ପ୍ରୟାଗରାଜ ୧୫/୦୧: ଏଥର ପ୍ରୟାଗରାଜ ମହାକୁମ୍ଭକୁ ମୋଟ ୬୦ କୋଟି ଲୋକ ଆସିବାର ଆକଳନ ରହିଛି । ତେବେ ପୂର୍ବରୁ କୁମ୍ଭମେଳା କିଛି ଅଲଗା ପ୍ରକାରର ଥିଲା । ବ୍ରିଟିଶ୍ ଶାସନ ସମୟରେ ଏହା ଥିଲା ରାଜସ୍ୱ ଆଦାୟର ଉତ୍ସ, ଜାତୀୟତାବାଦର କେନ୍ଦ୍ର ଓ କ୍ରାନ୍ତିର ଆଧାର । ଉନବିଂଶ ଶତାଦ୍ଦୀରେ ବ୍ରିଟିଶ୍ ଇଷ୍ଟ ଇଣ୍ଡିଆ କଂପାନି ପ୍ରୟାଗରାଜ ଉପରେ କବ୍ଚା କରିବା ପରେ ସେମାନେ ପ୍ରତି ୧୨ ବର୍ଷରେ ଆୟୋଜିତ ହେଉଥିବା କୁମ୍ଭ ମେଳା ସଂପର୍କରେ ଜାଣିବାକୁ ପାଇଲେ । କୁମ୍ଭର ଧାର୍ମିକ ମହତ୍ତ୍ୱ ସଂପର୍କରେ ସେମାନଙ୍କର କୌଣସି ମତଲବ ନଥିଲା, ସେମାନେ ଏହାକୁ ଏକ ବ୍ୟବସାୟ ଭାବେ ଦେଖୁଥିଲେ । ତେଣୁ ମେଳାକୁ ଆସୁଥିବା ସବୁ ଲୋକଙ୍କ ନିକଟରୁ ଏକ ଟଙ୍କାର ଟିକସ ନେଲେ । ଏହାକୁ ‘କୁମ୍ଭ ଟିକସ’ ବୋଲି କୁହାଯାଉଥିଲା ।
ତ୍ରିବେଣୀ ସଙ୍ଗମରେ ସ୍ନାନ କରିବା ଲାଗି ସବୁ ଶ୍ରଦ୍ଧାଳୁଙ୍କୁ ଏହି ଅର୍ଥ ଦେବାକୁ ପଡୁଥିଲା । ସେ ସମୟରେ ଏକ ଟଙ୍କା ବହୁତ ଅଧିକ ଥିଲା । ଅନେକ ଲୋକ ମାସ ସାରା କାମ କରି ବି ଏକ ଟଙ୍କା ରୋଜଗାର କରିପାରୁନଥିଲେ । ଏହାସତ୍ତେ୍ୱ କୁମ୍ଭ ଟିକସକୁ ୧ ଟଙ୍କା ରଖାଗଲା । ଭାରତରେ ଦୀର୍ଘ ୨୪ ବର୍ଷ ବିତାଇଥିବା ବ୍ରିଟିଶ୍ ମହିଳା ଫ୍ୟାନି ପାର୍କ ନିଜର ଏକ ଆଲୋଖ୍ୟରେ ଏ ସଂପର୍କରେ ଉଲ୍ଲେଖ କରିଛନ୍ତି ।
ଏହାସହିତ ନାପିତ, ବ୍ରାହ୍ମଣ, ଉଠା ଦୋକାନୀଙ୍କ ଭଳି ଯେଉଁ ଲୋକେ କୁମ୍ଭ ମେଳାରୁ କିଛି ଅର୍ଥ ଆୟ କରୁଥିଲେ ସେମାନଙ୍କ ଉପରେ ବି ଇଂରେଜମାନଙ୍କର ନଜର ଥିଲା । ସେମାନେ ରୋଜଗାର କରୁଥିବା ଅର୍ଥ ଉପରେ ଟିକସ ଲଗାଉଥିଲେ ଇଂରେଜ । ଏହି ଟିକସ ପରିସର ବଢ଼ିବା ଯୋଗୁ ସ୍ଥାନୀୟ ବାସିନ୍ଦା ବିଶେଷକରି ପ୍ରୟାଗରାଜର ବ୍ରାହ୍ମଣମାନେ ଅସନ୍ତୁଷ୍ଟ ହୋଇଥିଲେ । ସେମାନଙ୍କର ରୋଜଗାର ଏଥିଯୋଗୁ ବହୁ ମାତ୍ରାରେ ପ୍ରଭାବିତ ହୋଇଥିଲା । ପୁଣି ସେତେବେଳକୁ ମିଶନାରୀମାନେ ମଧ୍ୟ ଆସି ହିନ୍ଦୁ ଲୋକଙ୍କୁ ଧର୍ମ ପରିବର୍ତ୍ତନ କରିବାକୁ ପ୍ରୋତ୍ସାହିତ କରୁଥିଲେ । ଏହା ସ୍ଥାନୀୟ ଲୋକଙ୍କୁ ଆହୁରି ରଗାଇଲା । ଫଳରେ ୧୮୫୭ର ସଂଗ୍ରାମରେ ପ୍ରୟାଗରାଜର ବାସିନ୍ଦା କ୍ରାନ୍ତିକାରୀମାନଙ୍କୁ ସମର୍ଥନ କରିଥିଲେ । ଯଦିଓ ସେମାନେ ବିଦ୍ରୋହରେ ସିଧାସଳଖ ଭାଗ ନେଇନଥିଲେ, ତେବେ ରାଣୀ ଲକ୍ଷ୍ମୀବାଇଙ୍କ ଭଳି କ୍ରାନ୍ତିକାରୀଙ୍କୁ ଶରଣ ଦେଇଥିଲେ । ପ୍ରଚ୍ଛଦରେ ରହି ସେମାନଙ୍କୁ ସବୁପ୍ରକାର ସୁବିଧା ଯୋଗାଇ ଦେଇଥିଲେ । ଏଥିସହିତ କୁମ୍ଭ ମେଳା ଭାରତର ସ୍ୱାଧୀନତା ସଂଗ୍ରାମ ସହିତ ଯୋଡି଼ ହୋଇଗଲା ।