ଭୁବନେଶ୍ୱର,୦୪/୦୮: ଡ୍ରୋନ ପରେ ଏବେ ମଶା ଦମନ କରିବାକୁ ବିଏମ୍ସି ପକ୍ଷରୁ ଜିଓ ଟ୍ୟାଗିଂ କରାଯିବ । ହଟସ୍ପଟ ଅଞ୍ଚଳକୁ ଚିହ୍ନଟ କରାଯାଇ ମ୍ୟାପିଂ କରାଯିବ । ଏହାକୁ ନୂଆ ଆପ୍ ଜରିଆରେ ଅପ୍ଲୋଡ କରି ସଚେତନତା ଏବଂ ସର୍ଭେଲାନ୍ସକୁ କାର୍ଯ୍ୟକ୍ଷମ କରିବାକୁ ବିଏମ୍ସି ଯୋଜନା କରିଛି । ଡେଙ୍ଗୁ ନିରାକରଣ ଲାଗି ବିଏମ୍ସି ପକ୍ଷରୁ ଏହି ବ୍ୟବସ୍ଥା କରାଯିବାକୁ ସ୍ଥିର ହୋଇଛି । ଇତିମଧ୍ୟରେ ରାଜଧାନୀରେ ଡେଙ୍ଗୁ ରୋଗୀ ସଂଖ୍ୟା ୨୦୫ ଛୁଇଁଛି ।
ଡେଙ୍ଗୁ ନିୟନ୍ତ୍ରଣ ଓ ଜନ ସଚେତନତା ଲାଗି ବିଏମ୍ସି ପକ୍ଷରୁ ନୂଆ ଟେକ୍ନୋଲୋଜି ଦ୍ୱାରା ଡେଙ୍ଗୁ ପ୍ରବଣ ଅଂଚଳକୁ ଜିଓ ଟ୍ୟାଗିଂ କରିବାକୁ ଯୋଜନା କରିଛି । ଏଥିଲାଗି ବିଏମ୍ସି ପରିମଳ ଓ ଆଇଟି ବିଭାଗ ମିଳିତ ଭାବେ ଏକ ସ୍ୱତନ୍ତ୍ର ଆପ୍ ପ୍ରସ୍ତୁତ କରିବାକୁ ଯାଉଛନ୍ତି । ଅଧିକ ମଶା ହେଉଥିବା ସ୍ଥାନକୁ ପ୍ରଥମେ ଚିହ୍ନଟ କରାଯିବ । ସର୍ଭେଲାନ୍ସ ଟିମ୍, ଆଶା, ଅଙ୍ଗନବାଡ଼ି କର୍ମଚାରୀ ମିଳିତ ଭାବେ ଏହି ଅଞ୍ଚଳ ପରିଦର୍ଶନ କରିବେ । ଏହି ଅଞ୍ଚଳର ଫଟୋ ଅକ୍ଷାଂଶ, ଦ୍ରାଘିମା, ତାରିଖ ଏବଂ ସମୟ ସହ ଅପ୍ଲୋଡ କରାଯିବ । ଏହାକୁ ରେଡ୍ ମ୍ୟାପିଂ କରି ଚିହ୍ନଟ କରାଯିବ । ଏହାପରେ ସ୍ୱତନ୍ତ୍ର ଆପ୍ ଜରିଆରେ ଏହି ଅଞ୍ଚଳର ଫଟୋ ଅପ୍ଲୋଡ ହେବ । ବିଏମ୍ସି ପକ୍ଷରୁ ମଶାପ୍ରବଣ (ଭର୍ଣ୍ଣାବିଲିଟି ପଏଣ୍ଟ) ସ୍ଥାନ ଚିହ୍ନଟ ହେବା ପରେ ଜଣେ ସାଧାରଣ ଲୋକ କେଉଁ ଅଞ୍ଚଳରେ ରୋଗୀ ସଂଖ୍ୟା ଅଧିକ ରହିଛି ଏହି ଆପ୍ ଜରିଆରେ ଜାଣି ପାରିବ । ଫଳରେ ଅଧିକ ସତର୍କ ହୋଇ ପାରିବ ବୋଲି ବିଏମ୍ସି ପକ୍ଷରୁ କୁହାଯାଇଛି ।
