ଭୁବନେଶ୍ଵର, ୦୪/୦୮ : ଏଫଏମ୍ କଲେଜ ଛାତ୍ରୀ ଆତ୍ମାହୁତି ମାମଲାରେ ଆଉ ୨ ଅଭିଯୁକ୍ତ ଗିରଫ ପ୍ରସଙ୍ଗରେ ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ପ୍ରତିକ୍ରିୟା। ପୂର୍ବ ସରକାରଙ୍କ ସମୟରେ ଅପରାଧରେ ସରକାରୀ ଦଳର ଲୋକଙ୍କ ସମ୍ପୃକ୍ତି ରହୁଥିବା ଅଭିଯୋଗ ଆସୁଥିଲା। ସେଥିପାଇଁ ତଦନ୍ତ ପ୍ରଭାବିତ ହେଉଥିଲା। କ୍ରାଇମବ୍ରାଞ୍ଚ ଏବଂ ଭିଜିଲାନ୍ସକୁ ଅପରାଧୀଙ୍କୁ ବଞ୍ଚାଇବାକୁ ବ୍ୟବହାର ହେଉଥିଲା। ଭିଜିଲାନ୍ସ ଖଣ୍ଡା ଭଳି କାମ କରୁଥିଲା ଏବଂ କ୍ରାଇମବ୍ରାଞ୍ଚ ଅପରାଧୀଙ୍କୁ ବଞ୍ଚାଇବାକୁ ଢାଲ ହେଉଥିଲା। ବିଜେପି ସରକାରରେ ମଧ୍ୟ ଉଭୟ କାର୍ଯ୍ୟ କରୁଛନ୍ତି କିନ୍ତୁ ଧର୍ମ କି ପାର୍ଟି ପାଇଁ ନୁହେଁ। ବରଂ କ୍ରାଇମବ୍ରାଞ୍ଚ ଏବଂ ଭିଜିଲାନ୍ସ ଉଭୟ ସଂସ୍ଥା ଖଣ୍ଡା ଭଳି କାର୍ଯ୍ୟ କରୁଛନ୍ତି। ଯିଏ ଅପରାଧ କରୁଛି ଦଣ୍ଡିତ ହେବ।
ରାଜସ୍ୱ ମନ୍ତ୍ରୀ ପୁଣି କହିଛନ୍ତି ଯେ, ଅତୀତରେ ଅପରାଧ ଘଟୁଥିଲା କିନ୍ତୁ ଆଇନ ଅପରାଧୀ ପାଖରେ ପହଞ୍ଚୁ ନଥିଲା। ତେଣୁ ଏଥିରୁ ବିରୋଧୀ ଶିଖିବା ଏବଂ ସୁଧୁରିବା କଥା। ନିଜ କାର୍ଯ୍ୟ ବିରୋଧୀ ଯଦି ଦର୍ପଣରେ ଦେଖନ୍ତେ ଏସବୁ କୁହନ୍ତେ ନାହିଁ । ଅପରାଧ ପ୍ରବଣତା ସମାଜରେ ଯୁଗେ ଯୁଗେ ରହିଛି। ବୈଦିକ ଯୁଗରେ ମଧ୍ୟ ଅପରାଧ ରହିଥିଲା । କିନ୍ତୁ ବଡ଼ କଥା ଅପରାଧକୁ ରୋକିବାକୁ କଣ ପଦକ୍ଷେପ ନିଆଯାଉଛି। କିଛି ଦିନ ତଳେ ଜଣେ ଜଙ୍ଗଲ ବାବୁଙ୍କ ପାଖରୁ ଶତାଧିକ ପ୍ଲଟ ମିଳିଥିଲା । ପୂର୍ବରୁ ଯଦି ଧରା ହୋଇଥାନ୍ତେ ତେବେ ଏତେ ପ୍ଲଟ କରିପାରି ନଥାନ୍ତେ । FM କଲେଜ ଘଟଣା ହେଉ କି ଯେଉଁ ଘଟଣା ହେଉ। ବିଜେପି ସରକାରରେ ଏମିତି କୌଣସି ଘଟଣା ନାହିଁ, ଯେଉଁଠି ଆଇନ ଅପରାଧୀ ପାଖରେ ପହଞ୍ଚି ନାହିଁ।