କର୍ଲାମୁଣ୍ଡା, ୪।୮: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ରେଙ୍ଗାଲି ଉତ୍ତେଇ କେନାଲ ନିକଟରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର । ସୋମବାର ଭୋରରୁ ଏକ ବାଇକ୍ ପାଖରେ ମୃତଦେହ ପଡ଼ି ରହିଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ । ଖବର ପାଇ କର୍ଲାମୁଣ୍ଡା ଫାଣ୍ଡି ଅଧିକାରୀ ଥବିର ବରିହା ଓ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲେ ।
ଉଦ୍ଧାର ହୋଇଥିବା ମୃତଦେହର ପରଚୟ ମିଳିଛି । କର୍ଲାମୁଣ୍ଡା ବସ୍ତିରେ ରହୁଥିବା ୩୦ ବର୍ଷୀୟ ରାଜ ନିଆଲଙ୍କର ବୋଲି ଜଣାପଡ଼ିଛି । ରାଜ୍ ନିଆଲ ରବିବାର ସନ୍ଧ୍ୟାରେ କୌଣସି କାମ ପାଇଁ ଅଗାଧୁପୁର ଗାଁକୁ ଯାଇଥିଲେ । ରାତିରେ ଫେରିବା ସମୟରେ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । ଏନେଇ ରାଜଙ୍କ ସମ୍ପର୍କୀୟ ଶଳା ଟୁନୁ ନନ୍ଦ କର୍ଲାମୁଣ୍ଡା ଫାଣ୍ଡିରେ ଲିଖିତ ଭାବେ ଜଣାଇଛନ୍ତି । କହିରଖୁ କି, ରାଜ ତାଙ୍କ ସ୍ତ୍ରୀ ଓ ଦୁଇ ସନ୍ତାନ ସହ ରହୁଥିଲେ । ସେ ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ହୋଇଥିବାରୁ ସରକାରୀ ସହାୟତା ଯୋଗାଇଦେବାକୁ ଦାବି ହେଉଛି ।