ଖାଲି ଏତିକି ନୁହେଁ, ଆପ୍ ଜରିଆରେ ଜଣେ ସାଧାରଣ ଲୋକ ଅଭିଯୋଗ ମଧ୍ୟ କରି ପାରିବେ । ଅଭିଯୋଗ ଆସିବା ମାତ୍ରେ ବିଏମ୍ସି କ୍ୱିକ୍ ଆକ୍ସନ ଟିମ୍ ଏବଂ ସର୍ଭେଲାନ୍ସ ଟିମ୍ ଘଟଣା ସ୍ଥଳ ପରିଦର୍ଶନ କରିବେ । ଏହି ଆପ୍ ପ୍ରସ୍ତୁତ କରିବାକୁ ବିଏମ୍ସି ଆଇଟି ବିଭାଗକୁ ଦୁଇ ସପ୍ତାହ ସମୟ ଦିଆଯାଇଛି । ଚୂଡ଼ାନ୍ତ ଆପ୍ ଆସିବା ପରେ ଏହାକୁ ତର୍ଜମା କରାଯିବ । ଏହା ପରେ ଲୋକାର୍ପଣ କରିବାକୁ ଯୋଜନା କରିଛି ବିଏମ୍ସି । ବିଏମ୍ସି କମିଶନର ଚଞ୍ଚଳ ରାଣାଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ବୈଠକରେ ଭୁବନେଶ୍ୱର ଡେଙ୍ଗୁ ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା । ଏଥର ଡେଙ୍ଗୁ ଦମନରେ ଟେକ୍ନୋଲୋଜି ଆପଣାଇବାକୁ ଏହି ବୈଠକରେ ନିଷ୍ପତ୍ତି ନିଆଯାଇଥିଲା ।
ପୂର୍ବରୁ ମଧ୍ୟ ମଶା ଦମନ କରିବାକୁ ବିଏମ୍ସି ପକ୍ଷରୁ ଡ୍ରୋନ୍ ସାହାଯ୍ୟ ନିଆଯାଇଥିଲା । ମଶା ମାରିବାକୁ ଡ୍ରୋନ୍ ଔଷଧ ସିଞ୍ଚନ କରିଥିଲା । ଯୋଜନାରେ ବିଏମ୍ସି ଲକ୍ଷ ଲକ୍ଷ ଟଙ୍କା ଉଡ଼ାଇଥିଲା । କିନ୍ତୁ ଡେଙ୍ଗୁ ନିରାକରଣ ସମ୍ଭବ ହେଲା ନାହିଁ । ଏବେ ପୁଣି ଡେଙ୍ଗୁ ହଟ୍ସ୍ପଟ୍ ଚିହ୍ନଟ କରିବାକୁ ବିଏମ୍ସି ପକ୍ଷରୁ ଜିଓ ଟ୍ୟାଗିଂ କରିବାକୁ ଯୋଜନା ହେଉଛି । ଏହା ରାଜଧାନୀବାସୀଙ୍କ ପାଇଁ କେତେ ଫଳପ୍ରଦ ହେବ ତାକୁ ନେଇ ପ୍ରଶ୍ନ ଉଠିଛି । ବିଏମ୍ସିରେ ଡେଙ୍ଗୁ ରୋଗୀ ସଂଖ୍ୟା ବର୍ତ୍ତମାନ ୨୦୫ ଛୁଇଁଛି । ପଦ୍ମକେଶରୀପୁରରେ ୧୩, ପ୍ରଶାନ୍ତି ବିହାରରେ ୧୪, ଶିଖରଚଣ୍ଡୀ ନଗରରେ ୧୪, ସାଲିଆସାହିରେ ୧୩ ରୋଗୀ ଚିହ୍ନଟ ହୋଇଛନ୍ତି । ଏହି ସବୁ ଅଞ୍ଚଳରେ ସର୍ବାଧିକ ରୋଗୀ ଚିହ୍ନଟ କରାଯାଇଛି । ସେହିପରି ଅନ୍ୟ ଅଞ୍ଚଳରେ ମଧ୍ୟ ଡେଙ୍ଗୁ ରୋଗୀ ସଂଖ୍ୟା ବଢୁଥିବା ଜଣାପଡ଼ିଛି ।