ବଳଙ୍ଗା ୦୪/୦୮: ବଳଙ୍ଗା ପୀଡ଼ିତାଙ୍କୁ ଦୁଃଖଭରା ବିଦାୟ। ଆଜି ପୈତୃକ ଗାଁ ବାୟାବରରେ ମୁସଲିମ ରୀତିନୀତିରେ ଅନ୍ତିମ ସଂସ୍କାର କରାଯାଇଛି। ଗାଁ କବରସ୍ତାନରେ ପୀଡ଼ିତାଙ୍କୁ କବର ଦେଇଛନ୍ତି ସମ୍ପର୍କୀୟ। ପରିବାରଲୋକଙ୍କ କାନ୍ଦବୋବାଳିରେ ଫାଟି ପଡୁଥିଲା ପୂରା ଅଞ୍ଚଳ। ଶେଷ ଦର୍ଶନ ପାଇଁ ପହଞ୍ଚିଥିଲେ ନେତା, କର୍ମୀ ଏବଂ ବିଭିନ୍ନ ଦଳ ପ୍ରତିନିଧି। ଏହ ସମୟରେ ପୁଲିସ କଡ଼ା ସୁରକ୍ଷା ବଳୟରେ ରହିଥିଲା କବରସ୍ତାନ।
ଆଜି ସକାଳେ ଇସଲାମ ଧର୍ମ ଅନୁସାରେ ଜନାଜା ନମାଜ ପାଠ ପରେ କବର ସ୍ଥାନରେ ସମସ୍ତ କାର୍ଯ୍ୟ ସଂପନ୍ନ କରାଯାଇଛି। ବାୟାବର ଗାଁରେ ଶୋକାକୂଳ ପରିବେଶ ଭିତରେ ପୀଡ଼ିତାଙ୍କ ମୃତଦେହକୁ କବର ଦିଆଯାଇଛି । ପୀଡ଼ିତାଙ୍କ ଶେଷକୃତ୍ୟରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ ସାମିଲ ହୋଇଥିଲେ । ପୀଡ଼ିତାଙ୍କ ଶେଷଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ପୀଡ଼ିତାଙ୍କ ବାପାଙ୍କୁ ଭେଟି ସମବେଦନା ଜଣାଇଥିଲେ । ଏହି ସମୟରେ ଗାଁରେ ବ୍ୟାପକ ପୁଲିସ ଫୋର୍ସ ମୁତୟନ ହୋଇଥିଲା ।
ବଳଙ୍ଗୀ ପୀଡ଼ିତାଙ୍କ ଶେଷ ଦର୍ଶନ ପରେ ପ୍ରଭାତୀ ପରିଡ଼ାଙ୍କ ପ୍ରତିକ୍ରିୟା କହିଛନ୍ତି ଯେ, ଚିକିତ୍ସା ପାଇଁ ରାଜ୍ୟ ସରକାର ସବୁ ବ୍ୟବସ୍ଥା କରିଥିଲେ, କିନ୍ତୁ ବଞ୍ଚାଇ ହେଲାନି। ରାଜ୍ୟ ସରକାର ପୀଡ଼ିତାଙ୍କ ପରିବାର ସହ ଅଛନ୍ତି। ତାଙ୍କ ପାଇଁ ସବୁ କରିବାକୁ ପ୍ରସ୍ତୁତ। ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ପରିବାର ପାଇଁ ଯାହା କରିବାର ଅଛି କରିବୁ। ଶେଷ ଯାଏ ପୁଲିସ ଉପରେ ଭରସା ରହିଛି । ଯାହା ସତ୍ୟ ପଦାକୁ ଆସିବ।