ଭୁବନେଶ୍ୱର, ୨୪/୦୨: ଶିକ୍ଷକ ଶିକ୍ଷା ପାଠ୍ୟକ୍ରମ ଢାଞ୍ଚାରେ ହେବ ପରିବର୍ତ୍ତନ । ନୂଆ ଢାଞ୍ଚାରେ କରାଯିବ ପାଠ୍ୟକ୍ରମ । ଜାତୀୟ ଶିକ୍ଷା ନୀତି ୨୦୨୦ ଅନୁଯାୟୀ ପାଠ୍ୟକ୍ରମ ପ୍ରସ୍ତୁତ କରାଯିବ । ଏପରି ନିଷ୍ପତ୍ତି ନେଇଛି ଜାତୀୟ ଶିକ୍ଷକ ଶିକ୍ଷା ପରିଷଦ (ଏନ୍ସିଟିଇ) । ଏନେଇ ଏନ୍ସିଟିଇ ପକ୍ଷରୁ ଏନ୍ସିଟିଇ ରେଗୁଲେସନ୍ ୨୦୨୫ର ଏକ ଡ୍ରାଫ୍ଟ ପ୍ରସ୍ତୁତି ହୋଇଛି ।
ଜାତୀୟ ଶିକ୍ଷା ନୀତି ୨୦୨୦ ଅନୁଯାୟୀ ପାଠପଢ଼ା ହେବ । ସ୍କୁଲ ଓ ଉଚ୍ଚଶିକ୍ଷାରେ ଏହାକୁ ଲାଗୁ କରାଯାଉଛି । ସେହିପରି ଶିକ୍ଷକ ଶିକ୍ଷାରେ ମଧ୍ୟ ଏହାକୁ ଲାଗୁ କରାଯିବ । ଏଥିପାଇଁ ଏନ୍ସିଟିଇ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ଆଗରୁ ଥିବା ଏନ୍ସିଟିଇ ରେଗୁଲେସନ୍ ୨୦୧୪ ଅନୁଯାୟୀ ପାଠ୍ୟକ୍ରମର ବିକାଶ କରାଯିବ । ନୂଆ ଏନ୍ସିଟିଇ ରେଗୁଲେସନ୍ ୨୦୨୫ ଆସିବ । ଏନ୍ସିଟିଇର ନୂଆ ନିୟମ ଅନୁଯାୟୀ ୨୦୨୬ ଶିକ୍ଷା ବର୍ଷରୁ ନୂଆ ୯ଟି କୋର୍ସର ଶୁଭାରମ୍ଭ ହେବ । ଇଣ୍ଟିଗ୍ରେଡେଟ୍ ଶିକ୍ଷକ ଶିକ୍ଷା କାର୍ଯ୍ୟକ୍ରମ (ଆଇଟିଇପି) ର ୪ଟି ସ୍ୱତନ୍ତ୍ର ଷ୍ଟ୍ରିମ୍ (କୋର୍ସ) ଯୋଡ଼ି ହେବ । କଳା ଶିକ୍ଷା, ଶାରିରୀକ ଶିକ୍ଷା, ସଂସ୍କୃତ ଶିକ୍ଷା, ଓ ଯୋଗ ଉପରେ ସ୍ୱତନ୍ତ୍ର କୋର୍ସ ରହିଛି । କେବଳ ଏତିକି ନୁହେଁ ବର୍ଷିକିଆ ବିଏଡ୍ ଓ ଏମ୍ଏଡ୍ କୋର୍ସର ଆରମ୍ଭ ହେବ । ଏଥିସହ ପୂର୍ଣ୍ଣ ସମୟ ଅର୍ଥାତ୍ ୨ ବର୍ଷିଆ ବିଏଡ୍ ଓ ଏମ୍ଏଡ୍ କୋର୍ସରେ ମଧ୍ୟ ନାମେଲଖା ହେବ । ଏନେଇ ଏନ୍ସିଟିଇ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି ।
