ବେତନଟୀ, ୨୪/୭ : ଖଡଗପୁର ଡିଭିଜନର ଡିଆରଏମ କେ. ଆର ଚୌଧୁରୀ ଗୁରୁବାର ଅପରାହ୍ନ ୧ଟାରେ ଏକ ସ୍ୱତନ୍ତ୍ର ଟ୍ରେନ ଯୋଗେ ବେତନଟୀ ରେଳ ଷ୍ଟେସନରେ ପହଞ୍ଚି ବିଭିନ୍ନ ନିର୍ମାଣାଧୀନ ପ୍ରକଳ୍ପର ସମୀକ୍ଷା କରିଛନ୍ତି। ଏହା ସହିତ ଷ୍ଟେସନ ପରିଦର୍ଶନ କରି ବିଭାଗୀୟ ଅଧିକାରୀଙ୍କ ସହିତ ଆଲୋଚନା କରିଛନ୍ତି। ବେତନଟୀ ରେଳ ଷ୍ଟେସନରେ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା ନିର୍ମାଣାଧୀନ ଅଣ୍ଡରପାସ୍ କାର୍ଯ୍ୟର ଅଗ୍ରଗତି ଏବଂ ଏହାର କାର୍ଯ୍ୟକ୍ଷମ ବାବଦରେ ବିଭାଗୀୟ ଅଧିକାରୀଙ୍କ ସହିତ ଆଲୋଚନା କରି ଅଣ୍ଡରପାସ୍ ବୁଲି ଦେଖିଛନ୍ତି। ଏହାପରେ ଅମୃତଭାରତ ଯୋଜନାରେ ନିର୍ମାଣାଧୀନ ସୁଉଚ୍ଚ ଅଟ୍ଟାଳିକା ପରିଦର୍ଶନ କରି ଏହାର ସ୍ଥିତି ସମୀକ୍ଷା କରିଛନ୍ତି।
ଡିଆରଏମ ଷ୍ଟେସନରେ ଥିବା ସିଗ୍ନାଲ କଣ୍ଟ୍ରୋଲ ସିଷ୍ଟମର ମଧ୍ୟ ଯାଞ୍ଚ କରିଛନ୍ତି। ଏହି ଅବସରରେ ବେତନଟୀ ରେଲୱେ ପାସେଞ୍ଜର୍ସ ଫୋରମର ସମ୍ପାଦକ ଅମରେନ୍ଦ୍ର ନାଥ ଦାସ ମେମୁ ଟ୍ରେନକୁ ବାଲେଶ୍ୱର ପର୍ଯ୍ୟନ୍ତ ଦିନକୁ ଥରେ ପରିବର୍ତ୍ତେ ପୂର୍ବଭଳି ତିନିଥର ଯାତାୟାତ ପାଇଁ ସମ୍ପ୍ରସାରଣ କରିବାକୁ ଦାବିପତ୍ର ଦେଇଛନ୍ତି। ଏହା ସାଙ୍ଗକୁ ଷ୍ଟେସନ ପରିସରରେ ବିଶୁଦ୍ଧ ପାନୀୟଜଳ ଏବଂ ବର୍ଷାଜଳ ନିଷ୍କାସନ ନିମନ୍ତେ ଯୋଜନାବଦ୍ଧ ଡ୍ରେନେଜ୍ ବ୍ୟବସ୍ଥା କହିଛନ୍ତି। ଖଡ଼ଗପୁର ଡିଭିଜନର ଡିଆରଏମ କେ. ଆର ଚୌଧୁରୀଙ୍କ ଗସ୍ତ ସମୟରେ ରେଳ ବିଭାଗର ଅଧିନସ୍ଥ ଲାଇନ ଡିପାର୍ଟମେଣ୍ଟର ଅଧିକାରୀ ଓ କର୍ମଚାରୀ ପ୍ରମୁଖ ଉପସ୍ଥିତ ରହିଥିଲେ। ବେତନଟୀ ରେଳଷ୍ଟେସନ ପରିଦର୍ଶନ ପରେ ଡିଆରଏମ ବାରିପଦା ଏବଂ ବାଙ୍ଗିରିପୋଷି ଗସ୍ତରେ ଯାଇଥିଲେ।