ମୁମ୍ବାଇ,୨୨/୦୮ ଟିମ୍ ଇଣ୍ଡିଆରେ ଭାଇସ୍ କ୍ୟାପଟେନ୍ ଅସ୍ଥିର । ପଦକୁ ନେଇ ବର୍ଷେ ହେଲା ଚାଲିଛି ମ୍ୟୁଜିକ୍ ଚେୟାର । ଡ୍ରେସ୍ ଚେଞ୍ଜ୍ ଭଳି ପ୍ଲେୟର ବଦଳାଉଛି ବିସିସିଆଇ । ସେତେବେଳେ ଗମ୍ଭୀରଙ୍କ ଠାରୁ ଛଡ଼ାଇ ନେଇଥିଲେ । ଏବେ ପାଣ୍ଡ୍ୟା ଓ ପଟେଲ ବି ଆଲୋଡ଼ା ହୋଇଗଲେ । ସେପ୍ଟେମ୍ବର ୯ ତାରିଖରୁ ଆରମ୍ଭ ହେଉଛି ଏସିଆ କପ୍ । ଏଥର ଫଟାଫଟ୍ ଫର୍ମାଟରେ ଖେଳାଯିବ ଟୁର୍ଣ୍ଣାମେଣ୍ଟ । ଏସିଆ ଚାମ୍ପିଅନ ହେବାକୁ ଟିମ୍ ଇଣ୍ଡିଆ ପ୍ରସ୍ତୁତ । ହେଲେ ଭାରତୀୟ ଦଳରେ ବଡ଼ ପରିବର୍ତ୍ତନ କରିଛି ବିସିସିଆଇ । ଅକ୍ଷର ପଟେଲଙ୍କ ଠାରୁ ଛଡ଼ାଇ ଶୁବମନ ଗିଲ୍କୁ ଉପ-ଅଧିନାୟକ ଦାୟିତ୍ବ ଦେଇଛି ବୋର୍ଡ । ଇଂଲଣ୍ଡ ବିପକ୍ଷ ଘରୋଇ ସିରିଜ୍ରେ ଅକ୍ଷରଙ୍କୁ ଭାଇସ୍ କ୍ୟାପଟେନ ଭାବେ ଚୟନ କରିଥିଲେ ବିସିସିଆଇର ଚୟନକମିଟି । ମାତ୍ର ବର୍ଷେ ଭିତରେ ତାଙ୍କୁ ବାଇପାସ୍ କରି ଗିଲଙ୍କୁ ଗୁରୁଦାୟିତ୍ବ ଦିଆଯାଇଛି । କୁହାଯାଉଛି, ଅକ୍ଷରଙ୍କ ଠାରୁ ଶୁବମନ ଅଧିକ ଇଫେକ୍ଟିଭ୍ ।
ଟିମ୍ ଇଣ୍ଡିଆରେ ଚାଲିଛି ଉପ-ଅଧିନାୟକ ପାଇଁ ମ୍ୟୁଜିକ୍ ଚେୟାର । ଗୌତମ ଗମ୍ଭୀରଙ୍କ ଠାରୁ ପାଣ୍ଡ୍ୟା ଏବଂ ପଟେଲଙ୍କ ପର୍ଯ୍ୟନ୍ତ ରହିଛି ଅସନ୍ତୋଷର ଲମ୍ବା ତାଲିକା । ୨୦୧୨ ଇଣ୍ଡିଆ, ଅଷ୍ଟ୍ରେଲିଆ ଏବଂ ଶ୍ରୀଲଙ୍କା ମଧ୍ୟରେ ତ୍ରିକୋଣୀୟ ବା କମନଓ୍ବେଲ୍ଥ ବ୍ୟାଙ୍କ ସିରିଜ୍ ଖେଳାଯାଇଥିଲା । ଏଥିରେ ଗୌତମ ଗମ୍ଭୀର ଉପ-ଅଧିନାୟକ ଥିଲେ । ବିରାଟ କୋହିଲଙ୍କ ପରେ ଦ୍ବିତୀୟ ସର୍ବାଧିକ ରନ୍ ସଂଗ୍ରହକାରୀ ଖେଳାଳି ଥିଲେ । ୭ଟି ମ୍ୟାଚରୁ ୪୪ ହାରରେ ମୋଟ୍ ୩୦୮ ରନ୍ ସଂଗ୍ରହ କରିଥିଲେ । ମାତ୍ର ପରବର୍ତ୍ତୀ ଟୁର୍ଣ୍ଣାମେଣ୍ଟ ଅର୍ଥାତ୍ ବାଂଲାଦେଶରେ ହେବାକୁ ଥିବା ଏସିଆ କପ୍ରେ ତାଙ୍କ ଠାରୁ ଉପ-ଅଧିନାୟକ ପଦ ଛଡ଼ାଇ ନିଆଯାଇଥିଲା । ସମାନ ଘଟଣା ବର୍ତ୍ତମାନ ସମୟରେ ଟିମ୍ ଇଣ୍ଡିଆରେ ରିପିଟ୍ କରିଛି । ପ୍ରଥମେ ହାର୍ଦ୍ଦିକ୍ ପାଣ୍ଡ୍ୟା ଆଉ ଏବେ ଅକ୍ଷର ପଟେଲଙ୍କ ଠାରୁ ଭାଇସ୍ କ୍ୟାପଟେନ ପଦରୁ ଛଡ଼ାଇ ନେଇଛି ବିସିସିଆଇ ।
ଟି-୨୦ ବିଶ୍ବକପ ୨୦୨୪ରେ ରୋହିତ ଶର୍ମା ଅଧିନାୟକ ଥିଲେ । ଆଇସିସିର ଏହି ବଡ଼ ଟୁର୍ଣ୍ଣାମେଣ୍ଟରେ ବିସିସିଆଇ ହାର୍ଦ୍ଦିକ୍ ପାଣ୍ଡ୍ୟାଙ୍କୁ ଉପ-ଅଧିନାୟକ ଭଳି ଗୁରୁଦାୟିତ୍ବ ଦେଇଥିଲା । ଦଳଗତ ଚମତ୍କାର ପ୍ରଦର୍ଶନରେ ଟିମ୍ ଇଣ୍ଡିଆ ବିଶ୍ବ ଚାମ୍ପିଅନ୍ ବି ହେଲା । ହେଲେ ଟି-20ରେ ପାଣ୍ଡ୍ୟାଙ୍କ ଉପରେ ଆଉ ଭରସା କରିପାରିଲାନି ବୋର୍ଡ । ତାଙ୍କ ଠାରୁ ଦାୟିତ୍ବ ଛଡ଼ାଇ ନେଇ ଶ୍ରୀଲଙ୍କା ଟୁର୍ରେ ଶୁବମନ ଗିଲଙ୍କ ହାତରେ ଦିନିକିଆ ଏବଂ ଟି-୨୦ରେ ଭାଇସ୍ କ୍ୟାପଟେନ୍ ଭାର ନ୍ୟସ୍ତ କରିଦିଆଗଲା । ମାତ୍ର ଶୁବମନଙ୍କ ଅନୁପସ୍ଥିତିରେ ଜାନୁଆରୀ-ଫେବ୍ରୁଆରୀରେ ଭାରତ ଗସ୍ତରେ ଇଂଲଣ୍ଡ ଟିମ୍ ଆସିଥିବା ବେଳେ ଅକ୍ଷର ପଟେଲଙ୍କୁ ଉପ-ଅଧିନାୟକ ଦାୟିତ୍ବ ଦିଆଯାଥିଲା । ଆଉ ଏବେ ପୁଣି ଥରେ ଅକ୍ଷରଙ୍କୁ ଅଣଦେଖା କରାଯାଇଛି । ଏସିଆ କପ୍ ଟି-୨୦ ଦଳରେ ତାଙ୍କୁ କେବଳ ଅଲରାଉଣ୍ଡର ଭାବେ ସାମିଲ୍ କରାଯାଇଛି ।
ବର୍ଷେ ଭିତରେ ଟିମ୍ ଇଣ୍ଡିଆରେ ବାରମ୍ବାର ଉପ-ଅଧିନାୟକ ପରିବର୍ତ୍ତନକୁ ନେଇ ଟିମ୍ ମ୍ୟାନେଜମେଣ୍ଟ ଏବଂ ଚୟନକର୍ତ୍ତାଙ୍କ ଚିନ୍ତାଧାରା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । କାହିଁକି ଖେଳାଳିଙ୍କ ଠାରୁ ଦାୟିତ୍ବ କାଢ଼ି ନିଆଯାଉଛି ? ଭାଇସ୍ କ୍ୟାପଟେନକୁ ନେଇ କାହିଁକ ଅସ୍ଥିର ବିସିସିଆଇ ? ଏହାକୁ ନେଇ ଏବେ କ୍ରିକେଟ୍ ବିଶେଷଜ୍ଞ ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି ।...