ଏନ୍ସିଟିଇ ପକ୍ଷରୁ ପ୍ରସ୍ତୁତ ହୋଇଥିବା ଡ୍ରାଫ୍ଟ ଅନୁଯାୟୀ, ପ୍ରାଥମିକ ଭାବେ ଶିକ୍ଷକ-ଛାତ୍ର ଅନୁପାତକୁ ଗୁରୁତ୍ୱ ଦିଆଯିବ । ପାଠପଢ଼ା ପାଇଁ ସ୍ୱତନ୍ତ୍ର ଶିକ୍ଷା କ୍ୟାଲେଣ୍ଡର ପ୍ରସ୍ତୁତି କରାଯିବ । ପାଠପଢ଼ା ସହ ପ୍ରାକ୍ଟିକାଲକୁ ଅଧିକ ଗୁରୁତ୍ୱ ଦିଆଯିବ । ଛାତ୍ରଛାତ୍ରୀ ପଢ଼ିବା ସହ କିପରି ଶିକ୍ଷାଦାନ କ୍ଷେତ୍ରରେ କୁଶଳୀ ହେବେ ସେଥିଲାଗି ସ୍ୱତନ୍ତ୍ର ପ୍ରାକ୍ଟିସ୍ ରୁମ୍ କରାଯିବ । ସେଠାରେ ସେମାନଙ୍କୁ ତାଲିମ ପ୍ରଦାନ କରାଯିବ । ଏଥିସହ ଇଣ୍ଟର୍ନସିପ୍ କରିବା ପାଇଁ ସ୍ଥାନୀୟ ସରକାରୀ ସ୍କୁଲରେ ବ୍ୟବସ୍ଥା କରାଯିବ । ଏଥିପାଇଁ ଅନୁଷ୍ଠାନର କର୍ତ୍ତୃପକ୍ଷ ଆନୁସଙ୍ଗିକ ବ୍ୟବସ୍ଥା କରିବେ । ସ୍ୱତନ୍ତ୍ର ରୋଡ୍ ମ୍ୟାପ୍ ପ୍ରସ୍ତୁତ କରାଯିବ । ସମସ୍ତ ପିଲା ଇଣ୍ଟର୍ନସିପ୍ କରିବେ । ଯାହା ଦ୍ୱାରା ନିଯୁକ୍ତି ପାଇବା ବେଳକୁ ପିଲାଟି ସ୍କୁଲ ଶିକ୍ଷାଦାନ ଉପରେ ଦକ୍ଷ ହୋଇଥିବ ।
ଏକ ଗୁଣାତ୍ମକ ଏକାଡେମିକ୍ ଜର୍ଣ୍ଣାଲ୍ ପ୍ରସ୍ତୁତ କରିବା ପାଇଁ ଶିକ୍ଷକ ଓ ଶିକ୍ଷାର୍ଥୀଙ୍କ ପାଇଁ ସୁଯୋଗ ପ୍ରଦାନ କରାଯିବ । କାର୍ଯ୍ୟଶୈଳୀର ସମସ୍ତ ତଥ୍ୟକୁ ତଦାରଖ କରିବା ପାଇଁ ଏହାର ରେକର୍ଡ କରାଯିବ । କେବଳ ଶିକ୍ଷାର୍ଥୀଙ୍କର ସୁବିଧା କରାଯିବ ତାହା ନୁହେଁ ଶିକ୍ଷକଙ୍କୁ ମଧ୍ୟ ବିଭିନ୍ନ ସମୟରେ ତାଲିମ ପ୍ରଦାନ କରାଯିବ । ଏକାଡେମିକ୍ ଏନ୍ରିଚ୍ମେଣ୍ଟ ପ୍ରୋଗ୍ରାମ ଦ୍ୱାରା ଦକ୍ଷତା ବୃଦ୍ଧି କରାଯିବ । ଅଧ୍ୟାପକ, ଶିକ୍ଷକମାନେ ପାଠପଢଇବା ସହ ଅଧିକରୁ ଅଧିକ ଗବେଷଣା ମଧ୍ୟ କରିବେ । ସମସ୍ତ ବିଷୟ ପାଇଁ ସ୍ୱତନ୍ତ୍ର ଯୋଗ୍ୟାତାପ୍ରାପ୍ତ ଶିକ୍ଷକ ନିଯୁକ୍ତ ହେବେ । ଆନ୍ତଃ ଶିକ୍ଷାନୁଷ୍ଠାନ ସମନ୍ୱୟ କାର୍ଯ୍ୟକ୍ରମ କରାଯିବ । ସେମିନାର, ପ୍ରବନ୍ଧ, ବିତର୍କ, ବକୃତାମାଳା, ଗୋଷ୍ଠୀ ଆଲୋଚନା ଚକ୍ର ଆଦି ନିୟମିତ କରାଯିବ ।
ସମସ୍ତ ପ୍ରତିଷ୍ଠାନରେ କ୍ଲାସ୍ରୁମ୍ର ସ୍ଥାନକୁ ଗୁରୁତ୍ୱ ଦିଆଯିବ । ପ୍ରାକ୍ଟିକାଲ ରୁମ୍ ରହିବ । ଇଣ୍ଟିଗ୍ରେଟେଡ୍ ବିଏଡ୍ କଳା କୋର୍ସ ପାଇଁ ଭିଜୁଆଲ୍ ଆର୍ଟସ୍ର ସୁବିଧା ରହିବ । କଳାକୃତି ଅଭ୍ୟାସ ପାଇଁ ସ୍ୱତନ୍ତ୍ର ରୁମ୍ ଦିଆଯିବ । ସଂଗୀତ, ନୃତ୍ୟ ଓ ନାଟକ ପାଇଁ ଆନୁସଙ୍ଗିକ ବ୍ୟବସ୍ଥା ସହ ସ୍ୱତନ୍ତ୍ର କ୍ଲାସ୍ରୁମ୍ ପ୍ରସ୍ତୁତ କରାଯିବ । ଲାଇବ୍ରେରୀରେ ଅତିକମ୍ରେ ୫୦ ବ୍ୟକ୍ତିଙ୍କର ୧୦୦୦ ଶୀର୍ଷକର ୪୦୦୦ରୁ ଅଧିକ ପୁସ୍ତକ ରହିବ। ସର୍ବନିମ୍ନ ୫୦ଟି ଜର୍ଣ୍ଣାଲ୍ ରହିବ । ପ୍ରତିଷ୍ଠାନମାନେ ଡିଜିଟାଲ୍ ଲାଇବ୍ରେରୀ ପ୍ରତିଷ୍ଠା କରିବେ ।
ପାର୍ଟ ଟାଇମ୍ ଅର୍ଥାତ୍ ବର୍ଷିକିଆ ବିଏଡ୍ ପାଠ୍ୟକ୍ରମରେ ୨ଟି ସେମିଷ୍ଟର ରହିବ । ପ୍ରତି ସେମିଷ୍ଟରରେ ୯୬ ଦିନ ଅତିକମ୍ରେ ପାଠପଢ଼ା ହେବ । ସ୍କୁଲ ଇଣ୍ଟର୍ନସିପ୍ ବାଧ୍ୟତାମୂଳକ ରହିବ । ଗୋଟିଏ ପିଲା ଚାହିଁଲେ ୨ ବର୍ଷରେ ଏହି ବର୍ଷିକିଆ ବିଏଡ୍କୁ ସାରିପାରିବ । ଏଥିରେ ପ୍ରାରମ୍ଭ, ପ୍ରସ୍ତୁତି, ମଧ୍ୟମ ଓ ମାଧ୍ୟମିକ ସ୍ତରର ପାଠପଢ଼ା ହେବ । ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି ଦ୍ୱାରା ଆୟୋଜିତ ପ୍ରବେଶିକା ପରୀକ୍ଷା ଦ୍ୱାରା ନାମେଲଖା ଚୟନ କରାଯିବ ।
ସେହିପରି ପାର୍ଟ ଟାଇମ୍ ଏମ୍ଏଡ୍ କୋର୍ସର ଆରମ୍ଭ ହେବ । ଏଥିରେ ପାଠପଢ଼ା ସହ କ୍ଷେତ୍ର କାର୍ଯ୍ୟ ସହ ଗବେଷଣା ରହିବ । ଯେଉଁମାନେ ଫୁଲ୍ ଟାଇମ୍ ଏମ୍ଏଡ୍ ପଢ଼ାଉଥିବେ ସେମାନେ ପାର୍ଟ ଟାଇମ୍ ଏମ୍ଏଡ୍ ପଢ଼ାଇ ପାରିବେ । ସର୍ବାଧିକ ୪ ବର୍ଷ ମଧ୍ୟରେ ଶିକ୍ଷାର୍ଥୀ ଏହି କୋର୍ସକୁ ସଂପୂର୍ଣ୍ଣ କରିବାର ସୁଯୋଗ ଦିଆଯିବ ।