ନୂଆଦିଲ୍ଲୀ: ସେରେନା ୱିଲିୟମ୍ସ TODAY.com ସହିତ ଏକ ସ୍ୱତନ୍ତ୍ର ସାକ୍ଷାତକାରରେ ଓଜନ ହ୍ରାସ କରିବା ଲାଗି ଔଷଧ ସେବନ କରୁଥିବା ସ୍ବୀକାର କରିଛନ୍ତି । ସେ ଓଜନ ହ୍ରାସ କରିବା ପାଇଁ GLP-1 ଔଷଧ ସେବନ କରୁଛନ୍ତି । ୨୩ ଥର ଗ୍ରାଣ୍ଡ ସ୍ଲାମ୍ ଚାମ୍ପିଅନ୍ ସେରେନା ପ୍ରକାଶ କରିଛନ୍ତି ଯେ, ଦ୍ବିତୀୟ ସନ୍ତାନ ଜନ୍ମ ହେବା ପରେ ସେ ନିଜର ଓଜନ ହ୍ରାସ କରିବାକୁ ପ୍ରୟାସ କରିଥିଲେ । ସେ ସ୍ୱାସ୍ଥ୍ୟସେବା କମ୍ପାନୀ ରୋ ସହିତ ତାଙ୍କର ଏହି ଯାତ୍ରା ଆରମ୍ଭ କରିଥିଲେ । ୱିଲିୟମ୍ସ ଗଣମାଧ୍ୟମକୁ କହିଛନ୍ତି ଯେ, ପ୍ରାୟ ଏକ ବର୍ଷ ପୂର୍ବେ ଔଷଧ ଆରମ୍ଭ କରିବା ପରଠାରୁ ସେ ୩୧ ପାଉଣ୍ଡ ଓଜନ ହ୍ରାସ କରିଛନ୍ତି । ତଥାପି, ସେ କେଉଁ ପ୍ରକାରର ଔଷଧ ନେଉଛନ୍ତି ତାହା ପ୍ରକାଶ କରି ନାହାନ୍ତି।
NBC ନ୍ୟୁଜ୍ ଅନୁଯାୟୀ, Ro ହେଉଛି ଏକ ଟେଲିହେଲ୍ଥ କମ୍ପାନୀ । ଯାହା GLP-1 ଔଷଧ ସଂପର୍କରେ କହିଥାଏ । ଓଜନ ହ୍ରାସ ଔଷଧର ବ୍ୟବହାରକୁ ସ୍ୱାଭାବିକ କରିବା ଏହାର ଲକ୍ଷ୍ୟ । ୱିଲିୟମ୍ସଙ୍କ ସ୍ବାମୀ ଆଲେକ୍ସିସ୍ ଓହାନିଆନ୍, Roରେ ଜଣେ ନିବେଶକ ଏବଂ ଏହାର ବୋର୍ଡରେ ମଧ୍ୟ କାର୍ଯ୍ୟ କରନ୍ତି। ସେରେନା କହିଛନ୍ତି, ସେ ଔଷଧ ଖାଉଥିଲେ ପୁଣି ଛାଡ଼ି ଦେଇଥିଲେ । ଏବେ କିନ୍ତୁ ଔଷଧ ଖାଇବା ଜାରି ରଖିଛନ୍ତି । ଏହା ତାଙ୍କର ଭଲ ନିଷ୍ପତ୍ତି ବୋଲି ସେ କହିଛନ୍ତି ।
ସେ ଆହୁରି କହିଛନ୍ତି, ‘ମୋର (ପ୍ରଥମ) ସନ୍ତାନ ଜନ୍ମ ହେବା ପରେ ଏହା ସବୁ ଆରମ୍ଭ ହୋଇଥିଲା। ଜଣେ ମହିଳା ଭାବରେ, ତୁମେ ତୁମ ଜୀବନରେ ଅନେକ ଫେଜ୍ ଦେଇ ଗତି କର। ମୁଁ ଦୌଡ଼ୁଥିଲି, ଘଣ୍ଟା ଘଣ୍ଟା ଧରି ଚାଲୁଥିଲି । କିନ୍ତୁ ମୁଁ ଯେଉଁ ଖେଳରେ ଭଲ ଥିଲି ସେଠାକୁ ଫେରିପାରି ନଥିଲି । ମୋର ଦ୍ୱିତୀୟ ସନ୍ତାନ ପରେ, ଏହା ଆହୁରି କଷ୍ଟକର ହୋଇଗଲା । ତେଣୁ ମୁଁ ଭାବିଲି, ଠିକ୍ ଅଛି, ମୋତେ କିଛି ଭିନ୍ନ ଚେଷ୍ଟା କରିବାକୁ ପଡିବ।’ ୱିଲିୟମ୍ସ କହିଛନ୍ତି, ସେ ଶାକାହାରୀ ହେବାକୁ ଚେଷ୍ଟା କରିଥିଲେ ।
