ନୂଆଦିଲ୍ଲୀ,୪।୧୧: କେନ୍ଦ୍ର ଶାସିତ ରାଜ୍ୟ ଜମ୍ମୁ-କଶ୍ମୀରରେ ଦୀର୍ଘ ୬ ବର୍ଷ ପରେ ବିଧାନସଭାର ପ୍ରଥମ ଅଧିବେଶନ ଆଜି ଠାରୁ ଆରମ୍ଭ ହୋଇଛି। ପ୍ରଥମ ଦିନ ଆଶାନୁରୂପ ହଙ୍ଗାମାଦାର ରହିଥିଲା। ପିପୁଲ୍ସ ଡେମୋକ୍ରାଟିକ୍ ପାର୍ଟିର ବିଧାୟକ ଓ୍ବହିଦ ଉର ରହମାନ ପରା ୫ ଅଗଷ୍ଟ ୨୦୧୯ ରେ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ନିନ୍ଦା କରିବା ସହ ଜମ୍ମୁ ଓ କାଶ୍ମୀରରେ ଧାରା ୩୭୦ ପୁଣିଥରେ ଲାଗୁ କରିବାକୁ ପ୍ରସ୍ତାବ ଦେଇଥିଲେ, ଯାହାକୁ ବିଜେପି ପକ୍ଷରୁ ଜୋରଦାର ବିରୋଧ କରାଯାଇଥିଲ।
ନିୟମ ଅନୁସାରେ, ପ୍ରଥମ ଦିନ ଗୃହରେ ବାଚସ୍ପତି ନିର୍ବାଚନ ହୋଇଥିଲା। ଏନସିର ବରିଷ୍ଠ ନେତା ତଥା ୭ଥରର ବିଧାୟକ ରହିମ ରାଥେର ବାଚସ୍ପତି ଭାବେ ନିର୍ବାଚିତ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଓ ପ୍ରୋ ଟମ ବାଚସ୍ପତି ମୁବାରକ ଗୁଲ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। କିନ୍ତୁ ଏହାପରେ ଗୃହରେ ହୋଇଥିଲା ପ୍ରବଳ ହଙ୍ଗାମା । ଜମ୍ମୁ-କଶ୍ମୀରରୁ ୨୦୧୯ ଅଗଷ୍ଟ ୫ରେ ଉଚ୍ଛେଦ ହୋଇଥିବା ଧାରା ୩୭୦କୁ ନେଇ ଗୃହରେ ପିଡିପି ଓ ବିଜେପି ବିଧାୟକ ମୁହାଁମୁହିଁ ହୋଇଛନ୍ତି। ନିର୍ଦ୍ଦଳୀୟ ବିଧାୟାକ ଶବିର କୁଲ ଓ ଶେଖ ଖୁର୍ସିଦ ଅହମ୍ମଦ ବାଚସ୍ପତିଙ୍କ ଆସନ ନିକଟରେ ପହଁଞ୍ଚିଥିଲେ।
କେବଳ ସେତିକି ନୁହେଁ, ନ୍ୟସନାଲ କନଫ୍ରେନ୍ସର କିଛି ବିଧାୟକ ନିଜ ଆସନରୁ ଉଠି ପରା ବାଚସ୍ପତିଙ୍କ ଆସନ ଆଡକୁ ବଢିଥିଲେ,। ତାଙ୍କୁ ଓ୍ବାଚ୍ ଆଣ୍ଡ ଓ୍ବାର୍ଡ ଷ୍ଟାଫ୍ ଯେ କୌଣସି ମତେ ରୋକିଥିଲେ। ସ୍ପିକର ସମସ୍ତଙ୍କୁ ଶାନ୍ତ କରିବାକୁ ଅପିଲ କରିଥିଲେ। ମୁଖ୍ୟମନ୍ତ୍ରୀ ଉମର ଅବଦୁଲାଙ୍କୁ ହସ୍ତକ୍ଷେପ କରିବାକୁ ପଡିଥିଲା।