଦନ କରିଛନ୍ତି । 

ଏହି ଖବରଟିକୁ ପଢନ୍ତୁ-ଅଜଣା ଗାଡ଼ି ଧକ୍କାରେ ITDA କର୍ମଚାରୀଙ୍କ ମୃତ୍ୟୁ, ତଦନ୍ତ କରୁଛି ପୋଲିସ


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.