ପୂର୍ବତନ ଟେନିସ୍ ଖେଳାଳି ପ୍ରକାଶ କରିଛନ୍ତି ଯେ, ନିକଟରେ ଡାକ୍ତରଙ୍କ ପାଖକୁ ଯିବା ପରେ ଜଣାପଡ଼ିଥିଲା ତାଙ୍କ ରକ୍ତରେ ଶର୍କରା ସ୍ତର ଉନ୍ନତ ହୋଇଛି ଏବଂ ତାଙ୍କ ଗଣ୍ଠିଗୁଡ଼ିକ ସୁସ୍ଥ ହୋଇଛି । ଏହା ପୂର୍ବରୁ ସେ ଆଣ୍ଠୁ ସମସ୍ୟା ଅନୁଭବ କରୁଥିଲେ । ପିଲା ଜନ୍ମ ହେବା ପରେ ସ୍ୱାଭାବିକ ଓଜନକୁ ଫେରି ପାରିନଥିଲେ ଏବଂ ତାଙ୍କର ଜୀବନକୁ ଶାରୀରିକ ଓଜନ ପ୍ରଭାବିତ କରିଥିଲା ବୋଲି ସେ କହିଛନ୍ତି ।
ଔଷଧର ପାର୍ଶ୍ୱପ୍ରତିକ୍ରିୟା ବିଷୟରେ ୱିଲିୟମ୍ସ କହିଛନ୍ତି ଯେ, ସେ ଏହାର କୌଣସି ପାର୍ଶ୍ୱପ୍ରତିକ୍ରିୟାର ଶିକାର ହୋଇନାହାନ୍ତି । କିନ୍ତୁ କିଛି ଲୋକଙ୍କ ଠାରେ ଏହାର ପାର୍ଶ୍ୱପ୍ରତିକ୍ରିୟା ଦେଖାଯାଏ ବୋଲି ସେ ସ୍ୱୀକାର କରିଛନ୍ତି । ସେ କହିଛନ୍ତି, ମୁଁ ମୋ ଶରୀରକୁ ବହୁତ କଷ୍ଟ ଦେଇଛି। ମୁଁ ବୁଝିପାରୁଛି ଏହାର ଅନେକ ପାର୍ଶ୍ୱପ୍ରତିକ୍ରିୟା ଅଛି, କିନ୍ତୁ ମୋର କୌଣସି ପାର୍ଶ୍ୱପ୍ରତିକ୍ରିୟା ହୋଇନାହିଁ ।
GLP-1 ଔଷଧ କ’ଣ ?
TODAY.com ଅନୁଯାୟୀ, GLP-1 ଔଷଧ, ଯାହାକୁ GLP-1 agonists ମଧ୍ୟ କୁହାଯାଏ । ଖାଇବା ପରେ ଶରୀରରେ ଉତ୍ପାଦିତ ଏକ ହରମୋନର ଅନୁକରଣ କରି କାର୍ଯ୍ୟ କରେ। ଏହା ଫଳରେ ଖାଦ୍ୟ ଗ୍ରହଣ ହ୍ରାସ ପାଏ, ପୂର୍ଣ୍ଣତାର ଶୀଘ୍ର ଅନୁଭବ ହୁଏ । ଏହି ଔଷଧଗୁଡ଼ିକ ମଧୁମେହ ଚିକିତ୍ସା ପାଇଁ ମଧ୍ୟ ବ୍ୟବହାର କରାଯାଏ । ଏହା ଅଗ୍ନାଶୟ ଦ୍ୱାରା ଇନସୁଲିନ୍ କ୍ଷରଣକୁ ବୃଦ୍ଧି କରେ । ଉନ୍ନତ ଖାଦ୍ୟ ଏବଂ ନିୟମିତ ବ୍ୟାୟାମ ଭଳି ଜୀବନଶୈଳୀରେ ପରିବର୍ତ୍ତନ ସହ GLP-1 ଔଷଧ ସାଧାରଣତଃ ମେଦବହୁଳତା କିମ୍ବା ମଧୁମେହ ପାଇଁ ଦିଆଯାଏ ।