ନୂଆଦିଲ୍ଲୀ: ତେଲେଙ୍ଗାନାର ରଙ୍ଗାରେଡ୍ଡୀ ଜିଲ୍ଲାର ପୁପ୍ପାଲଗୁଡାଠାରେ ଥିବା ଅନନ୍ତ ପଦ୍ମନାଭ ସ୍ୱାମୀ ମନ୍ଦୀର ନିକଟରୁ ଦୁଇଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଜାନୁଆରି ୧୪ ତାରିଖ ସକାଳେ ପାହାଡ଼ ଉପରେ ଥିବା ଏହି ମନ୍ଦିର ନିକଟରୁ ମିଳିଥିବା ଦୁଇଜଣଙ୍କ ମୃତଦେହ ଏକ ଦମ୍ପତ୍ତିଙ୍କର ବୋଲି ପୋଲିସ ସୂଚନା ପ୍ରଦାନ କରିଛି।
ଏକ ବଡ ପଥର ସାହାଯ୍ୟରେ ଛେଚି ଉଭୟଙ୍କୁ ହତ୍ୟା କରାଯାଇଛି। ପ୍ରଥମେ ମହିଳାଙ୍କୁ ହତ୍ୟା କରାଯାଇଥିବା ବେଳେ ପରେ ପୁରୁଷ ଜଣଙ୍କୁ ହତ୍ୟା କରାଯାଇଛି ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଥିବା ପୋଲିସ କହିଛି।
ପାହାଡ଼ ଉପରକୁ ଗୁଡ଼ି ଉଡାଇବାକୁ ଯାଇଥିବା ସ୍ଥାନୀୟ ଯୁବକମାନେ ପ୍ରଥମେ ମୃତଦେହ ଗୁଡିକୁ ଦେଖି ପୋଲିସକୁ ଖବର ଦେଇଥିଲେ। ମାମଲା ସମ୍ପର୍କରେ ସୂଚନା ମିଳିବା ପରେ ରାଜେନ୍ଦ୍ରନଗର ଅଞ୍ଚଳର ଡିସିପି ଚନ୍ଦ୍ର ଶ୍ରୀନିବାସ ଓ ତାଙ୍କ ଦଳ ସାଙ୍ଗେସାଙ୍ଗେ ଘଟମାସ୍ଥଳରେ ପହଞ୍ଚିଥିଲେ। ଏହି ମାମଲାରେ ଅଧିକ ପ୍ରମାଣ ଜୁଟେଇବା ପାଇଁ ଘଟଣାସ୍ଥଳରେ ଫରେନସିକ ଟିମ ସହ ଡଗ ସ୍କୁଆର୍ଡ ପହଞ୍ଚିଥିଲେ।
ମୃତଦେହ ଗୁଡିକୁ ପୋଷ୍ଟମର୍ଟମ କରିବା ପାଇଁ ନିକଟସ୍ଥ ଡାକ୍ତରଖାନାକୁ ପଠାଯାଇଥିଲା। ମାମଲାର ଅଧିକ ଛାନଭିନ ପାଇଁ ହତ୍ୟାକାଣ୍ଡ ହୋଇଥିବା ଅଞ୍ଚଳକୁ ସିଲ କରିଛି ତେଲେଙ୍ଗାନା ପୋଲିସ। ଏହି ହତ୍ୟାକାଣ୍ଡ ଜାନୁଆରି ୧୩-୧୪ ମଧ୍ୟରାତ୍ରରେ ହୋଇଥିବାନେଇ ପୋଲିସ ଅନୁମାନ କରୁଛି। ତେବେ ଏହି ଘଟଣାର ଅନୁସନ୍ଧାନ ଚାଲୁରହିଛି ବୋଲି ପୋଲିସ ସୁଚନା ପ୍ରଦାନ କରିଛି।