ନୂଆଦିଲ୍ଲୀ: ତୁର୍କୀର ଇସ୍ତାନବୁଲରେ ବୁଧବାର (୨୩ ଏପ୍ରିଲ୍, ୨୦୨୫) ୬.୨ ତୀବ୍ରତାର ଏକ ବଡ଼ ଭୂମିକମ୍ପ ଅନୁଭୂତ ହୋଇଛି। ଏହାର କେନ୍ଦ୍ରସ୍ଥଳ ଇସ୍ତାନବୁଲ ନିକଟସ୍ଥ ମାରମାରା ସାଗରରେ ଥିଲା। ତୁର୍କିର AFAD ବିପର୍ଯ୍ୟୟ ଏଜେନ୍ସି କହିଛି ଯେ, ଏହା ସହରରେ ହୋଇଥିବା ସବୁଠାରୁ ଶକ୍ତିଶାଳୀ ଭୂମିକମ୍ପ ମଧ୍ୟରୁ ଗୋଟିଏ । ଇସ୍ତାନବୁଲରୁ ପ୍ରାୟ ୪୦ କିଲୋମିଟର ଦକ୍ଷିଣ-ପଶ୍ଚିମରେ ମାରମାରା ସାଗରରେ ଭୂମିକମ୍ପର କେନ୍ଦ୍ରସ୍ଥଳ ଥିଲା। ଗଣମାଧ୍ୟମ ରିପୋର୍ଟ ଅନୁସାରେ, ହଜାର ହଜାର କୋଠାକୁ ଖାଲି କରାଯାଇଛି।
ଏହି ଭୂମିକମ୍ପର ପ୍ରଭାବ ବୁଲଗେରିଆ, ଗ୍ରୀସ୍ ଏବଂ ରୋମାନିଆ ଭଳି ପଡ଼ୋଶୀ ଦେଶଗୁଡ଼ିକରେ ମଧ୍ୟ ଅନୁଭୂତ ହୋଇଛି । ଭୂମିକମ୍ପର ଝଟକା ଯୋଗୁଁ ଚାରିଆଡ଼େ ଆତଙ୍କ ଖେଳିଯାଇଛି ଏବଂ ଲୋକମାନେ ଭୟଭୀତ ହୋଇପଡ଼ିଛନ୍ତି । ଭୂମିକମ୍ପର ଝଟକା ଏତେ ଶକ୍ତିଶାଳୀ ଥିଲା ଯେ, କୋଠାଗୁଡ଼ିକ ଦୋହଲିଥିଲା । ଲୋକମାନେ ଚିତ୍କାର କରି ରାସ୍ତାକୁ ବାହାରି ଆସିଲେ ଏବଂ ଏଣେତେଣେ ଦୌଡ଼ିବାକୁ ଲାଗିଲେ। ବର୍ତ୍ତମାନ ସୁଦ୍ଧା କୌଣସି ଜୀବନହାନିର ଖବର ମିଳିନାହିଁ ।
ଥରେ ନୁହେଁ ଅନେକ ଥର ଭୂମିକମ୍ପ ଅନୁଭୂତ ହୋଇଛି । ଯେଉଁଥିରୁ ଗୋଟିଏର ତୀବ୍ରତା ୫.୩ ଥିଲା । ବିପର୍ଯ୍ୟୟ ଏବଂ ଜରୁରୀକାଳୀନ ପରିଚାଳନା ସଂସ୍ଥା ଲୋକମାନଙ୍କୁ କୋଠା ଠାରୁ ଦୂରରେ ରହିବାକୁ କହିଛି । ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ପୋଷ୍ଟରେ ତୁର୍କମେନିସ୍ତାନ ଗୃହମନ୍ତ୍ରୀ ଅଲି ୟେରଲିକାୟା କହିଛନ୍ତି, ‘ଇସ୍ତାନବୁଲର ୬.୨ ତୀବ୍ରତାର ଏକ ଭୂମିକମ୍ପ ହୋଇଥିଲା। ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ପ୍ରକ୍ରିୟା ଜାରି ରହିଛି ।
ସୂଚନାଯୋଗ୍ୟ, ୨୦୨୩ରେ ଶକ୍ତିଶାଳୀ ଭୂମିକମ୍ପରେ ଥରିଥିଲା ତୁର୍କୀ ଏବଂ ସିରିୟା । ୭.୮ ତୀବ୍ରତାର ଭୂମିକମ୍ପ ସବୁକିଛି ଛାରଖାର କରିଦେଇଥିଲା । ୩୦ ହଜାର ଥର ପରବର୍ତ୍ତୀ ବା ଆଫ୍ଟର ଶକ୍ ଯୋଗୁଁ ବେହାଲ୍ ହୋଇପଡ଼ିଥିଲା ତୁର୍କୀ । ଏହି ଭୂମିକମ୍ପରେ ତୁର୍କୀ ଏବଂ ସିରିୟାରେ ୬୦ ହଜାରରୁ ଅଧିକ ଲୋକଙ୍କ ଜୀବନ ଯାଇଥିଲା । ୧୫୭ ବିଲିୟନ୍ ଡଲାରର କ୍ଷତି ସହିଥିଲେ ଏହି ଦୁଇ ଦେଶ ।