ଭୁବନେଶ୍ୱର, ୦୯/୦୪: ମର୍ଣ୍ଣିଂ ୱାକ୍ ପାଇଁ ଯାଇଥିବା ବେଳେ ଅଘଟଣ । ଅଜଣା ଗାଡ଼ି ଧକ୍କାରେ ଚାଲିଗଲା ITDA କର୍ମଚାରୀଙ୍କ ଜୀବନ । ମୃତକ ହେଉଛନ୍ତି ଚମ୍ପୁଆ ITDA ର ଚତୁର୍ଥ ଶ୍ରେଣୀ କର୍ମଚାରୀ ବିରଞ୍ଚି ମହାନ୍ତ । କେନ୍ଦୁଝର ଜିଲ୍ଲା ବଡ଼ବିଲ ଚମ୍ପୁଆ ବସଷ୍ଟାଣ୍ଡ ନିକଟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ।
ସୂଚନା ମୁତାବକ, ପ୍ରତିଦିନ ଭଳି ଆଜି ମଧ୍ୟ ମର୍ଣ୍ଣିଂ ୱାକ୍ ପାଇଁ ଯାଇଥିଲେ ବିରଞ୍ଚି ମହାନ୍ତ । ଘର ନିକଟରୁ କିଛି ମିଟର ଦୂରରେ ୱାକ୍ କରିବା ବେଳେ ତାଙ୍କୁ ଏକ ଗାଡ଼ି ଧକ୍କାଦେଇ ପଳାଇଥିଲା । ଏହା ଦେଖି ସ୍ଥାନୀୟଲୋକେ ତୁରନ୍ତ ତାଙ୍କୁ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଏନେଇ ଖବର ପାଇବା ପରେ ଚମ୍ପୁଆ ପୋଲିସ ଘଟଣା ସ୍ଥଳରେ ପହଞ୍ଚିଛି । ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଏହା ସହ ଦୁର୍ଘଟଣା ଘଟାଇଥିବା ଗାଡ଼ିକୁ ଖୋଜି ଘଟଣାର ତଦନ୍ତ ଚଳାଇଛି ପୋଲିସ ।